ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଓଡିଶା ଗସ୍ତର ଆଜି ତୃତୀୟ ଦିନ । ପୁରୀରେ ପହଞ୍ଚିବା ପରେ ଆଜି ଶ୍ୱେତ ଗଙ୍ଗାରେ ପ୍ରଥମେ ପିଣ୍ଡଦାନ କରିଥିଲେ ରାଷ୍ଟ୍ରପତି । ଏହାପରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କର ଦର୍ଶନ କରିଛନ୍ତି ରାଷ୍ଟ୍ରପତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦର୍ଶନ ଗ୍ରହଣ କରି ଆଶିଷ ଗ୍ରହଣ କରି କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ସାଥିରେ ଥିଲେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶ୍ରୀ ଜିଉଙ୍କୁ ଦର୍ଶନ ସାରି ଫେରିବା ବେଳେ ୨୨ ପାହାଚରେ କିଛି ସମୟ ପାଇଁ ବସିଥିଲେ ରାଷ୍ଟ୍ରପତି । ଏହାପରେ ସିଂହଦ୍ୱାର ନିକଟରେ ରାଷ୍ଟ୍ରପତିଙ୍କୁ ସିଂହଦ୍ୱାର ପ୍ରଶାସନ ପକ୍ଷରୁ ଖଣ୍ଡୁଆ ଏବଂ ପଟ୍ଟଚିତ୍ର ପ୍ରଦାନ କରାଯାଇଥିଲା । ସୁନାବେଶକୁ ନେଇ ପର୍ଯ୍ୟବେଶିତ ଏହି ପଟ୍ଟଚିତ୍ର । ପଟ୍ଟଚିତ୍ରରେ ସୁନାବେଶ ଚତୁଃପାଶ୍ୱର୍ରେ ଦଶାବତାରଙ୍କ ଚିତ୍ର ଅଙ୍କିତ କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ଗୋପାଳ ବଲ୍ଲଭ ଭୋଗ ଶେଷ ହେବା ପର୍ଯ୍ୟନ୍ତ ବନ୍ଦ ରହିଥିଲା ସାଧାରଣ ଦର୍ଶନ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଶ୍ରୀମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ଶ୍ରୀଜିଉଙ୍କର ଦର୍ଶନ ପରେ ବାୟୁ ସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଜନ୍ମମାଟି ରାଇରଙ୍ଗରପୁର ଅଭିମୁଖେ ଯାତ୍ରା କରିଛନ୍ତି । ସେଠାରେ ତିନି ଦିନ ରହଣିରେ ମାରାଥନ କାର୍ଯ୍ୟକ୍ରମରେ ଯୋଗ ଦେବେ । ମହୁଲଡିହା , ହଲିଡେ ହୋମର ଉଦଘାଟନ କରିବେ ମହାମହିମ ରାଷ୍ଟ୍ରପତି । ୫ ତାରିଖରେ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ଦର୍ଶନ କରି ଶିମିଳିପାଳକୁ ଯିବେ । ଆଉ ୭ ତାରିଖ ସକାଳେ ଦିଲ୍ଲୀ ଫେରିଯିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।









