ଭୁବନେଶ୍ୱର : ମୂଳରୁ କହିଥିଲୁ, ଆସନ୍ତା ରାଜ୍ୟସଭା ନିର୍ବାଚନରେ ଚତୁର୍ଥ ଆସନ ପାଇଁ ତିନି ଦଳମଧ୍ୟରୁ କାହାର ବି ଆବଶ୍ୟକ ସଂଖ୍ୟକ ବିଧାୟକ ନ ଥିବାରୁ ରାଜ୍ୟର ସ୍ବାର୍ଥ ଦୃଷ୍ଟିରୁ ଜଣେ ପ୍ରଖ୍ୟାତ ଓଡ଼ିଆଙ୍କୁ ମିଳିତ ପ୍ରାର୍ଥୀ କରାଯିବା ଦିଗରେ ପ୍ରୟାସ ହେବା ଆବଶ୍ୟକ। ଏ କଥା ମଧ୍ୟ କହିଥିଲୁ, ଯଦି ସେଭଳି ଜଣେ ପ୍ରାର୍ଥୀଙ୍କୁ କଂଗ୍ରେସ ପ୍ରାର୍ଥୀ କରେ, ସମଭାବାପନ୍ନ ଦଳ ଭାବେ ବିଜେଡି ସମର୍ଥନ କରିବା ଉଚିତ କିମ୍ବା ବିଜେଡି ସେଭଳି ପ୍ରାର୍ଥୀ ଦେଲେ କଂଗ୍ରେସ ସମର୍ଥନ କରିବାରେ ଅସୁବିଧା ରହିବନାହିଁ। ତିନି ଦଳ ମଧ୍ୟରୁ କାହାରି ବି ଆବଶ୍ୟକ ସଂଖ୍ୟା ନ ଥିବାରୁ ଚତୁର୍ଥ ପ୍ରାର୍ଥୀ ପାଇଁ ବ୍ୟାପକ ଘୋଡ଼ାବେପାର ହେବାର ଆଶଙ୍କା ରହୁଥିଲା। ବୁଝାମଣା ଜରିଆରେ ଏପରି ଆଶଙ୍କାକୁ ଦୂର କରାଯିବା ପାଇଁ ସ୍ବନାମଧନ୍ୟ ୟୁରୋଲଜି ବିଶଷଷଜ୍ଞ ପ୍ରଫେସର ଡା.ଦତ୍ତେଶ୍ବର ହୋତାଙ୍କ ପରି ଜଣେ ଯୋଗ୍ୟ ମିଳିତ ପ୍ରାର୍ଥୀ ଦିଆଯିବା ସ୍ବାଗତଯୋଗ୍ୟ ବୋଲି ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ କହିଛନ୍ତି। ନୂଆଦିଲ୍ଲୀ ଗସ୍ତ ଅବସରରେ ଏକ ପ୍ରେସ ବିବୃତ୍ତି ଜରିଆରେ ଶ୍ରୀ ଦାସ ଆହୁରି କହିଛନ୍ତି, ଘୋଡ଼ାବେପାର ରୋକିବା ପାଇଁ ତଥା ଏକ ସୁସ୍ଥ ରାଜନୈତିକ ପରମ୍ପରା ସୃଷ୍ଟି କରିବା ଦିଗରେ ପଦକ୍ଷେପ ସ୍ବରୁପ ଗତ ସୋମବାର ନବୀନବାବୁଙ୍କ ସହ ଏ ନେଇ ମୋର ଆଲୋଚନା ହୋଇଥିଲା। ସୁଖର କଥା, ଉଭୟ ଦଳ ପ୍ରସ୍ତୁତ କରିଥିବା ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ଡା.ହୋତାଙ୍କ ନାମ କମନ୍ ନାମ ଭାବେ ରହିଥିଲା। ତେଣୁ ସାଂପ୍ରତିକ ରାଜନୈତିକ ବାତାବରଣ ପରିପ୍ରକ୍ଷୀରେ ତାଙ୍କ ପରି ଜଣେ ବିଦ୍ବାନଙ୍କୁ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ମିଳିତ ପ୍ରାର୍ଥୀ କରାଯିବାରେ ଅସୁବିଧା ନାହିଁ। ମୂଳରୁ ଆମେ ଚାହିଥିବା ଅନୁସାରେ ଏକ ସୁସ୍ଥ ଗାଣତନ୍ତ୍ରିକ ବିଧିବ୍ୟବସ୍ଥା ଅନୁରୂପୀ ପଦକ୍ଷେପ ନେଇଥିବାରୁ ନବୀନବାବୁଙ୍କୁ ସାଧୁବାଦ ଜଣାଉଛି। ଡାକ୍ତର ହୋତାଙ୍କୁ ସମର୍ଥନ କେବଳ ସାଂପ୍ରତିକ ରାଜନୈତିକ ସମସ୍ୟାର ସମାଧାନ ପାଇଁ ଏକ ମିଳିତ ପଦକ୍ଷେପ। ଏହା ଦୁଇ ଦଳ ମଧ୍ୟରେ କୌଣସି ସ୍ଥାୟୀ ବୁଝାମଣା ନୁହେଁ ବୋଲି ଶ୍ରୀ ଦାସ ସ୍ପଷ୍ଟ କରିଦେଇଛନ୍ତି।











