ଭୁବନେଶ୍ୱର: ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ପରମ୍ପରାକୁ ଆଧୁନିକ ଫ୍ୟାଶନ୍ ମାଧ୍ୟମରେ ଉପସ୍ଥାପିତ କରିବା ଉଦ୍ଦେଶ୍ୟକୁ ନେଇ , ଓରମାସ ଓ ସୁଭଦ୍ରା ଶକ୍ତିପକ୍ଷରୁ ‘ଶିଶିର ସରସ-୨୦୨୬’ ପରିସରରେ ଶୁକ୍ରବାର ସନ୍ଧ୍ୟାରେ ବିଶେଷ ହସ୍ତତନ୍ତ ଫ୍ୟାଶନ ଶୋ ‘ସ୍ୱ-ତନ୍ତ’ ଆୟୋଜିତ ହୋଇଥିଲା। ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତକୁ ଫ୍ୟାଶନ ସହ ଯୋଡ଼ି ଦର୍ଶକଙ୍କ ମନ ମୋହିଥିଲା।
‘ସ୍ୱ-ତନ୍ତ’-‘ସ୍ୱ’ (ଆମର) ଓ ‘ତନ୍ତ’ (ହସ୍ତତନ୍ତ) ଶବ୍ଦର ସଂଯୋଗରେ ଓଡ଼ିଶାର ସଂସ୍କୃତିକ ପରିଚୟ ଦେବା ପାଇଁ ଏହି ଫ୍ୟାଶନ ଶୋରେ ସୋନପୁରୀ ହସ୍ତତନ୍ତ, କୋଟପାଡ଼ ବସ୍ତ୍ର , ଢୋକ୍ରା ହସ୍ତଶିଳ୍ପ ଓ ଡୋଙ୍ଗରିଆ ଏମ୍ବ୍ରଡୋରୀ ପରି ପୁରାତନ କଳାକୃତିକୁ ଆଧୁନିକ ଡିଜାଇନରେ ପରିଣତ କରି ଉପସ୍ଥାପନ କରାଯାଇଥିଲା। ପାରମ୍ପରିକ କଳାକୃତିକୁ ସ୍ଥାୟୀତ୍ୱ ଓ ଆଧୁନିକ ଜୀବନଶୈଳୀ ସହ ଯୋଡ଼ିବା ଏହି ଶୋର ମୂଳ ଉଦ୍ଦେଶ୍ୟ ଥିଲା। ଏହି ଫ୍ୟାଶନ୍ ଶୋରେ ଓଲିଉଡ଼ର ଲୋକପ୍ରିୟ କଳାକାର ପ୍ରକୃତି ମିଶ୍ର, ସ୍ୱପ୍ନା ପ୍ରିୟଦର୍ଶିନୀ, ବିଏମ୍ ବୈଶାଳୀ ଓ ସୂର୍ଯ୍ୟମୟୀ ମହାପାତ୍ର ର୍ୟାମ୍ପ୍ରେ ହସ୍ତତନ୍ତ ପୋଷାକ ପରିଧାନ କରି ଦର୍ଶକଙ୍କ ମନ ମୋହିଥିଲେ। ସେମାନଙ୍କ ସହ ପ୍ରାୟ ୩୦ଜଣ ମଡେଲ୍ ମଧ୍ୟ ର୍ୟାମ୍ପ୍ୱାକ୍ କରି ଓଡ଼ିଶାର ହସ୍ତତନ୍ତକୁ ଏକ ଆଧୁନିକ ଫ୍ୟାଶନ୍ ଭାବରେ ରେ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟର ବିଶିଷ୍ଠ ଡିଜାଇନର ଓରମାସ ପାଇଁ ବିଶେଷ ଭାବେ ପୋଷାକ ଡିଜାଇନ୍ କରିଥିଲେ। ତାଙ୍କ ଡିଜାଇନ୍ରେ ପ୍ରାକୃତିକ ରଙ୍ଗ, ପାରମ୍ପରିକ ନକ୍ସା ଓ ସ୍ଥାନୀୟ କାରିଗରୀ କୌଶଳର ସୁନ୍ଦର ସମନ୍ୱୟ ଦେଖିବାକୁ ମିଳିଥିଲା। ଓରମାସ ପକ୍ଷରୁ ଆୟୋଜିତ ‘ସ୍ୱ-ତନ୍ତ’ ଫ୍ୟାଶନ୍ ଶୋ ମାଧ୍ୟମରେ ହସ୍ତତନ୍ତକୁ କେବଳ ପାରମ୍ପରିକ କଳା ଭାବେ ନୁହେଁ, ବରଂ ଏକ ଆଧୁନିକ ଓ ବଜାର-ସଂଯୋଗୀ ଡିଜାଇନ୍ ଭାବେ ଉପସ୍ଥାପନ କରାଯାଇଛି। “ଇନହେରିଟେଡ୍ ଫ୍ରମ୍ ଦ ପାଷ୍ଟ, ଡିଜାଇନଡ୍ ଫର୍ ଦ ଫ୍ୟୁଚର୍” ବାର୍ତ୍ତାକୁ ସାକାର କରିଥିବା ଏହି କାର୍ଯ୍ୟକ୍ରମ ଦର୍ଶକଙ୍କ ମଧ୍ୟରେ ଭାରି ପ୍ରଶଂସା ଲାଭ କରିଥିଲା।










