21.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶମଣିପୁରକୁ ମିଳିବ ୧୩ତମ ମୁଖ୍ୟମନ୍ତ୍ରୀ, ଗଠନ ହେବ ନୂଆ ସରକାର

ମଣିପୁରକୁ ମିଳିବ ୧୩ତମ ମୁଖ୍ୟମନ୍ତ୍ରୀ, ଗଠନ ହେବ ନୂଆ ସରକାର

ୟୁମ୍‌ନାମ୍ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ
୧୨ରେ ଶେଷ ହେଉଛି ରାଷ୍ଟ୍ରପତି ଶାସନ ଅବଧି

ନୂଆଦିଲ୍ଲୀ: ଯାହା ଅନୁମାନ କରାଯାଉଥିଲା ତାହା ହିଁ ହୋଇଛି। ମଣିପୁରରେ ଏବେ ନୂଆ ସରକାର ଗଠନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ôଚଛି। ରିପୋର୍ଟ ଅନୁସାରେ ମଙ୍ଗଳବାର ଦିନ ୟୁମ୍‌ନାମ୍ ଖେମ୍‌ଚାନ୍ଦ ସିଂଙ୍କୁ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଛି। ସୁତରାଂ ଆସନ୍ତା ୧୨ ତାରିଖରେ ରାଷ୍ଟ୍ରପତି ଶାସନ ଅବଧି ଶେଷ ହେବାକୁ ଯାଉଥିବା ବେଳେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ଏବେ ମଣିପୁରରେ ଏକ ସ୍ଥିର ସରକାର ଗଠନ କରିବା ଦିଗରେ ଆଉ ପାଦେ ଆଗଭର ହୋଇଛି। ନୂଆଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଆଜି ଏକ ବୈଠକ ଆହୂତ ହୋଇଥିବା ବେଳେ ଏଥିରେ କେନ୍ଦ୍ରୀୟ ନେତୃବୃନ୍ଦ ୟୁମନାମ୍‌ଙ୍କ ନାମ ସୁପାରିଶ କରିଥିଲେ। ପରେ ମଣିପୁରର ବିଜେପି ବିଧାୟକ ଦଳ ବୈଠକରେ ମଧ୍ୟ ସର୍ବମତ ନିର୍ବିଶେଷରେ ୟୁମନାମ୍‌ଙ୍କୁ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ କରାଯାଇଥିଲା। ଦଳର ରାଷ୍ଟ୍ରୀୟ ମହାସଚିବ ତରୁଣ ଚୁଗଙ୍କ ତତ୍ତ୍ୱାବଧାନରେ ତାଙ୍କୁ ନିଯୁକ୍ତ କରାଯାଇଛି। ସୁତରାଂ ମୈତେଇ ସମ୍ପ୍ରଦାୟରୁ ପ୍ରତିନିଧିତ୍ୱ କରୁଥିବା ୟୁମନାମ୍ ଖେମଚାନ୍ଦ ସିଂହ ଏବେ ମଣିପୁରର ୧୩ତମ ମୁଖ୍ୟମନ୍ତ୍ରୀ ହେବା ମାର୍ଗ ପରିଷ୍କାର ହୋଇଯାଇଛି। ସରକାର ଗଠନ ପାଇଁ ଏବେ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ। ଶପଥ ଗ୍ରହଣ ଉତ୍ସବ ଆସନ୍ତାକାଲି, ବୁଧବାର ଅନୁଷ୍ଠିତ ହେବାର ଆଶା କରାଯାଉଛି। ବିଜେପି ସୂତ୍ର ଅନୁସାରେ, କୁକି ସମ୍ପ୍ରଦାୟକୁ ସନ୍ତୁଷ୍ଟ କରିବା ପାଇଁ ୧୦ ଜଣ କୁକି ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦିଆଯାଇପାରେ। ମଣିପୁର ବିଧାୟକ ଦଳ ନେତା ଚୟନ କରିବା ପାଇଁ ନିଯୁକ୍ତ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତରୁଣ ଚୁଗ୍‌, ସମ୍ବିତ ପାତ୍ର ଏବଂ ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ବିରେନ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ରାଷ୍ଟ୍ରପତି ଶାସନ ଅବଧି ଶେଷ ହେବାକୁ ଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ମଣିପୁରରେ ଏକ ସ୍ଥାୟୀ ସରକାର ଗଠନ କରିବାକୁ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟ ଅଣ୍ଟା ଭିଡିଥିଲା। କେନ୍ଦ୍ରୀୟ ନେତୃତ୍ୱଙ୍କ ନିର୍ଦ୍ଦେଶକ୍ରମେ ରବିବାର ରାତିରେ ମଣିପୁରର ପ୍ରାୟ ୨୦ ଜଣ ଏନ୍‌ଡିଏ ବିଧାୟକ ଦିଲ୍ଲୀରେ ପହଞ୍ଚିଥିଲେ। ପରେ ସୋମବାର ସୁଦ୍ଧା ମଧ୍ୟ ଅନ୍ୟ ବିଧାୟକମାନେ ଦିଲ୍ଲୀରେ ଆସି ପହଞ୍ଚିଥିଲେ। ଏହାପରେ ଏକ ବ୍ୟାପକ ଆଲୋଚନା ହୋଇଥିଲା ଏବଂ ପରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରକାଶ, ୬୦ ସଦସ୍ୟ ବିଶିଷ୍ଟ ମଣିପୁର ବିଧାନସଭାରେ ବର୍ତ୍ତମାନ ୩୭ ଜଣ (୩୨ ନିର୍ବାଚିତ + ୫ ଜେଡିୟୁ ବିଧାୟକ ବିଜେପିରେ ଯୋଗଦେବା ପରେ) ବିଜେପି ବିଧାୟକ ଅଛନ୍ତି। ସେହିପରି ବିଧାନସଭାରେ ଅନ୍ୟାନ୍ୟ ଦଳଗୁଡ଼ିକ ମଧ୍ୟରେ ଏନ୍‌ପିଏଫ୍‌ର ୫ ଜଣ, କଂଗ୍ରେସର ୫ ଜଣ, କେପିଏର ୨ଜଣ, ଜେଡି(ୟୁ)ର ଜଣେ ଏବଂ ୩ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି। ବର୍ତ୍ତମାନର ବିଧାୟକଙ୍କ ମୃତ୍ୟୁ ଯୋଗୁଁ ଗୋଟିଏ ଆସନ ଖାଲି ପଡ଼ିଛି। ଅନ୍ୟପକ୍ଷେ ମଣିପୁରରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କ କାର୍ଯ୍ୟକାଳ ୨୦୨୭ରେ ଶେଷ ହେଉଛି। ତେଣୁ, ଦଳ ରାଷ୍ଟ୍ରପତି ଶାସନ ଶେଷ ହେବା ପୂର୍ବରୁ ଏକ ନୂତନ ସରକାର ଗଠନ କରିବାକୁ ଚେଷ୍ଟା କରୁଛି। ବିଜେପି ପାଖରେ ସରକାର ଗଠନ କରିବାକୁ ଆବଶ୍ୟକ ମ୍ୟାଜିକ୍ ସଂଖ୍ୟା ଥିବା ବେଳେ ଅନ୍ୟ ସହଯୋଗୀ ଦଳମାନେ ମଧ୍ୟ ବିଜେପିର ନିଷ୍ପତ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି।

ରାଜ୍ୟର ଦୁଇ କୁଖ୍ୟାତ ଆଦିବାସୀ ସମ୍ପ୍ରଦାୟ କ୍‌ୁକି ଏବଂ ମୈତେଇ ମଧ୍ୟରେ ସାମ୍ପ୍ରଦାୟିକ ତଥା ହିଂସାତ୍ମକ ଉତ୍ତେଜନା ଏବଂ ଶହ ଶହ ଲୋକଙ୍କ ପ୍ରାଣହାନୀ ମଧ୍ୟରେ ରାଜ୍ୟରେ ଏକ ବଡ଼ ଧରଣର ଅସ୍ଥିରତା ସୃଷ୍ଟି ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ଫେବ୍ରୁଆରୀ ୯, ୨୦୨୫ରେ ବୀରେନ୍ ସିଂହଙ୍କ ଇସ୍ତଫାର ୪ ଦିନ ପରେ ଅର୍ଥାତ୍ ଫେବ୍ରୁଆରୀ ୧୩, ୨୦୨୫ରେ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା। ଫେବୃଆରୀ ୧୨, ୨୦୨୬ରେ ରାଷ୍ଟ୍ରପତି ଶାସନ ଶେଷ ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking