ଭୁବନେଶ୍ୱର: ରାଜ୍ୟରେ ଏପ୍ରିଲ ୧ ତାରିଖରୁ ଆରମ୍ଭ ହେବ ଏସଆଇଆର ପ୍ରକ୍ରିୟା । ଜାରି ରହିଛି ମ୍ୟାପିଂ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ସନ୍ଥଗୋପାଳନ ସୂଚନା ଦେଇଛନ୍ତି । ୨୦୦୨ ଏସଆଇଆର ତାଲିକାର ବିବରଣୀ ଯାଞ୍ଚ କରି ଜଣାଇବାକୁ ନିବେଦନ କରିଛନ୍ତି । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଇଲୋକ୍ଟ୍ରୋନିକ କ୍ଲିନ ହେବା ଦରକାର । ନିର୍ବାଚନ କମିଶନଙ୍କ ସଚିବ ପବନ ଦିୱାନ ୨୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କୁ ଚିଠି ଲେଖି ଏସ୍ଆଇଆର ସହ ଜଡିତ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ତୁରନ୍ତ ଶେଷ କରିବାକୁ କହିଛନ୍ତି । ଚିଠିରେ କୁହାଯାଇଛି ଯେ ଅବଶିଷ୍ଟ ୨୨ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏପ୍ରିଲରୁ ଏସ୍ଆଇଆର ଆରମ୍ଭ ହେବାର ସମ୍ଭାବନା ରହିଛି ।
ଏସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଅଛି ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ, ଦାଦ୍ରା ଓ ନଗର ହାବେଳି-ଡାମନ ଓ ଡିଉ, ହରିୟାଣା, ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର, ଝାଡଖଣ୍ଡ, କର୍ଣ୍ଣାଟକ, ଲଦାଖ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଦିଲ୍ଲୀ, ଓଡ଼ିଶା, ପଞ୍ଜାବ, ସିକ୍କିମ, ତ୍ରିପୁରା, ତେଲଙ୍ଗାନା ଓ ଉତ୍ତରାଖଣ୍ଡ। ଗତବର୍ଷ ଜୁନ ୨୪ରେ ନିର୍ବାଚନ କମିଶନ ସମଗ୍ର ଦେଶରେ ଏସ୍ଆଇଆର କରିବାକୁ କହିଥିଲେ । ତେବେ ପର୍ଯ୍ୟାୟକ୍ରମେ ଏହି ପ୍ରକ୍ରିୟା କରାଯିବ ବୋଲି ସୂଚନା ମଧ୍ୟ ଦେଇଥିଲେ । ପ୍ରଥମ ପର୍ଯ୍ୟାୟ ଜନଗଣନା ୨୦୨୭ ସହ ଏସବୁ ରାଜ୍ୟରେ ଏସ୍ଆଇଆର ପ୍ରକ୍ରିୟା କରାଯିବ ବୋଲି ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟ ଜନଗଣନାରେ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଗୃହ ତାଲିକା ପ୍ରସ୍ତୁତ ଓ ଘର ଗଣନା କାର୍ଯ୍ୟ କରାଯିବ । ତେବେ ଉଭୟ ପ୍ରକ୍ରିୟା ଏକସମୟରେ ଚାଲିଲେ ମଧ୍ୟ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ ବୋଲି କମିଶନ ଆଶା ରଖିଛନ୍ତି ।










