26.1 C
Bhubaneswar
Wednesday, March 11, 2026
Homeଓଡିଶାଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ

ଭୁବନେଶ୍ୱର :ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀମଣ୍ଡଳର ମିଳିତ ଆନୁକୂଲ୍ୟରେ ପଡ଼ିଗାଁଓ, ରାୟଗଡ଼, ଛତିଶଗଡ଼ ଠାରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ ହୋଇଯାଇଛି। ଆଜି ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଦିବସ ଅବସରରେ “ବିଛିନ୍ନାଞ୍ଚଳରେ ଓଡ଼ିଆ ଭାଷା ଓ ଶ୍ରୀ ଜଗନ୍ନାଥ ସଂସ୍କୃତି” ଶୀର୍ଷକକୁ ନେଇ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା। ଆଲୋଚନା ଚକ୍ରରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ରଶେଖର ହୋତା, ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଶରତ ଚନ୍ଦ୍ର ରଥ, ଶ୍ରୀ ପି. କେ ରାଉତ, ଉତ୍କଳ ବିଶ୍ୱ ବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ସହକାରୀ ପ୍ରଫେସର ଡ଼. ରମେଶ ଚନ୍ଦ୍ର ମଲ୍ଲିକ, ସାହିତ୍ୟିକା ଡ଼. ଆରତି କର, ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀମଣ୍ଡଳର ସଭାପତି ଶ୍ରୀ ସୀତାବଲ୍ଳଭ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। “ଆମ ଭାଷା ହେଉଛି ଆମ ପରିଚୟ। ଆମ ମାତୃଭାଷା ଓଡ଼ିଆ ମାଧ୍ୟମରେ ଆମେ ଆମ ମନର ଭାବନାକୁ ପରିପ୍ରକାଶ କରିଥାଉ। ଆମ ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରାପ୍ତ କରିଛି। ତେଣୁ ଆମ ଭାଷାର ସୁରକ୍ଷା ସହ ଏହାର ଯେପରି ବହୁଳ ପ୍ରଚାର ଓ ପ୍ରସାର ହୋଇପାରିବ ସେହି ଦିଗରେ ଆମେ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଉଚିତ”, ବୋଲି ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ମତପ୍ରକାଶ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଯୁବ ସାହିତ୍ୟିକମାନେ ଓଡ଼ିଆ ଭାଷାରେ କବିତା ପାଠ କରିଥିଲେ। ପଡ଼ିଗାଁଓ ଅଞ୍ଚଳର ଓଡ଼ିଆ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରଶଂସାପତ୍ର ବଣ୍ଟାଯିବା ସହ ଶିଶୁମାନଙ୍କ ମଧ୍ୟରେ ବର୍ଣ୍ଣବୋଧ ବଣ୍ଟନ କରାଯାଇଥିଲା। ଏଥିସହ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଝୁମୁକା ଫାଉଣ୍ଡେସନ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଆଜି ଭୁବନେଶ୍ୱର ଗୀତଗୋବିନ୍ଦ ସଦନ ଠାରେ “ମା’ ମାଟି ମାତୃଭାଷା” ଶୀର୍ଷକକୁ ନେଇ ଆଲୋଚନ ଚକ୍ର ଆୟୋଜନ ହୋଇଥିଲା। ରାଉରକେଲା ଠାରେ ମଧ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ସଭାରେ “ଶାସ୍ତ୍ରୀୟ ଓଡ଼ିଆ ଭାଷାର ଭିତ୍ତି ଓ ଭବିଷ୍ୟ”, “ଶାସ୍ତ୍ରୀୟ ଓଡ଼ିଆ ଭାଷା: ଜ୍ଞାନ-ବିଜ୍ଞାନ, ପ୍ରଯୁକ୍ତି-ନିଯୁକ୍ତିର ଭାଷା” ଆଦି ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking