ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଇଷ୍ଟ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିର ପରିସରରେ ଉଠିଲା ମହାଦୀପ । ହୁଳହୁଳି, ହରିବୋଲରେ ପ୍ରକମ୍ପିତ ହେଉଛି ପୂରା ମନ୍ଦିର ପରିସର । ଏଥର ସଅଳ ଉଠିଛି ମହାଦୀପ, ଯାହା ଶିବଭକ୍ତ ତଥା ବ୍ରତଧାରୀଙ୍କୁ ନିରୋଳା ଆନନ୍ଦ ଦେଇଛି । ମହାଦୀପ ମନ୍ଦିର ଶିଖରକୁ ଉଠିବା ଆଗରୁ ଅନୁଷ୍ଠିତ ହୋଇଥିଲା ହରିହର ଭେଟ । ସ୍ୱତନ୍ତ୍ର ରୀତିନୀତି ସହ ଶ୍ରୀଲିଙ୍ଗରାଜଙ୍କ ସହ ଭେଟ ହୋଇଥିଲେ ଶ୍ରୀ ଅନନ୍ତ ବାସୁଦେବ। ଏହି ଦୁର୍ଲ୍ଲଭ ଦୃଶ୍ୟକୁ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ ସେଠାରେ ଦ୍ୱୀପ ପ୍ରଜ୍ୱଳନ କରୁଥିବା ହଜାର ହଜାର ଶ୍ରଦ୍ଧାଳୁ । ମନ୍ଦିରରେ ବାକି ଅଛି ଦୁଇ ପ୍ରହରର ନୀତି । ଆଜି ଶ୍ରୀ ଲିଙ୍ଗରାଜ ସାରା ସୃଷ୍ଟିକୁ ବୈରାଗ୍ୟର ବାର୍ତ୍ତା ଦେବେ । ନିଜେ ଯୋଗୀ ବେଶ ଧାରଣ କରିବେ । ଆଜି ସାରା ସୃଷ୍ଟିର କଲ୍ୟାଣ ପାଇଁ ମହାଦେବ ଧାରଣ କରିବେ ଏହି ବେଶ । ଆଜି ରାତି ୧୦ଟାରେ ମହାଦୀପ ଉଠିବାର ସୂଚନା ଥିଲେ ବି ୮ଟା ୪୦ ମିନିଟରେ ମହାଦୀପ ଉଠିଲା । ତେବେ ଗତ କିଛି ବର୍ଷ ଭିତରେ ଏତେ ଶୀଘ୍ର ମହାଦୀପ ଉଠିବା ସମସ୍ତଙ୍କୁ ଯେତିକି ଆଶ୍ଚର୍ଯ୍ୟ କରିଛି ସେତିକି ଖୁସି ବି କରିଛି ।










