ଗଞ୍ଜାମ: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ରବିବାର ସନ୍ଧ୍ୟାରେ ରୋଷେଇ ପାଇଁ ଗ୍ୟାସ୍ ଲଗାଇବା ବେଳେ ହଠାତ୍ ସିଲିଣ୍ଡରଟି ବିସ୍ଫୋରଣ ହୋଇ ଘରର ଟିଣ ଉଡ଼ିଯିବା ସହ ନିଆଁ ଲାଗି ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଦୁଇ ମହିଳା ଦୁଇଶିଶୁଙ୍କ ସମେତ ୬ ଜଣ ଆହତ ହୋଇଥିଲେ। ଆହତମାନେ ହେଲେ ଶୋଭା ନାହାକ ପ୍ରସନ୍ନ ନାହାକ କୀର୍ତ୍ତନ ନାହାକ , ପାଣ୍ଡା ନାହାକ ଓ ଖୁସି ନାହାକ । ସମସ୍ତ ଆହତଙ୍କୁ ଚିକିତ୍ସା ଲାଗି ପ୍ରଥମେ ଭାଟକୁମରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ସେଠାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇଥିଲା। ଚିକିତ୍ସାବେଳେ ଶୋଭା ଓ ପ୍ରସନ୍ନଙ୍କ ଅବସ୍ଥା ଗୁରୁତର ହେବାରୁ ସଙ୍ଗେସଙ୍ଗେ ରାତିରେ ହିଁ ପ୍ରଶାସନ ପକ୍ଷରୁ ଦୁଇଜଣଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ସମସ୍ତ ଆହତଙ୍କ ଚିକିତ୍ସା ଉପରେ ପ୍ରଶାସନ ସମ୍ପୂର୍ଣ୍ଣ ନଜର ରଖିଥିବା ତହସିଲଦାର ବିନୋଦ କୁମାର ବେହେରା କହିଛନ୍ତି।ସୂଚନାଯୋଗ୍ୟ, କୀର୍ତ୍ତନଙ୍କ ଘରେ ରୋଷେଇ ପାଇଁ ଥିବା ଗ୍ୟାସ୍ଟିକୁ ଲଗାଇ ଦେବା ଲାଗି ସେହି ଗ୍ରାମର ସମ୍ପର୍କୀୟ ପ୍ରସନ୍ନଙ୍କୁ ଡାକିଥିଲେ। ସେ ଗ୍ୟାସ୍ ଲଗାଇବାବେଳେ ତାହା ହଠାତ୍ ଫାଟିଯାଇ ଘରସାରା ଜଳିଉଠିଥିଲା। ଏଥିରେ ସମସ୍ତେ ପୋଡ଼ିଯାଇ ଆହତ ହୋଇଥିଲେ।










