ଭୁବନେଶ୍ୱର: ଗତ ଏକ ସପ୍ତାହ ହେଲା ଓଡିଶାର ବିଭିନ୍ନ ସ୍ଥାନରେ ଅପରାଧୀମାନେ ଯେଭଳି ନାରକୀୟ କାଣ୍ଡ ରଚାଉଛନ୍ତି, ଏଥିରୁ ସ୍ପଷ୍ଟ ପ୍ରତ୍ୟୟମାନ ହେଉଛି ରାଜ୍ୟର ଆଇନ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡି ପଡିଛି ବୋଲି ବିଜେଡି ଅଭିଯୋଗ କରିଛି ।ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ଶ୍ରୀ ସଂଜୟ ଦାସବର୍ମା ଓ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ଯେ, ରାଜ୍ୟରେ ବଢି ଚାଲିଥିବା ଅପରାଧ ଓ ଜଘନ୍ୟ ହତ୍ୟାକାଣ୍ଡ ପୂର୍ବରୁ କେବେ ଦେଖିବାକୁ ମିଳୁନଥିଲା । ବିଜେପି ସରକାର କ୍ଷମତାକୁ ଆସିବା ପରେ ଗୃହ ବିଭାଗର ଅପାରଗତା ଲାଗି ଓଡିଶା ଆଜି ସମଗ୍ର ଦେଶରେ ନିନ୍ଦିତ ହେଉଛି ।ଶ୍ରୀ ଦାସବର୍ମା କହିଥିଲେ ଯେ, ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିଲା ବେଳେ ଏହାକୁ କିଭଳି ଦୃଢତାର ସହ ମୁକାବିଲା କରାଯିବ, ସେ କଥା ନକରି ସରକାର ଆତ୍ମରକ୍ଷା ପାଇଁ ବିଭିନ୍ନ ପ୍ରକାର ରାଜନୈତିକ ବିବୃତି ଦେବା ସହ ପ୍ରଶାସନିକ ବିବୃତି ମଧ୍ୟ ଅଫିସରଙ୍କ ଜରିଆରେ ପ୍ରଦାନ କରୁଛନ୍ତି, ଯାହା ଅତ୍ୟନ୍ତ ଲଜ୍ଜାକର ବିଷୟ । ଗତ ଏକ ସପ୍ତାହ ମଧ୍ୟରେ ଢେଙ୍କାନାଳ ସଦର ବ୍ଲକ ଭାପୁର, ବଣିଆସାହିର ଜଣେ ଦଳିତ ମହିଳା ଅଶାନ୍ତି ନାୟକଙ୍କ ଉପରେ ଦୁଷ୍କର୍ମ ଓ ହତ୍ୟା ପାଇଁ ଉଦ୍ୟମ କରାଯାଇଥିଲା । ବର୍ତ୍ତମାନ ସେ କଟକ ବଡ଼ ମେଡ଼ିକାଲ ଆଇସିୟୁରେ ଚିକିତ୍ସାଧୀନ ହେଉଛନ୍ତି ।
ଏକ କଥାକୁ ବିଜୁ ଜନତା ଦଳ ବାରମ୍ବାର ଏସ୍ପିଙ୍କ ପାଖରେ ଅଭିଯୁକ୍ତକୁ ଧରିବା ପାଇଁ ଦାବି କରୁଥିଲେ ମଧ୍ୟ, ଏସ୍ପିଙ୍କ କାର୍ଯ୍ୟକଳାପ ସନେ୍ଦହ ଘେରରେ । ଅନ୍ୟପଟେ ହିଞ୍ଜିଳି ଥାନା ଅନ୍ତର୍ଗତ ଖରିଡା ଗ୍ରାମରେ ଜଣେ ଗର୍ଭବତୀ ମହିଳାଙ୍କୁ ସ୍ପଷ୍ଟ ଦିବାଲୋକରେ ତାଙ୍କ ୩ ବର୍ଷର ଝିଅ ସମ୍ମୁଖରେ ବିଭତ୍ସ ଭାବେ ହତ୍ୟା କରାଯାଇଛି । ଏହି ଘଟଣାରେ ଉକ୍ତ ମହିଳା ପୋଲିସର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପୋଲିସ ସୁରକ୍ଷା ଯୋଗାଇ ପାରିଲା ନାହିଁ । କେବଳ ଏତିକି ନୁହେଁ, କଣାସ ଗୋଲାବଜାରରେ କଣାସ ଦୋକନ୍ଦା ଗ୍ରାମର