25.1 C
Bhubaneswar
Tuesday, February 17, 2026
Homeଓଡିଶାଗ୍ରୋଥ ଇଞ୍ଜିନ ହେବ ଓଡିଶା: ରାଜ୍ୟପାଳ

ଗ୍ରୋଥ ଇଞ୍ଜିନ ହେବ ଓଡିଶା: ରାଜ୍ୟପାଳ

ଭୁବନେଶ୍ୱର: ତ୍ୟାଗ ଓ ଆତ୍ମବିଶ୍ୱାସର ଭିତ୍ତି ଉପରେ ଦୃଢ଼ଭାବେ ଦଣ୍ଡାୟମାନ ଆଜିର ଓଡ଼ିଶା, ସ୍ୱୀକୃତି ପାଇବାକୁ ଆଉ ଅପେକ୍ଷାରତ ନୁହେଁ, ବରଂ ଉନ୍ନତି କରିବାକୁ, ପ୍ରସ୍ଫୁଟିତ କରିବାକୁ ଏବଂ ବିକଶିତ ଭାରତର ଅଭିବୃଦ୍ଧିର ଇଞ୍ଜିନ ଭାବରେ ନେତୃତ୍ୱ ନେବାକୁ ପ୍ରସ୍ତୁତ ହୋଇଛି । ରାଜ୍ୟ ଯେତେବେଳେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଏକଶତବର୍ଷ ପୂରଣ କରିବ, ସେତେବେଳେ ଏହାକୁ ଗୌରବ, ସମୃଦ୍ଧି ଓ ସୁସ୍ପଷ୍ଟ ଉଦ୍ଦେଶ୍ୟବୋଧ ସହ ଦୃଢ଼ଭାବେ ଦଣ୍ଡାୟମାନ କରିବାକୁ ମୋ ସରକାର ପ୍ରତିବଦ୍ଧ । “ସମୃଦ୍ଧ ଓଡ଼ିଶା” ଦୃଷ୍ଟିକୋଣ ସାକାର କରିବାକୁ, ମୋ ସରକାର, ନବସୃଜନଶୀଳ ଅଭିବୃଦ୍ଧିକୁ ଅବ୍ୟାହତ ରଖିବା, ସମାବେଶୀ ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରିବା, ପ୍ରତ୍ୟେକ ନାଗରିକ ପାଇଁ ସୁଯୋଗ ସୃଷ୍ଟି କରିବା, କୃଷି ଓ ଶିଳ୍ପକୁ ସଶକ୍ତ କରିବା, ଶିକ୍ଷା ଓ ସ୍ୱାସ୍ଥ୍ୟ ମାଧ୍ୟମରେ ଜୀବନମାନ ଉନ୍ନତ କରିବା, ସବୁଜ ବିକାଶକୁ ପ୍ରୋତ୍ସାନ, ସଂଯୋଗତା ବୃଦ୍ଧି, ଲୋକଶକ୍ତିକୁ ସକ୍ରିୟ କରିବା ଏବଂ ନ୍ୟାୟସଂଗତ ସମୃଦ୍ଧି ହାସଲ କରିବାକୁ ସଂକଳ୍ପବଦ୍ଧ ।
୨୦୩୬ ଓ ୨୦୪୭କୁ ଦୃଷ୍ଟିରେ ରଖି ମୋ ସରକାର ଏକ ବିସ୍ତୃତ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିଛନ୍ତି, ଯାହାକି ଭାରତର ଶତବାର୍ଷିକୀ ରୋଡମ୍ୟାପ ସହିତ ସମ୍ବନ୍ୱିତ ଏବଂ ନାଗରିକ ଓ ଅଂଶୀଦାରମାନଙ୍କ ସହିତ ବ୍ୟାପକ ପରାମର୍ଶ ମାଧ୍ୟମରେ ବିକଶିତ କରାଯାଇଛି । ଏହି ଡକ୍ୟୁମେଣ୍ଟକୁ ମାନ୍ୟବର ପ୍ରଧାନମନ୍ତ୍ରୀ ୨୦ ଜୁନ ୨୦୨୫ରେ ଉନ୍ମୋଚନ କରିଥିଲେ, ଯାହା ଏକ ସୁସଂଗଠିତ ଦୀର୍ଘମିଆଦି ଭିଜନ ଢାଞ୍ଚା ଥିବା ରାଜ୍ୟଭାବେ ଓଡ଼ିଶାକୁ ଦେଶର ୩ଟି ରାଜ୍ୟ ମଧ୍ୟରେ ସ୍ଥାନିତ କରାଇଛି ।

୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିଅନ ଆମେରିକୀୟ ଡଲାର ଅର୍ଥନୀତି ଏବଂ ୨୦୨୭ ସୁଦ୍ଧା ୧.୫ ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥନୀତିରେ ପରିଣତ କରିବାକୁ ଏହି ଭିଜନ ଲକ୍ଷ୍ୟ ରଖିଛି । ଏହା ଜାତୀୟ ମୋଟ ଘରୋଇ ଉତ୍ପାଦରେ ରାଜ୍ୟର ଅବଦାନକୁ ୩ରୁ ୫%କୁ ବୃଦ୍ଧି କରିବା ସହିତ ନିବେଶ, କାର୍ଯ୍ୟାନ୍ୱୟନ ଏବଂ ପ୍ରଯୁକ୍ତି ଅନୁପ୍ରୋୟଗରେ ସୁଧାର ମାଧ୍ୟମରେ ସାଧାରଣ ବାର୍ଷିକ ବୃଦ୍ଧିହାରକୁ ୭ରୁ ୯.୫%କୁ ବୃଦ୍ଧି କରିବାକୁ ଉଦ୍ଦେଶ୍ୟ ରଖିଛି । ସେହିପରି, ୨୦୪୭ ସୁଦ୍ଧା ମୁଣ୍ଡପିଛା ଆୟକୁ ୧.୮ ଲକ୍ଷ ଟଙ୍କାରୁ ୩୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ଜୀବନଧାରଣ ମାନକୁ ସୁଧାରିବା, ବହୁମୁଖୀ ଦାରିଦ୍ର‌୍ୟକୁ ୫%କୁ କମାଇବା, ଆୟୁ ସୀମାକୁ ୮୦ ବର୍ଷରୁ ଅଧିକ କରିବା ଏବଂ ରକ୍ତହୀନତା ଓ ପୌଷ୍ଟିକ ଅଭାବକୁ ନିରାକରଣ କରିବା ଲକ୍ଷ୍ୟ ରଖାଯାଇଛି ।ପ୍ରାୟ ୮୩୦୮ କୋଟି ଟଙ୍କା ବିନିଯୋଗରେ ୬ ଲେନ ପ୍ରବେଶ-ନିୟନ୍ତ୍ରିତ ଗ୍ରୀନଫିଲ୍ଡ କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ(ଭୁବନେଶ୍ୱର ବାଇପାସ୍‌) ନିର୍ମାଣ ପାଇଁ ସବୁଜ ସଙ୍କେତ, ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧାରେ ଯାନବାହାନ ଭିଡ଼ କମାଇବା ସହିତ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବାରେ ସାହାଯ୍ୟ କରିବ ।ଭିତ୍ତିଭୂମି କେବଳ କଂକ୍ରିଟ ଓ ଇସ୍ପାତ ନୁହେଁ-ଏହା, ସମୃଦ୍ଧ ଓଡ଼ିଶା ୨୦୨୬ ପାଇଁ ପ୍ରତ୍ୟେକ ସ୍ୱପ୍ନର ନୀରବ ସମର୍ଥକ । ରାଜପଥ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ଆଇନ-୨୦୨୫ ପ୍ରଣୟନ କରାଯାଇଛି । ସ୍ୱଚ୍ଛ ଭାରତ ମିଶନ(ସହର) ୨.୦ ଅଧୀନରେ ବିକେନ୍ଦ୍ରୀକୃତ “ବର୍ଜ୍ୟରୁ ସମ୍ପଦ” ପଦ୍ଧତି ଗ୍ରହଣ କରି “ଆବର୍ଜନା ମୁକ୍ତ” ଓଡ଼ିଶା ଦୃଷ୍ଟିକୋଣକୁ ତ୍ୱରାନ୍ୱିତ କରାଯାଇଛି ।

ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ ୧୦୬ଟି ସହରାଞ୍ଚଳ ଜଳାଶୟର ପୁନଃରୁଦ୍ଧାର ଓ ୨୪୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ସକ୍ରିୟ ସହଭାଗୀତାରେ ୩୮୦୦ ବୃକ୍ଷଚାରା ରୋପଣ ମାଧ୍ୟମରେ ସ୍ଥାୟୀ ସହରୀ ଉନ୍ନୟନରେ ଉତ୍କୃଷ୍ଟ ପ୍ରଗତି ହୋଇଛି । ଅମୃତ-୨.