24.1 C
Bhubaneswar
Sunday, February 15, 2026
Homeଓଡିଶାପଞ୍ଚାୟତିରାଜ ବିଭାଗର ସମୀକ୍ଷା ବୈଠକରେ ମନ୍ତ୍ରୀଙ୍କ ନିର୍ଦ୍ଦେଶ; ବ୍ଲକସ୍ତରରେ ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କର

ପଞ୍ଚାୟତିରାଜ ବିଭାଗର ସମୀକ୍ଷା ବୈଠକରେ ମନ୍ତ୍ରୀଙ୍କ ନିର୍ଦ୍ଦେଶ; ବ୍ଲକସ୍ତରରେ ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କର

ଭୁବନେଶ୍ୱର: ରାଜ୍ୟର ଗ୍ରାମାଞ୍ଚଳ ବିକାଶ ପ୍ରକ୍ରିୟାକୁ ତ୍ୱରିତ ବେଗରେ ଆଗେଇନେବା ପାଇଁ ଶନିବାର ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏସ୍‌ଆଇଆର୍‌ଡି ପରିସରସ୍ଥିତ ମନରେଗା ସୋସାଇଟି ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ମନ୍ତ୍ରୀ ଶ୍ରୀ ନାଏକ ବିଭିନ୍ନ ଜିଲ୍ଲାରୁ ଆସିଥିବା ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ବ୍ଲକ ଉନ୍ନୟନ ଅଧିକାରୀମାନଙ୍କ ସହ ବିଭାଗୀୟ ଯୋଜନାର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ଏହି ସମୀକ୍ଷାରେ ମୁଖ୍ୟତଃ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ , ଅନ୍ତ୍ୟୋଦୟ ଗୃହ ଯୋଜନା, ମନରେଗା ଏବଂ ଗ୍ରାମୀଣ ସଂଯୋଗୀକରଣ ପ୍ରକଳ୍ପ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ବୈଠକରେ ବିଭାଗୀୟ କମିଶନର-ତଥା-ଶାସନ ସଚିବ ଗିରିଶ ଏସ୍‌.ଏନ୍‌ଙ୍କ ଉପସ୍ଥିତିରେ ଅଧିକାରୀମାନେ ପ୍ରକଳ୍ପଗୁଡ଼ିକର ବ୍ଲକସ୍ତରୀୟ ଅଗ୍ରଗତି, ସ୍ଥିତି ଓ ବ୍ୟୟ ସମ୍ପର୍କିତ ସମସ୍ତ ତଥ୍ୟ ମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଏହି ଅବସରରେ ଯେଉଁ ବ୍ଲକଗୁଡ଼ିକରେ ପ୍ରକଳ୍ପ କାର୍ଯ୍ୟର ଗତି ଧିମା ରହିଛି, ସେଠାରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ନାଏକ ପରାମର୍ଶ ଦେଇଥିଲେ। ବୈଠକରେ ଉପସ୍ଥିତ ଅଧିକାରୀମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ କର୍ତ୍ତବ୍ୟନିଷ୍ଠା ଉପରେ ଭରସା ପ୍ରକଟ କରି ମନ୍ତ୍ରୀ ଶ୍ରୀ ନାଏକ କହିଥିଲେ ଯେ, “ଗ୍ରାମୀଣ ଓଡ଼ିଶାର ବିକାଶ ପାଇଁ ଆମେ ଅଧିକ କାର୍ଯ୍ୟ କରିବାକୁ ସମର୍ଥ, ଏହି ବାର୍ତ୍ତା କାର୍ଯ୍ୟ ମାଧ୍ୟମରେ ପ୍ରତିଫଳିତ ହେବା ଦରକାର। ସରକାରଙ୍କ ପାଖରେ ପାଣ୍ଠିର ଅଭାବ ନାହିଁ; ଆମର କାର୍ଯ୍ୟ ହିଁ ଆମର ଦକ୍ଷତା ଓ ପ୍ରତିବଦ୍ଧତାର ପ୍ରମାଣ। କ୍ଷେତ୍ରସ୍ତରରେ କୌଣସି ସମସ୍ୟା ଥିଲେ ଜଣାନ୍ତୁ, ଦରକାର ପଡିଲେ ମୁଁ ନିଜେ ସେଠାରେ ପହଞ୍ଚି ସମସ୍ୟାର ସମାଧାନ କରିବି ବୋଲି ଶ୍ରୀ ନାଏକ କହିଥିଲେ।

କ୍ଷେତ୍ରସ୍ତରରେ କାମ କରୁଥିବା ଅଧିକାରୀମାନଙ୍କ ସହ ବିଭାଗ ସବୁବେଳେ ଦୃଢ଼ ଭାବେ ଠିଆ ହୋଇଛି ବୋଲି ବିଭାଗୀୟ କମିଶନର ଦୋହରାଇଥିଲେ। ରାଜ୍ୟର ସମସ୍ତ ଗାଁକୁ ରାସ୍ତା ଦ୍ୱାରା ଯୋଡ଼ିବା ଉପରେ ଗୁରୁତ୍ୱ ଦେଇ ସେ ଏହି କାର୍ଯ୍ୟକୁ ଧାର୍ଯ୍ୟ ସମୟ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନା ଗାଁର ଚେହେରା ବଦଳାଇବାର ସାମର୍ଥ୍ୟ ରଖିଛି ବୋଲି ସେ ମତ ପ୍ରକାଶ କରିଥିଲେ। ସେହିପରି ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସମ୍ପୂର୍ଣ୍ଣ ହୋଇଥିବା କାମର ବିଲ୍ ଓ କାଗଜପତ୍ର ସଠିକ୍ ସମୟରେ ଦାଖଲ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଏହାଦ୍ୱାରା ପ୍ରକଳ୍ପର ପ୍ରକୃତ ସ୍ଥିତି ସରକାରୀ ରେକର୍ଡରେ ସଠିକ୍ ଭାବେ ପ୍ରତିଫଳିତ ହେବ ଏବଂ ସମୀକ୍ଷା ପ୍ରକ୍ରିୟା ଅଧିକ ଫଳପ୍ରଦ ହୋଇପାରିବ। ଏହି ବୈଠକରେ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ରାଜ୍ୟର ୩୦ ଜଣ ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ୩୮ ଜଣ ବ୍ଲକ ଉନ୍ନୟନ ଅଧିକାରୀ ଯୋଗ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking