ରାଜନଗର: ଯେଉଁ ଜାତିପ୍ରଥାର ଖରାପ ପରମ୍ପରା ପାଇଁ ରାଜନଗରରୁ ଦେଶର ରାଜଧାନୀ ଯାଏଁ ଉଦବେଗ ପ୍ରକାଶ ପାଇଲା, ସଂସଦରେ ବି କଥା ଉଠିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ତୁଟିଛି ଜାତି ବିବାଦ। ବାହାରିଲା ସମାଧାନର ପନ୍ଥା। ଜିଲ୍ଲା ପ୍ରଶାସନଠୁ ମହିଳା କମିଶନ ପର୍ଯ୍ୟନ୍ତ, ଗାଁରେ ପହଞ୍ଚି ବୁଝାସୁଝା ସହିତ ପାଲା ମାଧ୍ୟମରେ ଜାତିଗତ ଭେଦଭାବ ବିରୋଧରେ ଲୋକଙ୍କୁ ସଚେତନ କରାଯାଇଛି। ଯେଉଁ ଅଙ୍ଗନବାଡ଼ି ସହାୟିକାଙ୍କୁ ନେଇ ଭେଦଭାବର ମଞ୍ଜି ପୋତାହୋଇଥିଲା, ଶେଷରେ ତାଙ୍କ ହାତରନ୍ଧା ଖାଦ୍ୟକୁ ଏକାଠି ବସି ଖାଇଥିଲେ ଗ୍ରାମବାସୀ ଓ ପ୍ରଶାସନିକ ଅଧିକାରୀ। ଆଉ ଆସନ୍ତା ସୋମବାର ଠାରୁ ନିୟମିତ ଭାବେ ପିଲାମାନଙ୍କୁ ଅଙ୍ଗନବାଡ଼ି ଛାଡ଼ିବା ସହ ଖାଦ୍ୟ ଖାଇବା ଓ ଶୁଖିଲା ଖାଦ୍ୟ ନେବା ପାଇଁ ଗ୍ରାମବାସୀ ଶପଥ ନେଇଥିଲେ।
ପ୍ରକାଶ ଯେ ରାଜନଗର ବ୍ଲକ ଘଡ଼ିଆମାଳ ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ଜଣେ ଅନୁସୂଚିତ ଜାତିର ଯୁବତୀ ସହାୟିକା ଭାବେ ନିଯୁକ୍ତ ହେବାପରେ ଅଭିଭାବକମାନେ ପିଲାଙ୍କୁ ଅଙ୍ଗନବାଡ଼ି ଛାଡୁନଥିବା ଅଭିଯୋଗ ହୋଇଥିଲା। ପ୍ରଶାସନର ବାରମ୍ବାର ବୁଝାସୁଝା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ପ୍ରାୟ ତିନି ମାସ ଧରି ପିଲା ଆସୁନଥିବାରୁ କାନ୍ଦକାନ୍ଦ ହୋଇପଡ଼ିଥିଲେ ସହାୟିକା। ତେବେ ଆଜି ରାଜ୍ୟ ମହିଳା କମିଶନ ସଦସ୍ୟା ଡକ୍ଟର କଳ୍ପନା ମଲ୍ଲିକ, ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ସୁଜାତା ନାୟକ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଏଡିଏମଓ ନବକିଶୋର ଜେନା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର, ଘଡ଼ିଆମାଳ ସରପଞ୍ଚ ଶୈଳେନ୍ଦ୍ର ମିଶ୍ର ପହଞ୍ଚି ଲୋକମାନଙ୍କ ସହିତ ଆଲୋଚନା ପାଇଁ ଡାକିଥିଲେ। ଗାଁର ମଧ୍ୟଭାଗରେ ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସଚେତନ କରିବା ପାଇଁ ପାଲା ପରିବେଷଣ କରାଯାଇଥିଲା। ବିଦ୍ୟାଳୟ ପରିସରକୁ ଲୋକମାନଙ୍କୁ ଡାକି କାହିଁକି ସେମାନେ ନିଜର ପିଲାମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରକୁ ପଠାଉନାହାନ୍ତି ବୋଲି ପଚାରିଥିଲେ। ଅନ୍ୟ କ’ଣ ସମସ୍ୟା ରହିଛି ବୋଲି ଲୋକମାନଙ୍କୁ ପଚାରି ବୁଝିଥିଲେ । ଗ୍ରାମର ଲୋକମାନେ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଘର ନଥିବା, ବିଶେଷକରି ବ୍ରାହ୍ମଣି ନଦୀ କୂଳରେ ସେମାନେ ବସବାସ କରୁଥିବାରୁ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି।
ଜମିଜମା ଓ ଗାଁରେ ରାସ୍ତାଘାଟ ନଥିବା ଓ ବାର୍ଦ୍ଧକ୍ୟ,ବିଧବା ଭର୍ତ୍ତା ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ସେମାନେ ଆସନ୍ତା ସୋମବାର ଠାରୁ ନିୟମିତ ଭାବରେ ତାଙ୍କ ପିଲାମାନଙ୍କୁ ଛାଡ଼ିବା ଓ ଖାଦ୍ୟ ଖାଇବା ଓ ଶୁଖିଲା ଖାଦ୍ୟ ନେବା ପାଇଁ ପ୍ରତିଜ୍ଞା କରିଥିଲେ। ଦୀର୍ଘ ୩ ମାସ ଧରି ଚାଲିଥିବା ସମସ୍ୟାର ପୂର୍ଣ୍ଣଚ୍ଛେଦ ପଡିଛି ବୋଲି ଗ୍ରାମବାସୀ ଗୋବର୍ଦ୍ଧନ ପ୍ରଧାନ କହିଛନ୍ତି ।ରାଜ୍ୟ ମହିଳା କମିଶନ ସଦସ୍ୟା ଡକ୍ଟର କଳ୍ପନା ମଲ୍ଲିକ କହିଛନ୍ତି ଗାଁ ଲୋକଙ୍କ ଆଲୋଚନା ସମୟରେ କୌଣସି ଜାତିଗତ କଥା ସେମାନେ ଉଠାଇନଥିଲେ। ସେମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଉତ୍ଥାପନ କରିଥିଲେ। ଶିଶୁ ସୁରକ୍ଷା ଆୟୋଗ ସଦସ୍ୟା ସୁଜାତା ନାୟକ କହିଛନ୍ତି ଶିଶୁମାନଙ୍କର ଅଧିକାରରୁ ସେମାନଙ୍କୁ କେହି ବଞ୍ଚିତ କରି ପାରିବେନାହିଁ। ସେନେଇ ଲୋକମାନଙ୍କୁ ବୁଝାଇବା ପରେ ଲୋକମାନେ ସେମାନଙ୍କ ପିଲାମାନଙ୍କୁ ଛାଡ଼ିବା ପାଇଁ ସହମତ ହୋଇଛନ୍ତି। ଏହି ଅବସରରେ ଅଙ୍ଗନବାଡି ସହାୟିକା ଶର୍ମିଷ୍ଠା ସେଠୀଙ୍କ ମାଧ୍ୟମରେ କରାଯାଇଥିବା ରୋଷେଇକୁ ସମସ୍ତେ ଖାଇଥିଲେ। ଏହି ଆଲୋଚନାରେ ଡିଡବ୍ଲ୍ୟୁଓ ଅରବିନ୍ଦ ରାୟ, ଡିଏସଡବ୍ଲ୍ୟୁଓ ସୁଷମା ମହାନ୍ତି, ତହସିଲଦାର ଯିଶୁ କ୍ରୀଷ୍ଣ ଦାସ, ଆଇଆଇସି ନରେଶ କୁମାର ସାହୁ, ସିଡ଼ିପିଓ ଦିପାଳୀ ମିଶ୍ର ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ। ଏହାପରେ ଉପସ୍ଥିତ ଗ୍ରାମବାସୀ ମାନେ ଶପଥ ପାଠ କରିଥିଲେ। ସାମାଜିକ କର୍ମୀ କିଶୋର କୁମାର ସ୍ୱାଇଁ ଉପସ୍ଥିତ ଥିଲେ।










