ଗଞ୍ଜାମ: ଗଞ୍ଜାମ ସୋରଡା ଥାନା ବଡଗୋଛା ଗାଁରେ ଅଗ୍ନିକାଣ୍ଡ। ହରିଜନ ସାହିରେ ଲାଗିଗଲା ନିଆଁ। ହୁତହୁତ ହୋଇ ଜଳିଗଲା ୨୦ ବଖରା ଘର। ଜଳି ପୋଡ଼ି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତି । ଅଗ୍ନିକାଣ୍ଡର କାରଣ ଜଣାପଡିନି । ସର୍ଟ ସର୍କିଟରୁ ନିଆଁ ଲାଗିଥିବାର ଅନୁମାନ କରାଯାଉଛି। ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ଚେଷ୍ଟା କରି ବିଫଳ ହେବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।ଅନ୍ୟପଟେ ପୂର୍ବ ଶତ୍ରୁତାରୁ ପଡ଼ୋଶୀ ଘରେ ନିଆଁ ଲଗାଇଦେଲେ ଯୁବକ । କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ବଡ଼ୱାୟ ଉବରାଇ ଗ୍ରାମରେ ଅଘଟଣ । ଗୁରୁବାର ବିଳମ୍ବିତ ରାତିରେ ଗଗନ ବିହାରୀ ପାତ୍ରଙ୍କ ଚାଳଘରେ ସେହି ଗ୍ରାମର ରାଘବ ପାତ୍ରଙ୍କ ପୁଅ ରାଜୁ ପାତ୍ର ନିଆଁ ଲଗାଇ ଦେଇଥିବା ନେଇ ଅଭିଯୋଗ ହୋଇଛି । ଅଗ୍ନିକାଣ୍ଡରେ ଘରେ ଥିବା ଧାନ, ଚାଉଳ, ବାହାରେ ଥିବା ଦୁଇଟି ବାଇକ୍ ଓ ଗୋଟିଏ ସାଇକେଲ ସମ୍ପୂର୍ଣ୍ଣ ଜଳିଯାଇଛି । ପୂର୍ବ ଶତ୍ରୁତା ପାଇଁ ଯୁବକ ଜଣକ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି । ସେପଟେ ପୁଲିସ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।










