କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ୱିଜରଲ୍ୟାଣ୍ଡର ଡାଭୋସଠାରେ ଆୟୋଜିତ ବିଶ୍ୱ ଆର୍ଥିକ ମଞ୍ଚରେ ‘‘ଏଆଇ ପାୱାର ପ୍ଲେ’’ ଶୀର୍ଷକ ଏକ ବିଶ୍ୱସ୍ତରୀୟ ଶୀର୍ଷ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି। ଏହି ଆଲୋଚନାରେ କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସମ୍ବନ୍ଧୀୟ ପରିବର୍ତ୍ତିତ ଭୂରାଜନୈତିକ ଦୃଶ୍ୟପଟ, ଏହାର ଆର୍ଥିକ ପ୍ରଭାବ, ଶାସନଗତ ଆହ୍ୱାନ ଏବଂ ଏହାର ସମାବେଶୀ ନିୟୋଜନ ପାଇଁ ପଦକ୍ଷେପ ଉପରେ ବିସ୍ତୃତ ବିଚାରବିମର୍ଶ କରାଯାଇଛି । ବିଶ୍ୱର ପ୍ରମୁଖ ନୀତି ନିର୍ଦ୍ଧାରକ, ଶିଳ୍ପ ନେତା ଏବଂ ବହୁପାକ୍ଷିକ ପ୍ରତିଷ୍ଠାନଗୁଡ଼ିକର ପ୍ରତିନିଧିଙ୍କ ଅଂଶଗ୍ରହଣ ସହିତ ଏହି ଆଲୋଚନାରେ ଶକ୍ତି ସନ୍ତୁଳନ, ଉତ୍ପାଦକତା ବୃଦ୍ଧି ଏବଂ ଦେଶଗୁଡ଼ିକରେ ନୀତିଗତ ଢାଞ୍ଚାରେ ପରିବର୍ତ୍ତନ ଉପରେ ଏଆଇର ପ୍ରଭାବ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା।
ୟୁରେସିଆ ଗ୍ରୁପର ଅଧ୍ୟକ୍ଷ ଇଆନ ବ୍ରେମର ଏହି ପ୍ୟାନେଲ ଆଲୋଚନାକୁ ପରିଚାଳନା କରିଥିଲେ। ଏଥିରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ପରିଚାଳନା ନିର୍ଦ୍ଦେଶକ ସୁଶ୍ରୀ କ୍ରିଷ୍ଟାଲିନା ଜର୍ଜିଭା, ମାଇକ୍ରୋସଫ୍ଟର ସଭାପତି ବ୍ରାଡ ସ୍ମିଥ, ସାଉଦୀ ଆରବର ନିବେଶ ମନ୍ତ୍ରୀ ଖାଲିଦ ଅଲ-ଫଲିହ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ଅନେକ ବିଶିଷ୍ଟ ବକ୍ତା ଯୋଗ ଦେଇଥିଲେ।
ଆଲୋଚନାରେ ଶ୍ରୀ ବୈଷ୍ଣବ କହିଥିଲେ, ଭାରତ ସ୍ପଷ୍ଟ ଭାବରେ ଏଆଇ ଗ୍ରହଣ ଏବଂ ବିକାଶ କରିବାରେ ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ରହିଛି । ଏଆଇ ଢାଞ୍ଚାର ସମସ୍ତ ପାଞ୍ଚଟି ସ୍ତର: ପ୍ରୟୋଗ, ମଡେଲ, ଚିପ୍ସ, ଭିତ୍ତିଭୂମି ଏବଂ ଶକ୍ତି କ୍ଷେତ୍ରରେ ଦେଶ ବ୍ୟବସ୍ଥିତ ପ୍ରଗତି ହାସଲ କରିଛି। ସେ ଏହା ମଧ୍ୟ କହିଥିଲେ, ଭାରତର ଏଆଇ ରଣନୀତି ମୁଖ୍ୟତଃ ବଡ଼ ମଡେଲ ଉପରେ ଅତ୍ୟଧିକ ଧ୍ୟାନ ଦେବା ପରିବର୍ତ୍ତେ ବାସ୍ତବ ଦୁନିଆରେ ଏହାକୁ କାର୍ଯ୍ୟକାରୀ କରିବା ଏବଂ ନିବେଶ ଉପରେ ରିଟର୍ଣ୍ଣ ସୁନିଶ୍ଚିତ କରିବା ଉପରେ କେନ୍ଦ୍ରିତ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସବୁଠାରୁ ବଡ଼ ମଡେଲ ନିର୍ମାଣ କରି ନିବେଶ ଉପରେ ରିଟର୍ଣ୍ଣ ହାସଲ କରାଯାଏ ନାହିଁ। ପ୍ରାୟ 95% ବାସ୍ତବ-ବିଶ୍ୱ ବ୍ୟବହାର ମାମଲା 20-50 ବିଲିୟନ ପାରାମିଟର ପରିସର ସହିତ ମଡେଲ ବ୍ୟବହାର କରି ସମାଧାନ କରାଯାଇପାରିବ। ଭାରତ ପୂର୍ବରୁ ଦକ୍ଷ ଏବଂ ସୁଲଭ ପ୍ରଯୁକ୍ତିବିଦ୍ୟା ମଡେଲ ବିକଶିତ କରିଛି, ଯାହା ଉତ୍ପାଦନ, ଦକ୍ଷତା ଏବଂ ପ୍ରଯୁକ୍ତିର ପ୍ରଭାବଶାଳୀ ବ୍ୟବହାର ବୃଦ୍ଧି କରିବା ପାଇଁ ବିଭିନ୍ନ କ୍ଷେତ୍ରରେ ସଫଳତାର ସହ କାର୍ଯ୍ୟକାରୀ କରାଯାଉଛି। ସର୍ବନିମ୍ନ ମୂଲ୍ୟରେ ସର୍ବାଧିକ ଲାଭ ଉପରେ ଧ୍ୟାନ କେନ୍ଦ୍ରିତ ଏହି ପଦ୍ଧତି, ଆର୍ଥିକ ଭାବରେ ସ୍ଥାୟୀ ଏଆଇ କାର୍ଯ୍ୟକାରୀ କରିବା ଲାଗି ଭାରତର ନୀତିକୁ ସ୍ପଷ୍ଟ କରେ। ବିଶ୍ୱ ମାନଦଣ୍ଡକୁ ଉଦ୍ଧୃତ କରି ଶ୍ରୀ ବୈଷ୍ଣବ ଆଇଏମଏଫ ରେଙ୍କିଙ୍ଗ୍ ଉପରେ ପ୍ରଶ୍ନ ଉଠାଇ କହିଥିଲେ, ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ରିପୋର୍ଟ ଅନୁଯାୟୀ, ଭାରତ ଏଆଇ ଉପଲବ୍ଧତା ଓ ପ୍ରସ୍ତୁତିରେ ବିଶ୍ୱ ସ୍ତରରେ ତୃତୀୟ ଏବଂ ଏଆଇ ପ୍ରତିଭାରେ ଦ୍ୱିତୀୟ ସ୍ଥାନରେ ରହିଛି।
ଭାରତରେ ଏଆଇ ଗ୍ରହଣୀୟତାକୁ ବ୍ୟାପକ କରିବା ଏବଂ ଉନ୍ନତ ଏଆଇ କ୍ଷମତାର ଉପଲବ୍ଧତାକୁ ସାର୍ବଜନୀନ କରିବାର ଆବଶ୍ୟକତା ଉପରେ ଶ୍ରୀ ବୈଷ୍ଣବ ଗୁରୁତ୍ୱାରୋପ କରିଥିଲେ। ଏହି ପରିପ୍ରେକ୍ଷୀରେ ସେ ଏକ ସରକାରୀ-ଘରୋଇ ସହଭାଗୀତା ମଡେଲ ମାଧ୍ୟମରେ ଜିପିୟୁ ଉପଲବ୍ଧତାର ଗୁରୁତ୍ୱପୂର୍ଣ୍ଣ ପ୍ରତିବନ୍ଧକକୁ ଦୂର କରିବା ପାଇଁ ସରକାରଙ୍କ ନିଷ୍ପତ୍ତି ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ଏହି ପଦକ୍ଷେପ ଅଧୀନରେ, 38,000 ଜିପିୟୁକୁ ଏକ ସହଭାଗୀ ଜାତୀୟ କମ୍ପ୍ୟୁଟିଂ ସୁବିଧା ଭାବରେ ତାଲିକାଭୁକ୍ତ କରାଯାଇଛି । ଏଥିପାଇଁ ସରକାର ସବସିଡି ଦେଇଛନ୍ତି ଏବଂ ଛାତ୍ରଛାତ୍ରୀ, ଗବେଷକ ଓ ଷ୍ଟାର୍ଟଅପ୍ ପାଇଁ ବିଶ୍ୱ ମୂଲ୍ୟର ପ୍ରାୟ ଏକ ତୃତୀୟାଂଶ ମୂଲ୍ୟରେ ଉପଲବ୍ଧ କରାଯାଇଛି। ସେ ଭାରତର ଦେଶବ୍ୟାପୀ ଏଆଇ ଦକ୍ଷତା କାର୍ଯ୍ୟକ୍ରମ ଉପରେ ମଧ୍ୟ ଆଲୋକପାତ କରିଥିଲେ, ଯାହାର ଲକ୍ଷ୍ୟ 1 କୋଟି ଲୋକଙ୍କୁ ତାଲିମ ଦେବା। ଏହାଦ୍ୱାରା ଭାରତର ଆଇଟି ଶିଳ୍ପ ଓ ଷ୍ଟାର୍ଟଅପ୍ ଘରୋଇ ଏବଂ ବିଶ୍ୱ ସେବା ପ୍ରଦାନ ପାଇଁ ଏଆଇକୁ ପ୍ରଭାବଶାଳୀ ଭାବରେ ବ୍ୟବହାର କରିପାରିବେ।
ନିୟାମକ ଏବଂ ପ୍ରଶାସନ ସମ୍ପର୍କରେ, ଶ୍ରୀ ବୈଷ୍ଣବ ଏଆଇ ପ୍ରତି ଏକ ଟେକ୍ନୋ-ଲିଗାଲ ବା ବୈଷୟିକ-ଆଇନଗତ ପଦ୍ଧତିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ଏଆଇ ଶାସନ କେବଳ ଆଇନ ଉପରେ ନିର୍ଭର କରିପାରିବ ନାହିଁ; ଆମକୁ ପକ୍ଷପାତ ଚିହ୍ନଟ କରିବା ପାଇଁ ପ୍ରଯୁକ୍ତିବିଦ୍ୟା ଉପକରଣ ବିକଶିତ କରିବାକୁ ପଡିବ, ଅଦାଲତରେ ସ୍ୱୀକୃତିପ୍ରାପ୍ତ ସଠିକତା ସହିତ ଡିପଫେକ୍ ପ୍ରମାଣିତ କରିବାକୁ ପଡିବ ଏବଂ ଅନଲର୍ଣ୍ଣିଂ ଭଳି ପ୍ରକ୍ରିୟା ମାଧ୍ୟମରେ ସୁରକ୍ଷିତ କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ ପଡିବ। ସେ ଆହୁରି ମଧ୍ୟ କହିଥିଲେ, ଭାରତ ସକ୍ରିୟ ଭାବରେ ଏପରି ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ସୁରକ୍ଷା ବ୍ୟବସ୍ଥା ବିକଶିତ କରୁଛି।
ଆଲୋଚନା ସମୟରେ ଅନ୍ୟ ବକ୍ତାମାନେ ମଧ୍ୟ ବିଶ୍ୱ ଏଆଇ ଦୃଶ୍ୟପଟରେ ଭାରତର ବୃଦ୍ଧି ପାଉଥିବା ଗୁରୁତ୍ୱକୁ ସ୍ୱୀକାର କରିଥିଲେ। ଇଆନ ବ୍ରେମର୍ ଉଲ୍ଲେଖ କରିଥିଲେ, ଭାରତ ଗତ ଏକ ଦଶନ୍ଧି ମଧ୍ୟରେ ଏକ ପ୍ରମୁଖ ଭୂରାଜନୈତିକ ଏବଂ ପ୍ରଯୁକ୍ତିବିଦ୍ୟା ଶକ୍ତି ଭାବରେ ଉଭା ହୋଇଛି। ବିଶ୍ୱସ୍ତରୀୟ ପ୍ରତିଷ୍ଠାନ ଏବଂ ଶିଳ୍ପର ପ୍ରତିନିଧିମାନେ ମଧ୍ୟ ଉଦୀୟମାନ ଅର୍ଥବ୍ୟବସ୍ଥା ପାଇଁ ଏକ ଉଦାହରଣ ଭାବରେ ଭାରତର ବ୍ୟାପକତା, ପ୍ରସାର ଏବଂ ସାର୍ବଭୌମ କ୍ଷମତା ଉପରେ ରହିଥିବା ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।