୦ ଅଧୀନରେ ଓଡ଼ିଶା ଜାତୀୟ ରାଙ୍କିଂ ମାନ୍ୟତାରେ ଶୀର୍ଷ ସ୍ଥାନ ପାଇଛି । ଓଡ଼ିଶା ଯାତ୍ରୀ ପ୍ଲାଟଫର୍ମର କମିଶନ-ଭୁକ୍ତ ଆୟ ମଡେଲ ଏବଂ କାର୍ଯ୍ୟକ୍ଷମ ଉତ୍କର୍ଷ ପାଇଁ ଓଡ଼ିଶକୁ ୨୦୨୫ ମସିହାରେ ୧୮ତମ ଅର୍ବାନ ମୋବିଲିଟି ଇଣ୍ଡିଆ ପୁରସ୍କାର ଏବଂ ଜାତୀୟ ପବ୍ଲିକ ବସ ପରିବହନ ଉତ୍କର୍ଷତା ପୁରସ୍କାର ମିଳିଛି । ସମସ୍ତ ନାଗରିକଙ୍କ ପାଇଁ ୨୪.. ୭ ନିର୍ଭରଯୋଗ୍ୟ ଓ ଉଚ୍ଚମାନର ବିଦ୍ୟୁତ ସୁନିଶ୍ଚିତ କରିଛି ଏବଂ ୨୦୨୫ ମସିହାରେ ୬,୨୪୨ ମେଗାୱାଟର ସର୍ବାଧିକ ଚାହିଦାକୁ ସଫଳତାର ସହ ପୂରଣ କରିଛି । ୨୦୩୦ ସୁଦ୍ଧା ସୌର, ବାୟୁ ଏବଂ ଉନ୍ନତ ଶକ୍ତି ସଞ୍ଚୟ ସମାଧାନ ମାଧ୍ୟମରେ ୧୦ ଗିଗାୱାଟ ପୁନଃ ନବୀକରଣୀୟ କ୍ଷମତା ସ୍ଥାପନା ସମ୍ମିଳିତ ଅଛି । ୨୪ଟି ସରକାରୀ ଉଦ୍ୟୋଗ ଲାଭ କରୁଛନ୍ତି ଏବଂ ୯ଟି ସରକାରୀ ଉଦ୍ୟୋଗ ୨୦୨୪-୨୫ ଆର୍ଥିକ ବର୍ଷରେ ୮,୩୮୫ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିଛନ୍ତି । ‘ଭୋକାଲ୍ ଫର୍ ଲୋକାଲ୍‌’ ଏବଂ ‘ଆତ୍ମନିର୍ଭର ଭାରତ’ର ଆହ୍ୱାନରେ ପ୍ରେରିତ ହୋଇ, ମୋ ସରକାର ଓଡ଼ିଶାକୁ ପ୍ରତିଯୋଗିତାମୂଳକ ଉତ୍ପାଦନ ଓ ଉଦ୍ୟମ କେନ୍ଦ୍ରରେ ପରିଣତ କରୁଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷରେ ଦେଶରେ ମୋଟ ଲୁହାପଥର ଉତ୍ପାଦନର ୬୧%ରୁ ଅଧିକ ଅବଦାନ ରଖିଛି । ଦେଶରେ ଇସ୍ପାତ ଓ ଷ୍ଟେନଲେସ ଷ୍ଟିଲ ଉତ୍ପାଦନରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି । ୨୦୩୦ ସୁଦ୍ଧା ୩୦୦ ନିୟୁତ ଟନ ଜାତୀୟ ଲକ୍ଷ୍ୟ ପୂରଣ ପାଇଁ ୧୦୦ ନିୟୁତ ଟନ ଇସ୍ପାତ ଯୋଗାଇବାକୁ ଓଡ଼ିଶା ନିଜକୁ ପ୍ରସ୍ତୁତ ରଖିଛି । ୨୦୨୫ ମସିହାରେ ଓଡ଼ିଶାର ଶିଳ୍ପାୟନ କ୍ଷମତାକୁ ନିର୍ଣ୍ଣାୟକ ଭାବରେ ପ୍ରଦର୍ଶନ କରିଛି, ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ସହିତ ୮୫ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଛି ।

ଓଡ଼ିଶା ମୋଟ ୭.୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ଆଗ୍ରହକୁ ଆକର୍ଷିତ କରିଛି । ଏହି ସମୟ ମଧ୍ୟରେ, ମୋ ସରକାର ୭.୧ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ସମ୍ଭାବନା ଏବଂ ୪.୬୫ ଲକ୍ଷରୁ ଅଧିକ ନିଯୁକ୍ତି ସମ୍ଭାବନା ସହିତ ୩୪୩ଟି ବୃହତ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରିଛି ।ମୋ ସରକାର ଡିସେମ୍ବର ୨୦୨୫ ସୁଦ୍ଧା ୧୨.୭୨ ଲକ୍ଷ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗକୁ ଉଦ୍ୟମ ପୋର୍ଟାଲ ଅଧୀନରେ ପଞ୍ଜିକୃତ କରିଛନ୍ତି । ଏଥିରେ ୧୨.