ଭୁବନେଶ୍ୱର: କଟକ ଏସ୍ସିବି ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲର ଟ୍ରମା କେୟାର ଆଇ.ସି.ୟୁ.ରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ରାଜ୍ୟ ସରକାରଙ୍କ ଅପରାଧିକ ଅବହେଳା ବିରୋଧରେ ପ୍ରତିବାଦ ଆନ୍ଦୋଳନ ପାଇଁ ମିଳିତ ବିରୋଧୀ ଦଳମାନଙ୍କ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ମର୍ମାନ୍ତିକ ଘଟଣାରେ ୧୩ଜଣ ନିରୀହ ରୋଗୀଙ୍କ ମୃତ୍ୟୁ ଘଟିଥିବା ଘଟଣାକୁ ମିଳିତ ବୈଠକରେ ଗଭୀର ଶୋକ ପ୍ରକାଶ କରାଯାଇଛି । ଶୋକସନ୍ତପ୍ତ ପରିବାରମାନଙ୍କ ପ୍ରତି ଆନ୍ତରିକ ସମବେଦନା ଜ୍ଞାପନ କରାଯାଇଛି। ଏହି ଘଟଣାରେ ମିଳିତ ବୈଠକରେ ଅତ୍ୟନ୍ତ କ୍ଷୋଭ ଏବଂ ଉଦ୍ବେଗ ପ୍ରକାଶ କରିବା ସହିତ ରାଜ୍ୟ ସରକାରଙ୍କ ବିଫଳତା ପାଇଁ ତୀବ୍ର ନିନ୍ଦା କରାଯାଉଛି। ଏହାକୁ ସରକାରଙ୍କ ଅପରାଧିକ ଅବହେଳା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଦୟନୀୟ ଅବସ୍ଥାର ପ୍ରମାଣ ବୋଲି ମିଳିତ ବିରୋଧୀ ଦଳ ବିଚାର କରୁଛି । ଏହା କେବଳ ଦୁର୍ଘଟଣା ନୁହେଁ, ବରଂ ସରକାର ଓ ହସ୍ପିଟାଲ ପ୍ରଶାସନର ଅପରାଧିକ ଅବହେଳା ଯୋଗୁଁ ଘଟିଥିବା ଏକ ସ୍ପଷ୍ଟ “ବ୍ୟବସ୍ଥାକୃତ ହତ୍ୟା” ବୋଲି ମିଳିତ ବିରୋଧୀ ଦଳମାନଙ୍କର ନେତୃବୃନ୍ଦ ମତ ପ୍ରକାଶ କରିଛନ୍ତି । ଏହି ସଭାରେ ଉପସ୍ଥିତ ସମସ୍ତ ବିରୋଧୀ ଦଳ ଏକମତ ହୋଇ ତୁରନ୍ତ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ଏହା ସହିତ ନିମ୍ନଲିଖିତ ଦାବିଗୁଡ଼ିକୁ ତୁରନ୍ତ ପୂରଣ କରିବାକୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି-
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା କିମ୍ବା ମନ୍ତ୍ରୀମଣ୍ଡଳରୁ ବହିଷ୍କାର, ପ୍ରତ୍ୟେକ ମୃତକଙ୍କ ପରିବାରକୁ ଅନ୍ୟୁନ ଏକ କୋଟି ଟଙ୍କା ଆର୍ଥୀକ କ୍ଷତିପୂରଣ ଓ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀ, ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ଅଧ୍ୟକ୍ଷତାରେ ନ୍ୟାୟିକ ତଦନ୍ତ, ସମସ୍ତ ଆହତଙ୍କୁ ମାଗଣା ଉଚ୍ଚମାନର ଚିକିତ୍ସା ଓ ଅନ୍ୟୁନ ୫ଲକ୍ଷ ଟଙ୍କା ସହାୟତା, ହସ୍ପିଟାଲ ସୁପରିଟେଣ୍ଡେଣ୍ଡ ସମେତ ଏହି ଘଟଣା ପାଇଁ ଦାୟୀ ସରକାରୀ ଅଧିକାରୀ, କର୍ମଚାରୀ ଏବଂ ବିଦ୍ୟୁତ୍ ଠିକାଦାରକୁ ତୁରନ୍ତ ଗିରଫ କରି ଆଇନଗତ କାର୍ଯ୍ୟାନୁଷ୍ଠାନ, ସରକାରୀ ଓ ବେସରକାରୀ ହସ୍ପିଟାଲର ଫାୟାର୍ ସେଫ୍ଟି ଓ ସୁରକ୍ଷା ବ୍ୟବସ୍ଥାର ସାମଗ୍ରିକ ଅଡ଼ିଟ୍, ଇତ୍ୟାଦି କାର୍ଯ୍ୟାନୁଷ୍ଠାନ ଅନ୍ତର୍ଭୁକ୍ତ । ମିଳିତ ବିରୋଧୀ ଦଳ ତରଫରୁ ଏହା ମଧ୍ୟ କୁହାଯାଇଛି ଯେ, ଏହି ଦାବିଗୁଡ଼ିକ ପୂରଣ ପାଇଁ ମିଳିତ ଭାବେ ତୀବ୍ର ଆନ୍ଦୋଳନ ଆରମ୍ଭ କରାଯିବ । ଉପରୋକ୍ତ ଦାବି ଉପରେ ଆସନ୍ତା ମାର୍ଚ୍ଚ ୩୦ ତାରିଖରେ ରାଜ୍ୟ ବିଧାନସଭା ସମ୍ମୁଖରେ ବିଶାଳ ପ୍ରତିବାଦ ଧାରଣା ସଂଗଠିତ କରି ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ ଏବଂ ରାଜ୍ୟବ୍ୟାପୀ ପ୍ରତିବାଦ ଆନ୍ଦୋଳନ ସଂଗଠିତ କରାଯିବ। ଏହି ବୈଠକରେ ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ରାଜ୍ୟ ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ବିଜୁ ଜନତା ଦଳର ବରିଷ୍ଠ ରାଜ୍ୟ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ସି.ପି.ଆଇ. ରାଜ୍ୟ ସମ୍ପାଦକ ଡ଼ଃ ପ୍ରଶାନ୍ତ କୁମାର ମିଶ୍ର, ସହ ସମ୍ପାଦକ ଜୟନ୍ତ ଦାସ, ସି.ପି.ଆଇ.(ଏମ୍) ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ପୂର୍ବତନ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ସି.ପି.ଆଇ.(ଏମ୍-ଏଲ୍)-ଲିବେରେସନ ରାଜ୍ୟ ସମ୍ପାଦକ ଯୁଧିଷ୍ଟିର ମହାପାତ୍ର, ବରିଷ୍ଠ ନେତା ଅଶୋକ ପ୍ରଧାନ, ଫରୱାର୍ଡ଼ ବ୍ଲକ୍ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର, ଏନ୍.ସି.ପି. ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ, ଆର୍ଜେଡି ରାଜ୍ୟ ସାଧାରଣ ସମ୍ପାଦକ ହେମନ୍ତ କୁମାର ଏବଂ ସମତା କ୍ରାନ୍ତି ଦଳ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଭାସ ସାମନ୍ତରା ପ୍ରମୁଖ ରାଜ୍ୟ ନେତୃବୃନ୍ଦ ଯୋଗ ଦେଇଥିଲେ । ମିଳିତ ବିରୋଧୀ ଦଳମାନେ ସରକାରଙ୍କୁ ସ୍ପଷ୍ଟ ଭାବେ ଚେତାବନୀ ଦେଇଛନ୍ତି ଯେ, ଦାବିଗୁଡ଼ିକ ତୁରନ୍ତ ପୂରଣ ନହେଲେ ଆନ୍ଦୋଳନକୁ ରାଜ୍ୟବ୍ୟାପୀ ଭାବେ ତୀବ୍ରତର କରାଯିବ ।










