ନୂଆଦିଲ୍ଲୀ: କାର- ଟ୍ରକ ଧକ୍କା ୩ ମୃତ, ୩ ଆହତ । ଏଭଳି ଅଭାବନୀୟ ଘଟଣା କର୍ଣ୍ଣାଟକର ତୁମାକୁରୁ ଜିଲ୍ଲାର ନେଲାହାଲ ଜାତୀୟ ରାଜପଥ ୪୮ରେ ଘଟିଛି । ସୂଚନା ଅନୁଯାୟୀ, ବେଙ୍ଗାଲୁରୁରୁ ୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ମାରୁତି କାର ରାସ୍ତାରେ ପାର୍କିଂ ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋର ଥିଲା ଯେ ଘଟଣାସ୍ଥଳରେ ହିଁ କାରରେ ବସିଥିବା ତିନି ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଆଉ ଦୁଇ ଜଣ ସାମାନ୍ୟ ଆହତ ଥିଲେ । ଯାତ୍ରୀମାନେ ଗୋକର୍ଣ୍ଣ , ମୁରୁଡେଶ୍ୱର ଏବଂ ଉଡୁପି ଯାତ୍ରାରୁ ଫେରୁଥିବା ସମୟରେ ଏହି ଭୟଙ୍କର ଘଟଣା ଘଟିଥିଲା । ଘଟଣା ପରେ ରାସ୍ତାରେ ଉତ୍ତେଜନା ଦେଖାଦେଇଥିଲା । ଟ୍ରାଫିକ ନିୟନ୍ତ୍ରଣ ହରାଇଥିଲା । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଟ୍ରାଫିକକୁ ନିୟନ୍ତ୍ରଣ କରିଥିଲେ । ଆହତଙ୍କୁ ଜରୁରୀ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତଖାନାକୁ ପଠାଇଥିଲେ । ତେବେ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଡ୍ରାଇଭରଟିର ଥକ୍କା ପଣ ଏବଂ ନିୟନ୍ତ୍ରଣ ହରାଇ ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି । ଦୁଃଖଦ ଖବର ଶୁଣି ମୃତକଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଏଭଳି ଦୁର୍ଘଟଣା କିପରି ନହେବ ପୋଲିସ ସେନେଇ ମଧ୍ୟ ଲୋକଙ୍କୁ ସଚେତନତା କରାଇଛନ୍ତି ।