୬୧ ଲକ୍ଷ ସୂକ୍ଷ୍ମ, ୯୯୫୯ କ୍ଷୁଦ୍ର ଓ ୬୦୧ ମଧ୍ୟମ ଉଦ୍ୟମ ସାମିଲ ହୋଇଛନ୍ତି । ଡିସେମ୍ବର ୨୦୨୫ ସୁଦ୍ଧା ରାଜ୍ୟରେ ୧୬୪୯.୫୧ କୋଟି ଟଙ୍କାର ୨୩୮ଟି ପୁଞ୍ଜିନିବେଶ ପ୍ରସ୍ତାବ ଡିଏଲଏସଡବ୍ଲ୍ୟୁସିଏ ଦ୍ୱାରା ଅନୁମୋଦିତ ହୋଇଛି । ଏମଏସଏମଇ ବିକାଶ ନୀତି ଅଧୀନରେ ୭୪ଟି ଏମଏସଏମଇ ୧୫.୫୧ କୋଟି ଟଙ୍କା ପାଇଛନ୍ତି । ଏବଂ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି ଅଧୀନରେ ୨୧ଟି ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗକୁ ୭.୬୦ କୋଟି ଟଙ୍କା ମଞ୍ଜୁର ଓ ପ୍ରଦାନ କରିଛନ୍ତି । ୨୦୨୫-୨୬ ଆର୍ଥିକ ବର୍ଷରେ ରାଜ୍ୟର ରପ୍ତାନି କାରବାର, ୫୦୯୧୩ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ଶୁଭାରମ୍ଭ କରି ଓଡ଼ିଶାର ପ୍ରାଥମିକ ଶିକ୍ଷାର ଇତିହାସରେ ସୁବର୍ଣ୍ଣ ଅଧ୍ୟାୟ ଯୋଡ଼ିଛନ୍ତି ।ପ୍ରଥମ ପର୍ଯ୍ୟାୟରେ, ୨୦୨୫-୨୬ରୁ ୨୦୨୮-୨୯ ପର୍ଯ୍ୟନ୍ତ ଚାରି ବର୍ଷରେ ୨୨୦୦ଟି ବିଦ୍ୟାଳୟ ପାଇଁ ୧୨୦୦୦କୋଟି ଟଙ୍କା ବ୍ୟୟ ହେବ । ୨୦୨୫-୨୬ ଶିକ୍ଷା ବର୍ଷରେ ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ‘ଶିଶୁ ବାଟିକା’ ନାମରେ ୪୫ ହଜାରରୁ ଅଧିକ ପ୍ରାକ-ପ୍ରାଥମିକ ଶ୍ରେଣୀ ଆରମ୍ଭ କରାଯାଇ, ପ୍ରଥମଥର ପାଇଁ ୫ରୁ ୬ବର୍ଷ ବୟସର ପ୍ରାୟ ୩.୨ ଲକ୍ଷ ଶିଶୁ ନାମ ଲେଖାଇଛନ୍ତି । ଜାନୁଆରୀ ୨୦୨୫ରେ ରାଜ୍ୟ, ସ୍ଥାନୀୟ ପ୍ରାସଙ୍ଗୀକରଣ ସହିତ ଜାତୀୟ ପାଠ୍ୟକ୍ରମ ଢାଞ୍ଚାକୁ ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା ଭାବରେ ଗ୍ରହଣ କରିଛି । ୨୦୨୬-୨୭ ଶିକ୍ଷାବର୍ଷରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ବିଦ୍ୟାଳୟରେ ଏହା କାର୍ଯ୍ୟକାରୀ ହେବ ।ମୋ ସରକାର ୧୭୬୫ଟି ବିଦ୍ୟାଳୟ ଏବଂ ୫୯୬୭ଟି ଛାତ୍ରାବାସ ମାଧ୍ୟମରେ ୫.୫୧ ଲକ୍ଷ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ ଆବାସିକ ବିଦ୍ୟାଳୟ ସୁବିଧା ଯୋଗାଇ ଦେଇ, ରାଜ୍ୟବ୍ୟାପୀ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ଏକ ସହାୟକ ଶୈକ୍ଷିକ ପରିବେଶ ସୁନିଶ୍ଚିତ କରିଛନ୍ତି ।ଜନଜାତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡ୍ରପ୍‌-ଆଉଟ୍ ହାର ହ୍ରାସ କରିବା ପାଇଁ, ମୋ ସରକାର ସହିଦ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା ମାଧ୍ୟମରେ ୨୦୨୫-୨୬ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ୭୬୦୭୫ ଜଣ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ୩୮ କୋଟି ଟଙ୍କା ମଞ୍ଜୁର କରିସାରିଛନ୍ତି ।ଉତ୍କର୍ଷ ଆଇଟିଆଇ ଯୋଜନା ୨୦୨୫-୨୬ରୁ ୨୦୨୭-୨୮ ତିନି ବର୍ଷ ଅବଧିରେ ମୋଟ ୫୦୦ କୋଟି ଟଙ୍କା ବ୍ୟୟ ସହିତ ୫ଟି ବିଦ୍ୟମାନ ଆଇଟିଆଇକୁ ଜୋନାଲ ଉତ୍କର୍ଷ ଆଇଟିଆଇଭାବେ ଉନ୍ନୀତ କରିବ ।ମୋ ସରକାର, ବିଜ୍ଞାନ ଭିତ୍ତିଭୂମି ଓ ସାର୍ବଜନିକ ବୈଜ୍ଞାନିକ ସହଭାଗିତାରେ ଗୁରୁତ୍ୱପୂର୍ଣ୍ଣ ନିବେଶ କରିଛନ୍ତି । ମୋ ସରକାର, ୧୭ଟି ଉପ-ଯୋଜନାକୁ ଅନ୍ତର୍ଭୁକ୍ତ କରି ୧୧୧୩.୫୦ କୋଟି ଟଙ୍କାର ମୋଟ ବ୍ୟୟ ଅଟକଳରେ ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ୫ ବର୍ଷ ମଧ୍ୟରେ ରାଜ୍ୟରେ ଜୈବପ୍ରଯୁକ୍ତି ଗବେଷଣା, ନବସୃଜନ ଓ ଉଦ୍ୟୋଗର ସୁଦୃଢ଼ୀକରଣ ପାଇଁ ଏକ ପ୍ରମୁଖ ନୀତିଗତ ପଦକ୍ଷେପ ‘ଜୈବପ୍ରଯୁକ୍ତି ବିକାଶ’ ଯୋଜନା ଗ୍ରହଣ କରିଛନ୍ତି ।

 

୨୦୨୫-୨୬ରେ, ‘ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶା’ ଲକ୍ଷ୍ୟରେ ଓଡ଼ିଶାର ସ୍ୱାସ୍ଥ୍ୟ କ୍ଷେତ୍ର, ଏକ ପରିବର୍ତ୍ତନକାରୀ ସମ୍ପ୍ରସାରଣ କରିଥିଲା । ମୋ ସରକାର, ପୂର୍ବବର୍ଷ ତୁଳନାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ୯% ବୃଦ୍ଧି ସହ ରେକର୍ଡ ୨୩୬୩୫ କୋଟି ଟଙ୍କା ପ୍ରାବଧାନ କରିଛନ୍ତି । ମୋ ସରକାର କଠୋର ପଦକ୍ଷେପ ସ୍ୱରୂପ ସମସ୍ତ ତମାଖୁ ଏବଂ ନିକୋଟିନ ଯୁକ୍ତ ପଦାର୍ଥର ଉତ୍ପାଦନ, ପ୍ରକ୍ରିୟାକରଣ, ପ୍ୟାକେଜିଂ, ସଂରକ୍ଷଣ, ପରିବହନ, ବଣ୍ଟନ ଓ ବିକ୍ରୟ ଉପରେ ସମ୍ପୂର୍ଣ୍ଣ ନିଷେଧ ଜାରି କରିଛନ୍ତି । ରାଜ୍ୟର ଖେଳାଳିମାନେ ଗତ କ୍ୟାଲେଣ୍ଡର ବର୍ଷରେ ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚରେ ଉଲ୍ଲେଖନୀୟ ପ୍ରଦର୍ଶନ କରି, ପ୍ରାୟ ୬୦୦ଟି ପଦକ ଜିତିଥିଲେ । ମୋ ସରକାର ମହିଳା ସଶକ୍ତିକରଣ, ସୁରକ୍ଷା ଏବଂ ମର୍ଯ୍ୟାଦାକୁ ସୁଦୃଢ଼ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ସୁଭଦ୍ରା ଅଧୀନରେ ଏପର୍ଯ୍ୟନ୍ତ ୧.୧୨ କୋଟିରୁ ଅଧିକ ଆବେଦନ ଗ୍ରହଣ କରାଯାଇଛି ଏବଂ ତିନୋଟି କିସ୍ତିରେ ୧ କୋଟିରୁ ଅଧିକ ହିତାଧିକାରୀଙ୍କୁ ସୁଭଦ୍ରା ସହାୟତା ରାଶି ବାବଦରେ ୧୫୦୦୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି ।୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨୦ ହଜାର କୋଟି ଟଙ୍କାର ବ୍ୟାଙ୍କ କ୍ରେଡିଟ ଲିଙ୍କେଜ ଲକ୍ଷ୍ୟ ରଖାଯାଇଛି ଏବଂ ଏ ପର୍ଯ୍ୟନ୍ତ ୧.୬୧ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ କରାଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ବର୍ତ୍ତମାନ ୧୯ଟି ସରକାରୀ ବିଭାଗର କାର୍ଯ୍ୟକଳାପରେ ନିୟୋଜିତ ଅଛନ୍ତି, ଯାହାକି ଗଭୀର ସାଂଗଠନିକ ସମନ୍ୱୟକୁ ପ୍ରତିଫଳିତ କରୁଛି । ୨୦୨୫-୨୬ ଆର୍ଥିକ ବର୍ଷରେ, ଏପର୍ଯ୍ୟନ୍ତ ୨ଲକ୍ଷରୁ ଅଧିକ ଏସଏଚଜିଙ୍କୁ ୨୨୮ କୋଟି ଟଙ୍କାର ସୁଧ ଫେରସ୍ତ କରାଯାଇଛି । ପ୍ରତ୍ୟେକ ଶିଶୁ ଆଗାମୀ କାଲିର ଭବିଷ୍ୟତ ;ତେଣୁ ମୋ ସରକାର ଏହାକୁ ସ୍ୱୀକାର କରନ୍ତି ଯେ ପ୍ରତ୍ୟେକ ଶିଶୁଙ୍କ ସୁରକ୍ଷା, ଶିକ୍ଷା ଓ ସଶକ୍ତିକରଣକୁ ଆଧାର କରି ଓଡିଶାର ୨୦୩୬ ଓ ୨୦୪୭ ଯାତ୍ରା ନିର୍ଭର କରେ ।୨୦୨୫-୨୬ ଆର୍ଥିକ ବର୍ଷରେ ୬ ବର୍ଷରୁ କମ ବୟସ୍କ ଶିଶୁ, ଗର୍ଭବତୀ ଓ ସ୍ତନ୍ୟପାନକାରୀ ମା ଓ କିଶୋରୀ କନ୍ୟାମାନଙ୍କ ସମତେ ପ୍ରାୟ ୪୭.୭୮ ଲକ୍ଷ ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ଓ ପୌଷ୍ଟିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ପରିବୂରକ ପୁଷ୍ଟିସାର କାର୍ଯ୍ୟକ୍ରମ(ଏସଏନପି), କିଶୋରୀ ବାଳିକା ଯୋଜନା(ଏସଏଜି) ଏବଂ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା(ଏମଏସପିୱାଇ) ଅଧୀନରେ ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଇଛି । ମମତା ଯୋଜନାରେ ୬୮.୪୨ ଲକ୍ଷ ଗର୍ଭବତୀ ଓ ସ୍ତନ୍ୟପାନକାରୀ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୩୭୬୭ କୋଟି ଟଙ୍କା ସ୍ଥାନାନ୍ତର କରାଯାଇଛି ।

ସମୃଦ୍ଧ କୃଷକ ଯୋଜନାରେ କ୍ୱିଣ୍ଟାଲ ପିଛା ୩୧୦୦ଟଙ୍କା ମୂଲ୍ୟରେ ଧାନ କ୍ରୟ ପାଇଁ ୬୦୦କୋଟି ଟଙ୍କା ଏବଂ ସିଏମ-କିଷାନ ଯୋଜନାରେ, ଆୟ ବୃଦ୍ଧି ଓ ଚାଷର ବିବିଧତା ପାଇଁ ୨୦୨୦ କୋଟି ଟଙ୍କା ବ୍ୟୟ କରାଯିବା ଫଳରେ ଚାଷ ସହିତ ଜଡ଼ିତ ପରିବାରର ମୁଣ୍ଡ ପିଛା ଆୟ ଯଥେଷ୍ଟ ବୃଦ୍ଧି ପାଇଛି । ମୋ ସରକାର ପୂର୍ବ ସମସ୍ତ ରେକର୍ଡକୁ ଅତିକ୍ରମ କରି, ୨୦୨୪-୨୫ରେ ୧୫୦.