ଭୁବନେଶ୍ୱର: କାମାକ୍ଷାନଗର ମହିଳା ମହାବିଦ୍ୟାଳୟର ପ୍ରଥମ ବାର୍ଷିକ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ତଥ୍ୟ ଅନୁସନ୍ଧାନ ପାଇଁ ଆଜି ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତି ପ୍ରଦେଶ ମହିଳା କଂଗ୍ରେସର ଏକ ସ୍ୱତନ୍ତ୍ର ଟିମ କାମାକ୍ଷାନଗର ପଠାଇଥିଲେ । ଏହି ଟିମରେ ପ୍ରଦେଶ ମହିଳା କଂଗ୍ରେସର ଉପସଭାନେତ୍ରୀ ଜୟଶ୍ରୀ ପଟ୍ଟନାୟକ ଅଧ୍ୟକ୍ଷ ଥିବା ବେଳେ ସଭ୍ୟ ଭାବରେ ମଞ୍ଜୁଶ୍ରୀ ମିଶ୍ର, ଜୟସ୍ମିତା ମହାନ୍ତି ଏବଂ ସବିତା ଧିର ରହିଛନ୍ତି । ଭୁବନ ବ୍ଲକର ମାର୍ଥାପୁର ଗାଁ ଠାରେ ଏହି ଟିମ ଦିବଂଗତା ଛାତ୍ରୀର ପରିବାରକୁ ସାକ୍ଷାତ କରିଥିଲେ । ଝିଅର ମାଙ୍କର ବକ୍ତବ୍ୟ ଅନୁଯାୟୀ ଝିଅକୁ ଗଣଦୁଷ୍କର୍ମ କରାଯାଇ ହତ୍ୟାକରାଯାଇଛି । ଛାତ୍ରୀଜଣକ କଲେଜରୁ ଫେରୁଥିବା ବେଳେ ବସ ପାଇନଥିଲା ଏବଂ ଅନ୍ୟଏକ ନମ୍ବରରୁ ତାଙ୍କ ଗାଁର ଜଣେ ବାନ୍ଧବୀକୁ ଫୋନ କରି କହିଥିଲା ଯେ ସେ ଏକ କାରଯୋଗେ ଫେରଛି । ମାତ୍ର ପରବର୍ତ୍ତୀ ଘଟଣାରେ କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ସାରୁଆଳି ଜଙ୍ଗଲରେ ତାର ମୃତଦେହ ମିଳିଥିଲା । ଏହି ଟିମ କାମାକ୍ଷା ନଗର ଥାନା ଅଧିକାରୀଙ୍କୁ ଭେଟି ଅପରାଧିଙ୍କୁ ତୁରନ୍ତ ଧରିବାପାଇଁ ଦାବି କରିଥିଲେ । ଏହି ଅବସରରେ ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ ମୋହନ ସରକାରରେ ଅପରାଧିମାନେ ଦୃଷ୍ଟାନ୍ତମୂଳକ ଦଣ୍ଡ ନପାଇବାରୁ ଦିନକ ଦିନ ମହିଳା ହତ୍ୟା ଓ ଦୁଷ୍କର୍ମ ବଢ଼ିଚାଲିଛି । ପୋଲିସ ପ୍ରଶାସନ ମହିଳାଙ୍କର ଅଭିଯୋଗ ଏବଂ ସୁରକ୍ଷାପ୍ରତି ଉଦାସୀନ । ସୁତରାଂ କାମାକ୍ଷାନଗର ମହିଳା ମହାବିଦ୍ୟାଳୟର ଦିବଂଗତା ଦୁଷ୍ମର୍ମ ପୀଡ଼ିତା ଛାତ୍ରୀର ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରାଯାଇ ଆଇନଅନୁଯାୟୀ ଦଣ୍ଡିତ କରାଯାଉ । ପୀଡ଼ିତାର ପରିବାରକୁ ୫୦ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦିଆଯାଉ । ଏହି କାର୍ଯ୍ୟକ୍ରମରେ ପିସିସି ସମ୍ପାଦିକା ଶିଳ୍ପଶ୍ରୀ ହରିଚନ୍ଦନ ଏବଂ କାମାକ୍ଷାନଗରର କଂଗ୍ରେସ ବିଧାୟକ ପ୍ରାର୍ଥୀ ବିପ୍ରବର ସାହୁ, କାମାକ୍ଷା ପଣ୍ଡା, ବ୍ରହ୍ମାନନ୍ଦ କୁଅଁର, ସଂଜୀବ କୁମାର ବେହେରା, ଅଯୋଧ୍ୟା ଶତପଥି, ଦୁଃଶାସନ ସାହୁ, ସଂଜୀବ କୁମାର ସାହୁ, ଅଶୋକ କୁମାର ନାଥ ଓ ରୋହିତ ରାଉତ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।










