ଗୁଆହାଟୀ: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍ରେ ଭାରତ ୧୫୪ ରନ୍ର ଲକ୍ଷ୍ୟକୁ ୧୦ ଓଭର୍ରେ ହାସଲ କରିନେଇଛି। ରବିବାର ଅଭିଷେକ ଶର୍ମା ମାତ୍ର ୧୪ ବଲ୍ରେ ଅର୍ଦ୍ଧଶତକ ପୂରଣ କରିଛନ୍ତି। ବରସାପାରା ଷ୍ଟାଡିୟମ୍ରେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ନ୍ୟୁଜିଲାଣ୍ଡ ପ୍ରଥମେ ୯ ୱିକେଟ୍ ହରାଇ ୧୫୩ ରନ୍ କରିଥିଲା। ଭାରତ ୨ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଛି। ଅଭିଷେକ ଶର୍ମା ଅପରାଜିତ ୬୮, କ୍ୟାପ୍ଟେନ୍ ସୂର୍ଯ୍ୟକୁମାର ଯାଦବ ଅପରାଜିତ ୫୭ ଏବଂ ଈଶାନ୍ କିଶନ୍ ୨୮ ରନ୍ କରିଥିଲେ। ବୋଲିଂରେ ଜସ୍ପ୍ରୀତ୍ ବୁମ୍ରା ୩ ୱିକେଟ୍ ନେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଓ ରବି ବିଷ୍ଣୋଇଙ୍କୁ ୨-୨ ସଫଳତା ମିଳିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଗ୍ଲେନ୍ ଫିଲିପ୍ସ ସର୍ବାଧିକ ୪୮ ରନ୍ କରିଥିବା ବେଳେ ମ୍ୟାଟ୍ ହେନରୀ ଓ ଈଶ୍ ସୋଢ଼ୀଙ୍କ ୧-୧ ୱିକେଟ୍ ମିଳିଥିଲା।
ଭାରତ ଏହି ବିଜୟ ସହିତ ୫ ମ୍ୟାଚ୍ର ସିରିଜ୍ରେ ଅଜେୟ ଅଗ୍ରଣୀ ହାସଲ କରିଛି। ଏହା ସହିତ ଟିମ୍ ଇଣ୍ଡିଆ ଲଗାତାର ୧୧ ଟି-୨୦ ସିରିଜ୍ ଜିତିଛି। ଭାରତ ପ୍ରଥମ ମ୍ୟାଚ୍ ୪୮ ରନ୍ ଏବଂ ଦ୍ୱିତୀୟ ମ୍ୟାଚ୍ ୭ ୱିକେଟ୍ରେ ଜିତିଥିଲା। ଦୁଇ ଟିମ୍ ମଧ୍ୟରେ ସିରିଜ୍ର ଚତୁର୍ଥ ମ୍ୟାଚ୍ ୨୮ ତାରିଖରେ ବିଶାଖାପାଟଣାରେ ଖେଳାଯିବ। ଭାରତ ୩.୧ ଓଭର୍ରେ ହିଁ ୫୦ ରନ୍ ପୂରଣ କରିଥିଲା। ଏହା ଟିମ୍ର ଦ୍ରୁତତମ ଟି-୨୦ ଫିଫ୍ଟି। ଏହା ପୂର୍ବରୁ ୨୦୨୩ରେ ବାଂଲାଦେଶ ବିପକ୍ଷରେ ୩.୪ ଓଭର୍ରେ ୫୦ ରନ୍ ପୂରଣ କରିଥିଲା। ଈଶାନ୍ କିଶନ୍ ୨୮ ଏବଂ ସଞ୍ଜୁ ସାମ୍ସନ୍ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ଅଭିଷେକ ଭାରତ ପକ୍ଷରୁ ଦ୍ୱିତୀୟ ଦ୍ରୁତ ଟି-୨୦ ଅର୍ଦ୍ଧଶତକ ରେକର୍ଡ କରିଛନ୍ତି। ୨୦୦୭ରେ ଯୁବରାଜ ସିଂହ ୧୨ ବଲ୍ରେ ୫୦ ରନ୍ ପୂରଣ କରିଥିଲେ। ଏହା ସହିତ ଅଭିଷେକ ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ରୁତତମ ଅର୍ଦ୍ଧଶତକର ରେକର୍ଡ କରିଛନ୍ତି। ଏହା ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ପକ୍ଷରୁ ଗ୍ଲେନ୍ ଫିଲିପ୍ସ (୪୮), ମାର୍କ ଚାପ୍ମ୍ୟାନ୍ (୩୨), କ୍ୟାପ୍ଟେନ୍ ମିଚେଲ୍ ସାଣ୍ଟନର୍ (୨୭), ଡାରିଲ୍ ମିଚେଲ୍ (୧୪) ଏବଂ ଟିମ୍ ସେଫର୍ଟ (୧୨)ଙ୍କୁ ଛାଡ଼ିଦେଲେ ଅନ୍ୟ କେହି ଦୁଇଅଙ୍କ ମଧ୍ୟ ଛୁଇଁପାରି ନଥିଲେ। ସିରିଜ୍ରେ ୩-୦ର ଅଜେୟ ଅଗ୍ରଣୀ ସହିତ ନୁୁ୍ୟଜିଲାଣ୍ଡକୁ ଭାରତ ଲଗାତାର ପଞ୍ଚମ ଟି-୨୦ ସିରିଜ୍ରେ ହରାଇ ଦେଇଛି। ୨୦୧୯ରେ ନ୍ୟୁଜିଲାଣ୍ଡ ନିଜ ଘରୋଇ ମାଟିରେ ଶେଷଥର ପାଇଁ ଭାରତକୁ ହରାଇଥିଲା। ଟିମ୍ ଭାରତରେ ଗୋଟିଏ ବି ଟି-୨୦ ସିରିଜ୍ ଜିତିପାରି ନାହିଁ।










