21.1 C
Bhubaneswar
Sunday, February 1, 2026
Homeଓଡିଶାଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା

ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା

-ସନ୍ଧ୍ୟା ୫ଟାରେ ଜଳିଲା ଝାଡ଼ବତୀ
-ଲକ୍ଷ ଲକ୍ଷ ସାଧୁ ଓ ଶ୍ରଦ୍ଧାଳୁଙ୍କ ସମାଗମ
-ଆସନ୍ତାକାଲି ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଢେଙ୍କାନାଳ: ଶନିବାର ଠାରୁ ଆରମ୍ଭ ହୋଇଛି ଯୋରନ୍ଦା ମାଘ ମେଳା। ସାରା ଦେଶ ତଥା ବିଶ୍ୱର କୋଣ ଅନୁକୋଣରୁ ମହିମା ସାଧୁ ଓ ଶ୍ରଦ୍ଧାଳୁମାନଙ୍କର ମେଳାକୁ ସୁଅ ଛୁଟିଛି। ଫଳରେ ବିଶ୍ୱର ପ୍ରସିଦ୍ଧି ଲାଭ କରିଥିବା ମହିମା ଧର୍ମର ଏହି ମୁଖ୍ୟ ପୀଠ ଢେଙ୍କାନାଳର ଯୋରନ୍ଦା ସ୍ଥିତ ମହିମା ଗାଦୀ ଲୋକାରଣ୍ୟରେ ଉଛୁଳି ଉଠିଛି। ଶନିବାର ମାଘ ଶୁକ୍ଳ ଚତୁର୍ଦ୍ଦଶୀ ଅବସରରୁ ଆରମ୍ଭ ହୋଇଯାଇଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା। ମହିମା ଧର୍ମର ମୁଖ୍ୟ ପୀଠ ଯୋରନ୍ଦା ସ୍ଥିତ ମହିମା ଗାଦୀରେ ସାରା ବିଶ୍ୱର କୋଣ ଅନୁକୋଣରୁ ମହିମା ସାଧୁ ଓ ଶ୍ରଦ୍ଧାଳୁଙ୍କ ଘଟିଛି ସମାଗମ। ଲକ୍ଷ ଲକ୍ଷ ସଂଖ୍ୟାରେ ମହିମା ସାଧୁ ସନ୍ଥ,ଭକ୍ତ ଓ ଶ୍ରଦ୍ଧାଳୁ ସମାଗମରେ ମହିମା ଗାଦୀ ଉଛୁଳି ଉଠିଛି। ମହିମା ପରମ୍ପରା ମୁତାବକ ସାଧୁମାନେ ପ୍ରାତଃ ସମୟରୁ ନୀତିକାନ୍ତି ଆରମ୍ଭ କରିଥିଲେ। ମୁଖ୍ୟ ଗାଦୀ ମନ୍ଦିର ପରିସର ଚାରି ଦ୍ୱାରରେ ଧୁନି ସ୍ଥାପନ କରିଛନ୍ତି ସିଦ୍ଧ ମହିମା ସାଧୁ । ଆଉ ନିଜର ମାନସିକ ପୂରଣ ପାଇଁ ହଜାର ହଜାର ସଂଖ୍ୟାରେ ମାନସିକ ଧାରୀମାନେ ଧୁନିରେ ପ୍ରଭୁ ଶୁନ୍ୟଦେହୀଙ୍କ ଉଦେଶ୍ୟରେ ଭୋଗରାଗ ଅର୍ପଣ ପୂର୍ବକ ନିଜ ଓ ନିଜ ପରିବାରର ମଙ୍ଗଳ ମନାସୁଛନ୍ତି। ସେପଟେ ଭଣ୍ଡାର ଘରୁ ସମସ୍ତ ସୁନା ଓ ରୁପାର ଅଢେଣୀ, ତରାସ,ଛତି ଓ ମକରତ୍ରୋଣ ଆଦି କୋଟି କୋଟି ଟଙ୍କାର ସାମଗ୍ରୀକୁ ଅଣାଯାଇ ମୁଖ୍ୟ ଗାଦୀ ମଦିର ପରିସରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରଦର୍ଶନ କରାଯାଇଛି। ତେବେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୋରନ୍ଦା ମେଳା ପରିଦର୍ଶନ କାର୍ଯ୍ୟକ୍ରମ ପାଇଁ ମୁଖ୍ୟ ଶୂନ୍ୟ ମନ୍ଦିର ବାମପାର୍ଶ୍ୱରେ ସ୍ୱତନ୍ତ୍ର ସଭା ସ୍ଥଳ ଓ ଅସ୍ଥାୟୀ ହେଲିପ୍ୟାଡର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ମହିମା ସାଧୁମାନଙ୍କର ପୂର୍ବ ସମୟ ନିର୍ଘଣ୍ଟ ମୁତାବକ ସନ୍ଧ୍ୟା ୫ଟା ରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମୁଖ୍ୟ ଆକର୍ଷଣ ଝାଡ଼ବତୀ ପ୍ରଜ୍ୱଳନ କରାଯାଇଛି । ମୁଖ୍ୟ ଗାଦୀ ମନ୍ଦିର ପରିସରରେ ଚାରି ଦ୍ୱାରରେ ଏହି ଝାଡ଼ବତୀର ଉଜ୍ୱଳ ଆଲୋକରେ ଝଲସୀ ଉଠିଛି ମହିମା ଗାଦୀ । ଆଉ ଜଗତର କଲ୍ୟାଣ ଓ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରଭୁ ଶୂନ୍ୟଦେହୀ ଅଲେଖ ମହିମାଙ୍କ ଉଦ୍ଦେଶ୍ୟରେ ସାଧୁମାନେ ମହଣ ମହଣ ଘିଅ ଆହୁତି ଦେଉଛନ୍ତି। ହରିବୋଲ ହୁଳହୁଳି ସାଙ୍ଗକୁ ମହିମା ଆଲେଖ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଛି ସାରା ମହିମା ଗାଦୀ।

ସୂଚନା ଥାଉକି, ୧୮୨୬ମସିହାରେ ମହିମା ଧର୍ମର ପ୍ରତିଷ୍ଠାତା ପ୍ରବୁଦ୍ଧ ଗୁରୁ ମହିମା ସ୍ୱାମୀଙ୍କର ଅବିର୍ଭାବ ଘଟିଥିଲା। ଚଳିତ ବର୍ଷ ମହିମା ସାଧୁମାନେ ପ୍ରଭୁ ମହିମା ସ୍ୱାମୀଙ୍କ ଆବିର୍ଭାବର ୨୦୦ ବର୍ଷ ପୂର୍ତ୍ତି ପାଳନ କରୁଛନ୍ତି। ଅପରପକ୍ଷରେ ୧୮୭୪ମସିହା ମାଘ ଶୁକ୍ଳ ଚତୁର୍ଦଶୀ ଆଜିର ଦିନରେ ମହିମା ସ୍ୱାମୀ ଏହି ପୀଠରେ ଧୁନିସ୍ଥାପନ କରିଥିଲେ। ଯାହାକି ପ୍ରତ୍ୟେକ ବର୍ଷ ମହିମା ସାଧୁମାନେ ଏହି ଦିନକୁ ସେମାନଙ୍କର ବାର୍ଷିକ ଉତ୍ସବ ଭାବେ ପାଳନ କରି ଆସୁଛନ୍ତି। ଆଉ ଚଳିତ ବର୍ଷ ୧୫୩ତମ ବାର୍ଷିକ ଉତ୍ସବ ପାଳୁଥିବା ବେଳେ ଆଜି ମହିମା ସ୍ୱାମୀଙ୍କ ଉଦେଶ୍ୟରେ ଗୁରୁ ପୂର୍ଣ୍ଣିମା ଓ ଆସନ୍ତା କାଲି ସମଗ୍ର ଦେଶବାସୀଙ୍କ କଲ୍ୟାଣ ଉଦେଶ୍ୟରେ ଦେଶ ପୂର୍ଣ୍ଣିମା ଭାବେ ପାଳୁଛନ୍ତି। ସେପଟେ ମାହିମା ଗାଦୀର ଉଭୟ ବଳ୍କଳ ଓ କୌପନୀ ଧାରୀ ମହିମା ସାଧୁମାନଙ୍କ ଆଶ୍ରମରେ ଭକ୍ତମାନଙ୍କର ଭିଡ଼ ପରିଲକ୍ଷିତ ହୋଇଛି। ହଜାର ହଜାର ସଂଖ୍ୟାରେ ମାନସିକ ଧାରୀ ସେମାନଙ୍କର ମାନସିକ ପୂରଣ ପାଇଁ ମୁଣ୍ଡନ କରିବା ପରେ ପ୍ରଭୁ ଅଲେଖ ମହିମାଙ୍କ ଶରଣଗାମୀ ହୋଇଛନ୍ତି। ଖଣି ଭଜନ ସାଙ୍ଗକୁ ଭଜନ ଭଜନ କୀର୍ତ୍ତନର ଆଧ୍ୟାତ୍ମିକ ପରିବେଶରେ ବୁଡ଼ି ରହିଛି ସାରା ମହିମା ଗାଦୀ। ଲୋକମାନଙ୍କର ସମଗମ ଯୋଗୁଁ ବିଭିନ୍ନ ବ୍ୟବସାୟୀ ଓ ମିନା ବଜାର ଆଦି ସେମାନଙ୍କର ବ୍ୟବସାୟର ପସରା ମେଲିଛନ୍ତି। ତେବେ ମେଳାରେ ଲକ୍ଷ ଲକ୍ଷ ଜନ ସମାଗମକୁ ନେଇ ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ, ପରିମଳ ଓ ପାନୀୟ ଜଳ ପାଇଁ ଅସ୍ଥାୟୀ ବ୍ୟବସ୍ଥା କରାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟାରିକେଟ ବ୍ୟବସ୍ଥା ସାଙ୍ଗକୁ ଯାନବାହାନ ପାଇଁ ସ୍ୱତନ୍ତ୍ର ଭାବେ ରୁଟ କରାଯାଇ ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି ରହିଛି। ମେଳା ପରିଚାଳନା ପାଇଁ ୧୪ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking