ଭୁବନେଶ୍ୱର: ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଉପରେ ଉଦବେଗ ପ୍ରକାଶ କରିଛନ୍ତି । କିଛି ଦିନ ତଳେ ମହିଳାମାନଙ୍କ ପ୍ରତି ଘଟିଥିବା ଘଟଣାକୁ ଦୃଷ୍ଟିରେ ରଖି ନିଜ ଏକ୍ସ ହ୍ୟାଣ୍ଡଲରେ ଟ୍ୱିଟ କରି ପୋଷ୍ଟ କରିଛନ୍ତି ଯେ, ଆଉ କେତେ ଝଡ଼ିବ ନିରୀହ ଜୀବନ? ନାବାଳିକାଙ୍କଠୁ ନେଇ ଭିନ୍ନକ୍ଷମ ଯୁବତୀ କେହି ବି ନୁହେଁ ସୁରକ୍ଷିତ। ରାଜ୍ୟରେ ଚାଲିଛି ତ ଆଇନର ଶାସନ? ଅନୁଗୋଳର କଣିହାଁ, ସମ୍ବଲପୁରର କୁଚିଣ୍ଡା ଏବଂ ପାରାଦ୍ବୀପ ଅଞ୍ଚଳରୁ ଆସୁଥିବା ଦୁଷ୍କର୍ମର ଖବର ବିଚଳିତ କରିଦେଉଛି ବୋଲି କହିଛନ୍ତି ନବୀନ ।
ସବୁଆଡ଼େ ଅରାଜକତା, ସବୁଠି ଅସୁରକ୍ଷିତ ମା’ଭଉଣୀ।ଆହୁରି ପୋଷ୍ଟ କରିଛନ୍ତି ଯେ ନାରୀ ସୁରକ୍ଷା, ଆଇନଶୃଙ୍ଖଳା ନେଇ ସରକାର ଲମ୍ବା ଲମ୍ବା ଭାଷଣ ଦେଉଥିବା ବେଳେ ବାସ୍ତବ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ। ଦିନ ଦ୍ବିପ୍ରହରରେ ବି ଭୟର ବାତାବରଣ।ବାରମ୍ବାର ଦୁଷ୍କର୍ମ ପରି ହୀନ ଘଟଣା ଘଟୁଥିଲେ ବି ସରକାର କୌଣସି ଦୃଷ୍ଟାନ୍ତମୂଳକ, କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଅପରାଧୀଙ୍କ ସାହସ ବଢ଼ୁଛି।ସରକାର ନାରୀଙ୍କ ସୁରକ୍ଷା ନେଇ ସଚେତନତା ବ୍ୟାପକ କରିବା ଦିଗରେ ତତ୍ପର ହୁଅନ୍ତୁ, ରାଜ୍ୟରେ ଆଇନର ଶାସନ ବଜାୟ ରଖନ୍ତୁ।










