ଭୁବନେଶ୍ୱର: “ମୋ ପରିବାର ପାଇଁ ଏକ ପକ୍କାଘର ପାଇବା ସ୍ୱପ୍ନ ଥିଲା, ଯାହା ଆଜି ବାସ୍ତବରେ ପରିଣତ ହୋଇଛି।” କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ରାଜେନ୍ଦ୍ର ପାତ୍ର ଗରିମା ଅଧୀନରେ ଜଣେ ପ୍ରମୁଖ ପରିମଳ କର୍ମଚାରୀ। ସେ ନିଜ ସହରକୁ ସ୍ୱଚ୍ଛ ରଖିବା ପାଇଁ କାମ କରିବା ସହିତ ପକ୍ଷାଘାତରେ ପୀଡ଼ିତା ନିଜ ପତ୍ନୀଙ୍କର ମଧ୍ୟ ଯତ୍ନ ନେଉଛନ୍ତି। ତାଙ୍କ ପରିବାର ପାଇଁ ଏକ ସୁରକ୍ଷିତ ଏବଂ ସ୍ଥାୟୀ ବାସଗୃହ ଆବଶ୍ୟକ ଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) ଅଧୀନରେ ତାଙ୍କୁ ଏକ ପକ୍କା ଘର ଯୋଗାଇ ଦିଆଯାଇଛି। ଏହି ଘର ତାଙ୍କ ପରିବାରକୁ ସୁରକ୍ଷା ଓ ସ୍ଥିରତା ପ୍ରଦାନ କରିଛି। ଏହା ତାଙ୍କ ଅସୁସ୍ଥ ପତ୍ନୀଙ୍କ ରହିବା ପାଇଁ ସୁବିଧା ସୃଷ୍ଟି କରିବା ସହ ପିଲାମାନଙ୍କ ଭବିଷ୍ୟତ ପାଇଁ ଏକ ଉଜ୍ଜ୍ୱଳ ପରିବେଶ ତିଆରି କରିଛି। ତାଙ୍କର କାର୍ଯ୍ୟଦକ୍ଷତା ଏବଂ ନିଷ୍ଠା ପାଇଁ ଭାରତର ରାଷ୍ଟ୍ରପତି ତାଙ୍କୁ ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ନୈଶ୍ୟଭୋଜି ପାଇଁ ନିମନ୍ତ୍ରଣ କରିଥିଲେ। ରାଜ୍ୟ ସରକାରଙ୍କ ସହାୟତାରେ ରାଜେନ୍ଦ୍ର ପ୍ରଥମ ଥର ପାଇଁ ବିମାନ ଯୋଗେ ଦିଲ୍ଲୀ ଯାତ୍ରା କରିଥିଲେ। ରାଜେନ୍ଦ୍ରଙ୍କ ଏହି ସଫଳତା ପ୍ରମାଣ କରୁଛି ଯେ ସେବା ଏବଂ କର୍ତ୍ତବ୍ୟ ପରାୟଣତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସରକାର ସମସ୍ତ ଯୋଗ୍ୟ ଗରିମା ହିତାଧିକାରୀଙ୍କୁ PMAY (ସହରୀ) ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାରେ ସାମିଲ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଏହି ପଦକ୍ଷେପ କେବଳ ବାସଗୃହ ଯୋଗାଇବା ପାଇଁ ନୁହେଁ, ବରଂ ସମାଜର ସେବା କରୁଥିବା ଶ୍ରମିକମାନଙ୍କୁ ଉପଯୁକ୍ତ ସମ୍ମାନ ଏବଂ ସୁବିଧା ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ।










