ଅନୁଗୋଳ: ଅନୁଗୋଳ ଏନ୍ଟିପିସି ପ୍ଲାଣ୍ଟରେ ବଡ଼ ଅଘଟଣ । ବଙ୍କର ବ୍ଲାଷ୍ଟ ହୋଇ ୫ ଜଣ ଶ୍ରମିକ ଗୁରୁତର ଆହତ । କଣିହାଁସ୍ଥିତ ଏନ୍ଟିପିସି ପ୍ଲାଣ୍ଟର ୧ ନମ୍ବର ସିଏଚ୍ପି ବଙ୍କରରେ ବିସ୍ଫୋରଣ ହେବାରୁ ଏହି ଅଘଟଣ ଘଟିଛି । ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ସମୟରେ ପ୍ଲାଣ୍ଟରେ କାମ ଚାଲିଥିବା ବେଳେ ହଠାତ୍ ବଙ୍କର ବ୍ଲାଷ୍ଟ ହୋଇଥିଲା । ବିସ୍ଫୋରଣ ଯୋଗୁଁ ସେଠାରେ କାର୍ଯ୍ୟରତ ୫ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି ।ଅଘଟଣ ପରେ ଆହତ ଶ୍ରମିକମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଭିନ୍ନ ଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି । ୩ ଜଣ ଶ୍ରମିକ ଏନ୍ଟିପିସି ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ, ଅନ୍ୟ ୨ ଜଣଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ତେବେ ଏହି ଅଘଟଣକୁ ନେଇ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପ୍ଲାଣ୍ଟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । କେଉଁ କାରଣରୁ ବଙ୍କରରେ ବ୍ଲାଷ୍ଟ ହେଲା, ତାହା ଏବେ ତଦନ୍ତର ବିଷୟ । ଘଟଣାର ସଠିକ୍ କାରଣ ଜଣାପଡ଼ିବା ପରେ ହିଁ ଦୁର୍ଘଟଣା ପଛର ପ୍ରକୃତ ଚିତ୍ର ସ୍ପଷ୍ଟ ହେବ ।