ମୃତୁ୍ୟଞ୍ଜୟ ଭାରିମଲ ଉପରେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ । ତାଙ୍କର ଗୋଟେ ଗୋଡ଼ ଓ ଗୋଟେ ହାତକୁ ଦୁର୍ବୃତ୍ତମାନେ କାଟି ଦେଇଛନ୍ତି । ବର୍ତ୍ତମାନ ସେ ଏମ୍ସରେ ମୃତୁ୍ୟ ସହ ସଂଘର୍ଷ କରୁଛନ୍ତି । ଏହି ଘଟଣାର ମୁଖ୍ୟ ଆସାମୀକୁ ଧରିନାହିଁ ପୋଲିସ୍ । ସେହିପରି ଗତକାଲି ରାଜଧାନୀ ଉପକଣ୍ଠ ବାଲିଅନ୍ତା ରାମଚନ୍ଦ୍ରପୁର ବି୍ରଜ୍ ନିକଟରେ ପୋଲିସ୍ର ଉପସ୍ଥିତିକୁ ଭୃକ୍ଷେପ ନ କରି ପିଟି ପିଟି ଜଣେ ଯୁବକଙ୍କୁ ମାରିଦେବା ଦୁର୍ଭାଗ୍ୟଜନକ ଓ ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷା କରିବାରେ ସରକାର ସଂପୂର୍ଣ୍ଣ ବିଫଳ । ଘଟଣାରେ ମୃତୁ୍ୟବରଣ କରିଥିବା ସୌମ୍ୟ ସ୍ୱାଇଁଙ୍କର ଅପରାଧିକ ରେକର୍ଡ ଥିଲା ବୋଲି ଜିଆରପି ଏସ୍ପି ଗଣମାଧ୍ୟମରେ ବିବୃତି ଦେବା ଦୁର୍ଭାଗ୍ୟଜନକ । ତୁରନ୍ତ ଡିଜି ମହୋଦୟ ଜିଆରପି ଏସ୍ପି ଦେଇଥିବା ବିବୃତିକୁ ପ୍ରତ୍ୟାହାର କରିବା ପାଇଁ ନିଦେ୍ର୍ଦଶ ଦିଅନ୍ତୁ ।
ସେହିପରି ଶ୍ରୀମତୀ ଛୁରିଆ କହିଛନ୍ତି, ସାରା ଦେଶରେ ଓଡିଶା ଏକ ଅପରାଧୀକ ପ୍ରବଣ ରାଜ୍ୟ ଭାବେ ରେକର୍ଡ ସୃଷ୍ଟି କଲାଣି । କ୍ରମାଗତ ଭାବେ ପ୍ରତ୍ୟେକ ଦିନ ଅପରାଧୀମାନେ ନିର୍ଭୟରେ ପୋଲିସ ପ୍ରଶାସନକୁ ଭୃକ୍ଷେପ ନକରି ଅପରାଧ ଘଟାଇ ଚାଲିଛନ୍ତି । ଦଳିତ ଓ ଆଦିବାସୀ ମହିଳାମାନେ ପ୍ରତ୍ୟେକ ଦିନ ଏ ରାଜ୍ୟରେ ନିର୍ଯାତନାର ଶିକାର ହେଉଥିଲା ବେଳେ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ଗୃହ ବିଭାଗ ନିରବଦ୍ରଷ୍ଟା ସାଜିଛି । ରାଜ୍ୟରେ ମହିଳାମାନେ ନିର୍ଯାତନାର ଶିକାର ହେଉଥିଲା ବେଳେ ରାଜ୍ୟ ମହିଳା କମିଶନର ନିରବ ରହୁଛନ୍ତି । କିନ୍ତୁ ବାଲିଅନ୍ତାରେ ଘଟିଥିବା ଅମାନବୀୟ ଘଟଣାରେ ଦୋଷୀ ତଥା ପୋଲିସକୁ ଘଣ୍ଟ ଘୋଡାଇବା ପାଇଁ ଘଟଣା ସ୍ଥଳରେ ପହଞ୍ଚି ମହିଳା କମିଶନ ଏକ ନାଟକ କରୁଛନ୍ତି । ରାଜ୍ୟରେ ବଢିଚାଲିଥିବା ଅପରାଧ ଓ ନାରୀ ନିର୍ଯାତନା ରୋକିବା ପାଇଁ ଯଦି ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି, ଆଗାମୀ ଦିନରେ ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ।










