ଭୁବନେଶ୍ୱର : ଶନିବାର ସରିଛି ସିଏଚ୍ସିଇ ପରିଚାଳିତ +୨ ବର୍ଗର ସମସ୍ତ ପରୀକ୍ଷା। ତେବେ ଆସନ୍ତା ୪୦ରୁ ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା। କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକରେ ୪ ଲକ୍ଷରୁ ଊଦ୍ଧର୍ବ ପିଲା ପରୀକ୍ଷା ଦେଇଥିବାବେଳେ ୫ ହଜାର ପିଲା ଅନୁପସ୍ଥିତ ଥିଲେ। ଏପ୍ରିଲ ୨ରୁ ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ ହେବ । ଖାତା ମୂଲ୍ୟାୟନ ପାଇଁ ୧୫୧ ମୂଲ୍ୟାୟନ କେନ୍ଦ୍ର ସହିତ ୧୬ ହଜାର ଅଧ୍ୟାପକ ନିୟୋଜିତ ହୋଇଛନ୍ତି । ସିଏଚ୍ଏସ୍ଇ ପରୀକ୍ଷା ନିୟନ୍ତ୍ରକ କହିଛନ୍ତି ଯେ, ବିଶେଷ କରି ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ହେବ । ମୋଟ୍ ଆକାରରେ ଚଳିତ ବର୍ଷ ଯୁକ୍ତ ୨ରେ ୨୫ ଲକ୍ଷ ଖାତା ମୂଲ୍ୟାୟନ ହେବ । ଏପ୍ରିଲ୍ ଶେଷ ସୁଦ୍ଧା ଖାତା ଦେଖା ଶେଷ ହେବା ସହିତ ମେ’ ମାସରେ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଲକ୍ଷ୍ୟ ରଖାଯାଇଛି ।ଯୁକ୍ତ ଦୁଇ ଖାତା ଉଭୟ ଅଫଲାଇନ ଓ ଅନଲାଇନରେ ଦେଖା ହେବ । ମୂଲ୍ୟାୟନ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ । ଅତ୍ୟଧିକ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅଧ୍ୟାପକଙ୍କ ପାଇଁ ପାନୀୟ ଜଳଠୁ ଆରମ୍ଭ କରି ସମସ୍ତ ପ୍ରକାର ସୁବିଧା କରାଯିବ ।










