ଭୁବନେଶ୍ୱର: ମହାନଦୀ ଜଳ ବିବାଦକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ରହିଛି । ଯେତେବେଳେ ଟ୍ରିବ୍ୟୁନାଲରେ ମହାନଦୀ ବିବାଦକୁ ନେଇ ଶୁଣାଣି ଚାଲିଥିଲା ସେତେବେଳେ ଏଜି ପୀତାମ୍ବର ଆଚାର୍ଯ୍ୟ ଅନୁପସ୍ଥିତ ଥିଲେ । ଏହାରି ଭିତରେ ଏଜିଙ୍କ ଅନୁପସ୍ଥିତି ନେଇ ନିଜ ସୋସିଆଲ ମିଡ଼ିଆ ଏକ୍ସରେ ଟ୍ୱିଟ କରି ପ୍ରଶ୍ନ କରିଛନ୍ତି ବିରୋଧୀଦଳ ନେତା ନବୀନ ପଟନାୟକ। କହିଛନ୍ତି ମହାନଦୀକୁ ବଞ୍ଚାଇବା ପାଇଁ ବିଜେପି ସରକାରଙ୍କ ଇଏ କ’ଣ ଆନ୍ତରିକତା? ଟ୍ରିବ୍ୟୁନାଲରେ ମହାନଦୀ ବିବାଦ ନେଇ ଆଜି ହୋଇଥିବା ଶୁଣାଣିକୁ ଓଡ଼ିଶାରୁ ପ୍ରତିନିଧ୍ଵ କରୁଥିବା ଆଡଭୋକେଟ୍ ଜେନେରାଲ୍ ଆସିଲେ ନାହିଁ। ମହାନଦୀର ସୁରକ୍ଷାଠାରୁ ଏମିତି କ’ଣ ଗୁରୁତ୍ବପୂର୍ଣ୍ଣ କାମ ରହିଲା, ଯେଉଁଥିପାଇଁ ଟ୍ରିବ୍ୟୁନାଲର ଶୁଣାଣିରେ ଓଡ଼ିଶାର ପକ୍ଷ ରଖିବାକୁ ସେ ଉପସ୍ଥିତ ରହିଲେ ନାହିଁ?

ନବୀନ ଆହୁରି ପ୍ରଶ୍ନ କରିଛନ୍ତି ଯେ ଟ୍ରିବ୍ୟୁନାଲର ଶୁଣାଣିକୁ ନେଇ ଅନେକ ଆଶା ବାନ୍ଧି ବସିଥିବା ଓଡ଼ିଶାବାସୀଙ୍କୁ ମିଳିଲା କ’ଣ? ଏଥୁରୁ ସ୍ପଷ୍ଟ ଜଣାପଡ଼ୁଛି, ମହାନଦୀକୁ ବଞ୍ଚାଇବା ପାଇଁ ଓଡ଼ିଶା ବିଜେପି ସରକାରଙ୍କ କୌଣସି ଆନ୍ତରିକତା ତଥା ପ୍ରତିବଦ୍ଧତା ନାହିଁ। ଏହାକୁ ସରକାର ଆଦୌ ଗମ୍ଭୀରତାର ସହ ନେଉ ନାହାନ୍ତି। ଖାଲି କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି। ମହାନଦୀ ଆମ ମା’, ଓଡ଼ିଶାର ଜୀବନରେଖା ଲକ୍ଷ ଲକ୍ଷ ଚାଷୀ, ମତ୍ସ୍ୟଜୀବୀ ତଥା ଅଗଣିତ ଓଡ଼ିଆଙ୍କ ଜୀବନର ସ୍ରୋତା ଏହାର ସୁରକ୍ଷାରେ ସାଲିସକୁ ଓଡ଼ିଶାବାସୀ କଦାପି ଗ୍ରହଣ କରିବେ ନାହିଁ ମହାନଦୀକୁ ବଞ୍ଚାଇବା ପାଇଁ ପ୍ରତିଟି ଓଡ଼ିଆଙ୍କୁ ନେଇ ବିଜୁ ଜନତା ଦଳର ଲଢ଼େଇ ଆହୁରି ଜୋରଦାର ହେବାସୂଚନା ଥାଉକି ଆସନ୍ତା ମାର୍ଚ୍ଚ ୧୪ ତାରିଖକୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି । ଫେବ୍ରୁଆରୀ ଶେଷ ସପ୍ତାହରୁ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ସ୍ପଟ୍ ଭିଜିଟ୍ ହେବ । ଟ୍ରିବ୍ୟୁନାଲ ସ୍ପଟ୍ ଭିଜିଟ୍ କରି ସାରିବା ପରେ ମାର୍ଚ୍ଚ ୧୪ ତାରିଖରେ ଶୁଣାଣି ହେବ । ଏପ୍ରିଲ ୧୩ ତାରିଖରେ ଟ୍ରିବ୍ୟୁନାଲ ଅବଧି ଶେଷ ହେବାକୁ ଯାଉଛି । ଓଡିଶା ଏବଂ ଛତିଶଗଡର ଟ୍ରିବ୍ୟୁନାଲ ଅବଧି ବୃଦ୍ଧି ପାଇଁ ଅନୁରୋଧ କରିସାରିଛନ୍ତି । ୨୦୨୭ ମାର୍ଚ୍ଚ୨୭ ପର୍ଯ୍ୟନ୍ତ ବୃଦ୍ଧି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଟ୍ରିବ୍ୟୁନାଲ ଚେୟାରପର୍ସନ୍ ପଦ ଖାଲି ଥିବାରୁ ୯ ମାସ କାର୍ଯ୍ୟ ହୋଇନଥିଲା । ଯେଉଁଥିପାଇଁ କାର୍ଯ୍ୟକ୍ରମ ବିଳମ୍ବିତ ହୋଇଛି କହିଲେ ଏଜି ପୀତାମ୍ବର ଆଚାର୍ଯ୍ୟ ।











