ଭଦ୍ରକ: ମଣ୍ଡି ଅବ୍ୟବସ୍ଥା । ମଣ୍ଡିରୁ ଉଠୁନି ଧାନ । ରାସ୍ତାରେ ଧାନବସ୍ତା ରଖି ପ୍ରତିବାଦ କରିଛନ୍ତି ସେବା ସମବାୟ ସମିତିର ଚାଷୀ । ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳରେ ମଣ୍ଡିରୁ ଧାନ ଉଠା ନହେବାକୁ କେନ୍ଦ୍ରକରି ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହାର ପ୍ରତିବାଦ କରିଛନ୍ତି ଚାଷୀ । ଭଦ୍ରକ ଚାନ୍ଦବାଲି ମୁଖ୍ୟ ରାସ୍ତା ଚାରିତରଫ ନିକଟରେ ଚାଷୀ ମାନେ ଧାନ ବସ୍ତା ରାସ୍ତା ମଝିରେ ରଖି ରାଜପଥକୁ ଅବରୋଧ କରିଛନ୍ତି । ଫଳରେ ଦୀର୍ଘ ସମୟ ଧରି ଯାତାୟାତ ଠପ୍ ହୋଇପଡିଛି । ରାସ୍ତାର ଦୁଇ ପଟେ ଗାଡି ଲମ୍ବା ଲାଇନ୍ ଲାଗି ରହିଥିବା ଦେଖିବାକୁ ମିଳିଛି ।ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗଦି ଚାରିତରଫ ସେବା ସମବାୟ ସମିତି ମାଧ୍ୟମରେ ଚାଷୀ ମାନେ ମଣ୍ଡିକୁ ଧାନ ଆଣିଥିଲେ । କିନ୍ତୁ କିଛି ଦିନ ଧରି ଧାନ ଉଠା ହେଉନଥିବାରୁ ଚାଷୀ ମାନେ ଭାରି ସମସ୍ୟାରେ ପଡ଼ିଛନ୍ତି । ବର୍ଷା ଓ ଖୋଲା ଆକାଶ ତଳେ ଧାନ ବସ୍ତା ପଡ଼ି ରହିବାରୁ ଧାନ ନଷ୍ଟ ହେବାର ଆଶଙ୍କା ବଢ଼ିଛି ।










