ଭୁବନେଶ୍ୱର: ଯୁଦ୍ଧ ମଇଦାନ ପାଲଟିଗଲା ବିଜେବି କଲେଜ ହଷ୍ଟେଲ ପରିସର । ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଭୟଙ୍କର ସଂଘର୍ଷରେ ୨୫ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି । ବିଜେବି କଲେଜରେ ଅଶୋକ ହଷ୍ଟେଲ ଏବଂ ଆମ୍ବେଦକର ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଗୋଷ୍ଠୀ ସଂଘର୍ଷ । ଫେୟାରୱେଲ ଉତ୍ସବରେ ମ୍ୟୁଜିକ ବନ୍ଦକୁ ନେଇ ଆରମ୍ଭ ହୋଇଥିବା ବିବାଦ ପରେ ନେଲା ଭୟଙ୍କର ରୂପ । ଦୁଇ ପକ୍ଷ ମଧ୍ୟରେ ବୋତଲ, ଠେଙ୍ଗା ଏବଂ ପଥରରେ ଆକ୍ରମଣ ହୋଇଥିଲା । ଘଣ୍ଟାଏ ଧରି ହଷ୍ଟେଲ ପରିସରରେ ଚାଲିଥିଲା ପଥର ମାଡ ଯାହା ଦେଖି ଭୟଭୀତ ହୋଇପଡିଥିଲେ ଅନ୍ୟ ଛାତ୍ରମାନେ । ଏହି ସଂଘର୍ଷରେ ୨୫ରୁ ଅଧିକ ଛାତ୍ର ଆହତ ହୋଇଥିବା ବେଳେ ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ବିଷୟରେ ସୂଚନା ପାଇବା ମାତ୍ରେ, ବଡ଼ଗଡ଼ା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଘଟଣାସ୍ଥଳରେ ତିନି ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା। ଆହୁରି ଉତ୍ତେଜନାକୁ ରୋକିବା ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ କର୍ତ୍ତୃପକ୍ଷ ହଷ୍ଟେଲ କ୍ୟାମ୍ପସ ଭିତରେ ଏକ ଅସ୍ଥାୟୀ ଶିବିର ସ୍ଥାପନ କରିଛନ୍ତି।










