ଭୁବନେଶ୍ୱର: ରାଜଧାନୀ ହାଟ ମହାସଂଘ ତରଫରୁ ବିଏମସି କମିଶନରଙ୍କୁ ଚିଠି ଲେଖି ନିବେଦନ । ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଭୁବନେଶ୍ୱର ମହାନଗର ନିଗମକୁ ୟୁନିଟ-୧ ହାଟ ହସ୍ତାନ୍ତର ଥିବା ଉତ୍ତର ଏବଂ ପୂର୍ବ ଦିଗ ରାସ୍ତାକୁ ଜବର ଦଖଲ ମୁକ୍ତ ନିମନ୍ତେ ନିବେଦନ କରି କହିଛନ୍ତି, ୧ ନଂ ହାଟକୁ ୧୯୮୪ ମସିହାରେ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଭୁବନେଶ୍ୱର ମହାନଗର ନିଗମକୁ ଦାୟିତ୍ୱ ହସ୍ତାନ୍ତର ବେଳେ ଉତ୍ତର ପୂର୍ବ ଦିଗରେ ହାଟ ମଧ୍ୟକୁ ଯାତାୟତ ନିମନ୍ତେ ପ୍ରଶସ୍ତ ଥିଲା । କିନ୍ତୁ ସମୟକ୍ରମେ ଉକ୍ତ ରାସ୍ତା ଜବରଦଖଲ ହୋଇ ସଙ୍କୁଚିତ ହୋଇଯାଇଛି । ହାଟକୁ ସୁବିଧାରେ ଯାତାୟତ ନିମନ୍ତେ ଉତ୍ତର ଓ ପୂର୍ବ ଦିଗ ରାସ୍ତାକୁ ଜବର ଦଖଲ ମୁକ୍ତ ନିତାନ୍ତ ଆବଶ୍ୟକ । ରାଜଧାନୀ ହାଟ ମହାସଂଘ ନିବେଦନ କରିବା ସହ ହାଟର ସର୍ବାଙ୍ଗୀନ ଉନ୍ନତି ଏବଂ ଜନସାଧାରଣଙ୍କ ଉପକୃତ ନିମନ୍ତେ ୫ଟି ଦାବି ଉଲ୍ଲେଖ କରିଛନ୍ତି । ଉତ୍ତର ଦିଗରେ ୧ ନଂ ଗେଟରୁ ଓ ପୂର୍ବ ଦିଗର ୬ ନଂ ଓ ୭ ନଂ ଗେଟ ଯାଏଁ ରାସ୍ତାକୁ ସଂପୂର୍ଣ୍ଣ ଜବରଦଖଲ ମୁକ୍ତ କରାଯାଉ । ହାଟର ପାର୍କିଂ ନିମନ୍ତେ ମହିଳାଥାନାଠାରୁ କ୍ୟାପିଟାଲ ଥାନା ଏବଂ ଗଣେଶ ମଣ୍ଡପ ଯାଏଁ ଜାଗାକୁ ଜବର ଦଖଲ ମୁକ୍ତ କରାଯାଉ । ହାଟର ପାର୍କିଂ ବ୍ୟବସ୍ତାକୁ ମହାନଗର ନିଗମ ଦ୍ୱାରା ପରିଚାଳନା କରାଯାଉ । ଯଦି ମହାନଗର ନିଗମ ଦ୍ୱାରା ହାଟ ପାର୍କିଂକୁ ପରିଚାଳନା କରାଯିବ ତାହାହେଲେ ପୂର୍ବପରି ହାଟ ମହାସଂଘକୁ ଦାୟିତ୍ୱ ଦିଆଯାଉ । ଏଥି ସହ ମୁଖ୍ୟହାଟର ଚାରିପାଖ ରାସ୍ତାକୁ ଯାତାୟତ ନିମନ୍ତେ ଏବଂ ବିଏମସି ଓ ଫାୟାର ଗାଡି ଯାତାୟତ ନିମନ୍ତେ ୨୦ ଫୁଟ ଓସାର ରାସ୍ତା ରଖାଯାଉ । ଏବଂ ମହାନଗର ତରଫରୁ ସପ୍ତାହକୁ ଥରେ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଦ୍ୱାରା ତଦାରଖ କରାଯାଉ । ଯଦି ଉପରୋକ୍ତ ଦାବିଗୁଡି ଆସନ୍ତା ମାର୍ଚ୍ଚ ୧୫ ତାରିଖ ମଧ୍ୟରେ ପୂରଣ ନକରାଯାଏ ତାହାଲେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ରାଜଧାନୀ ହାଟ ମହାସଂଘ ହାଟ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେବ ।