୪୮ ଲକ୍ଷ ମେଟ୍ରିକ ଟନ ଫସଲ ଉତ୍ପାଦନ ହାସଲ କରିଛି । ସିଏମ-କିଷାନ ଯୋଜନା ଅଧୀନରେ ୨୯୯୧ କୋଟି ଟଙ୍କାରୁ ଅଧିକ ଋଣ ବଣ୍ଟନ କରାଯାଇଛି, ଯାହା ଦ୍ୱାରା ୩୨୩୬ ଜଣ ପିଭିଟିଜି ଚାଷୀ ଓ ୩୧୬୯୫ ଜଣ ସହରାଞ୍ଚଳ ଚାଷୀ ସମେତ ୫୧.୫୪ ଲକ୍ଷରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି । କୃଷି ଯାନ୍ତ୍ରିକୀକରଣକୁ ପ୍ରାଥମିକତା ଦେଇ ୨୦୨୬ ସୁଦ୍ଧା ୩.୫୦ କିଲୋୱାଟ/ହେକ୍ଟର ଲକ୍ଷ୍ୟ ଏବଂ ୨୦୪୭ ସୁଦ୍ଧା ୪.୫୦ କିଲୋୱାଟ/ହେକ୍ଟରର ଦୃଷ୍ଟିକୋଣ ରହିଛି ।ମୋ ସରକାର, ସେପ୍ଟେମ୍ବରରୁ ନଭେମ୍ବର ୨୦୨୫ ତିନି ମାସ ଅବଧି ମଧ୍ୟରେ ଏନ୍‌ଏଫ୍‌ଏସ୍‌ଏ ଅଧୀନରେ ୯୬.୪୮ ଲକ୍ଷ ପରିବାର ଏବଂ ଏସ୍‌ଏଫ୍‌ଏସ୍‌ଏସ୍ ଅଧୀନରେ ୧.୩୮ ଲକ୍ଷ ପରିବାରକୁ ପ୍ରତି କାର୍ଡରେ ମାସିକ ୫ କେଜି ଅତିରିକ୍ତ ପୁଷ୍ଟିସାର ଯୁକ୍ତ ଚାଉଳ ଯୋଗାଇ ଦେଉଛନ୍ତି । ନୂତନ ରାସନକାର୍ଡ ପାଇଁ ସାରା ରାଜ୍ୟରେ ୧୫ ଲକ୍ଷ ଆବେଦନ ଗ୍ରହଣ କରାଯାଇଛି ଏବଂ ମୋ ସରକାର ଏସ୍‌ଏଫ୍‌ଏସ୍‌ଏସ୍ ଅଧୀନରେ ଗ୍ରାମାଞ୍ଚଳ ପାଇଁ ୧୩.୫୦ ଲକ୍ଷ ହିତାଧିକାରୀ ଏବଂ ସହରାଞ୍ଚଳ ପାଇଁ ୧.୫୦ ଲକ୍ଷ ହିତାଧିକାରୀଙ୍କ ନିର୍ଦ୍ଧାରଣ କରିଛନ୍ତି । ସଂଗୃହୀତ ଧାନରୁ ଚାଉଳ ଉତ୍ପାଦନ ୨୦୨୪-୨୫ ଖରିଫ ଋତୁରେ ୬୨.୮୫ ଲକ୍ଷ ମେଟ୍ରିକ ଟନକୁ ପହଞ୍ଚିଛି ।

ଏମଏମଏସୱାଇ-ନୂତନ ସଂଯୋଗୀକରଣ ଅଧନରେ ଡିସେମ୍ବର ୨୦୨୫ ସୁଦ୍ଧା ଧାର୍ଯ୍ୟଲକ୍ଷ୍ୟ ୩୬୩.୩୬ କିଲୋମିଟର ରାସ୍ତା ମଧ୍ୟରୁ ୧୫୯.୨୨ କିଲୋମିଟର ରାସ୍ତା ନିର୍ମାଣ ହୋଇଛି, ଏବଂ ଚଳିତ ବର୍ଷ ୨୭୧୧.୬୫ କିମି ଦୈର୍ଘ୍ୟ ବିଶିଷ୍ଟ ୬୪୮ ରାସ୍ତା ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ୨୦୨୫-୨୬ ଆର୍ଥିକ ବର୍ଷରେ ଏକ ନୂତନ ଯୋଜନା ଏମଏମଏସୱାଇ-ବିପର୍ଯ୍ୟୟ ପ୍ରତିରୋଧୀ ରାସ୍ତା(ଡିଆରଆର) ମଧ୍ୟ ପ୍ରବର୍ତ୍ତନ କରିଛନ୍ତି,ଯାହା ଅଧୀନରେ ବାତ୍ୟା, ବନ୍ୟା ଓ ପ୍ରବଳ ବର୍ଷା ପ୍ରତି ସ୍ଥିରତା ବୃଦ୍ଧି କରିବା ପାଇଁ ୪୭୫.୫୯ କିମି ଲମ୍ବ ବିଶିଷ୍ଟ ୭୯ଟି ରାସ୍ତା ପ୍ରକଳ୍ପ ଅନୁମୋଦନ କରାଯାଇଛି । ୨୦୨୫-୨୬ ଆର୍ଥିକ ବର୍ଷରେ ୩୯ଟି ସେତୁ-ତଥା-ଆଡ଼ିବନ୍ଧ ପ୍ରକଳ୍ପ ଅନୁମୋଦନ କରାଯାଇଛି । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଧାର୍ଯ୍ୟଲକ୍ଷ୍ୟ ୧୪୨.୮୭ କିଲୋମିଟର ମଧ୍ୟରୁ ଡିସେମ୍ବର ୨୦୨୫ ସୁଦ୍ଧା ୨୦.୦୮ କିମି ରାସ୍ତା ସମ୍ପୂର୍ଣ୍ଣ ହୋଇଛି ।ସମସ୍ତ ଗ୍ରାମୀଣ ବସତିକୁ ସୁରକ୍ଷିତ ପାନୀୟ ଜଳ ପ୍ରଦାନ କରିବା ମୋ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ରହିଛି ଏବଂ ୨୦୨୭ ସୁଦ୍ଧା ସମସ୍ତ ଘରକୁ କାର୍ଯ୍ୟକ୍ଷମ ଘରୋଇ ଟ୍ୟାପ ସଂଯୋଗ(ଏଫଏଚଟିସି) ସୁନିଶ୍ଚିତ କରିବା ଲକ୍ଷ୍ୟ ରହିଛି । ୧ ଏପ୍ରିଲ ୨୦୨୧ରୁ ୧୫ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଜନଶୁଣାଣୀ ପୋର୍ଟାଲରେ ଗ୍ରହଣ କରାଯାଇଥିବା ମୋଟ ୧୪.୮୮ ଲକ୍ଷ ଅଭିଯୋଗ ମଧ୍ୟରୁ ୧୩.୫୬ ଲକ୍ଷ ଅଭିଯୋଗର ସମାଧାନ କରାଯାଇଛି । ଓଡ଼ିଶା ଲୋକାୟୁକ୍ତ ଆଇନ-୨୦୧୪ ଅଧୀନରେ ୬୫୦୭ ମାମଲା ମଧ୍ୟରୁ ୫୭୨୨ ମାମଲାର ସମାଧାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ୧ ଜୁନ ୨୦୨୪ରୁ ୧୫ ଡିସେମ୍ବର ୨୦୨୫ ମଧ୍ୟରେ ଗ୍ରହଣ କରଯାଇଥିବା ୧୩୩୫୮ଟି ଅଭିଯୋଗ ମଧ୍ୟରୁ ୧୨୫୯୨ଟିର ସମାଧାନ କରାଯାଇଥିଲା, ଯାହା ୯୪% ସମାଧାନ ହାର ହାସଲ କରିଥିଲା ।

ମଇ ୨୦୨୫ରେ ହୋଇଥିବା ଅଦିନିଆ ବର୍ଷା ୧୦୬୦୧ ହେକ୍ଟର ଜମିରେ ଧାନ ଫସଲ କ୍ଷତିଗ୍ରସ୍ତ କରିଥିଲା, ଯାହା ପାଇଁ ପ୍ରଭାବିତ ଚାଷୀମାନଙ୍କୁ ୧୭.୭୭ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା । ମୋ ସରକାର ୨୦୦ କୋଟି ଟଙ୍କାର ଏକ କର୍ପସ ପାଣ୍ଠି ଗଠନ କରିବାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି, ଯେଉଁଥିରୁ ମିଳୁଥିବା ସୁଧକୁ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସାଂସ୍କୃତିକ ଐତିହ୍ୟର ବ୍ୟବସ୍ଥିତ ସଂରକ୍ଷଣ, ପ୍ରୋତ୍ସାହନ ଏବଂ ବିକାଶ ପାଇଁ ବ୍ୟବହାର କରାଯାଉଛି ।ଆମର ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ, ଆମ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଏବଂ ଲୋକଙ୍କ ବିଶ୍ୱାସ ସହିତ ମୋ ସରକାର ଏକ ସମୃଦ୍ଧ, ସଶକ୍ତ ଏବଂ ସମାବେଶୀ ଓଡ଼ିଶା ନିର୍ମାଣ କରୁଛି । ଯେଉଁଠାରେ ଅଭିବୃଦ୍ଧି, ସହାନୁଭୂତି ବହନ କରେ ଏବଂ ବିକାଶ ମର୍ଯ୍ୟାଦା ପ୍ରଦାନ କରେ । ଭିଜନ ୨୦୩୬ ଆଡ଼କୁ ଆଗେଇ ଯାଇଥିବା ଆମର ଯାତ୍ରା, ଲୋକଙ୍କ ଆତ୍ମବିଶ୍ୱାସ ଦ୍ୱାରା ପରିଚାଳିତ, ଅନୁଷ୍ଠାନ ଦ୍ୱାରା ସଶକ୍ତ ଏବଂ ପ୍ରତ୍ୟେକ ଓଡ଼ିଆର ଭବିଷ୍ୟତ ଦ୍ୱାରା ପ୍ରେରିତ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking