ନୂଆଦିଲ୍ଲୀ: ପ୍ରତି ଦଶନ୍ଧିରେ ହିନ୍ଦୁ ଜନସଂଖ୍ୟାର ଦଶନ୍ଧି ଗତ ଅଭିବୃଦ୍ଧି ହାର ହ୍ରାସ ପାଇବାରେ ଲାଗିଛି। ଦେଶର ଜଣେ ଜଣାଶୁଣା ସାମ୍ବାଦିକ ତଥା ବିଜେପି ଜାତୀୟ ପ୍ରବକ୍ତା ପ୍ରଦୀପ ଭଣ୍ଡାରୀ ୪୦୦ ଲୋକସଭା ନିର୍ବାଚନମଣ୍ଡଳୀରେ ଏହାର ଏକ ବିସ୍ତୃତ, ଜନସଂଖ୍ୟାଗତ ଢାଞ୍ଚା ପ୍ରକାଶ କରିଥିବା ବେଳେ ଏପ୍ରକାର ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ଶ୍ରୀ ଭଣ୍ଡାରୀ ଦର୍ଶାଇଛନ୍ତି ଯେ, ଏପ୍ରକାର ସମସ୍ୟା ଲାଗି ରହିବା ଦ୍ୱାରା ଭାରତର ଗଣତାନ୍ତ୍ରିକ ଭବିଷ୍ୟତ ବିପଦରେ ପଡ଼ିପାରେ। ସୁତରାଂ ଏବେ ଠୁ ଏଦିଗରେ ସତର୍କ ତଥା ସଚେତନ ରହିବା ଜରୁରି ହୋଇପଡିଛି। ତେବେ ପରିବର୍ତ୍ତନଶୀଳ ଧାର୍ମିକ ଜନସଂଖ୍ୟା କିଭଳି ଭାରତୀୟ ରାଜ୍ୟଗୁଡ଼ିକରେ ନିର୍ବାଚନ ଫଳାଫଳ, ସାମ୍ବିଧାନିକ ଅଧିକାର ଏବଂ ଶାସନ ଢାଞ୍ଚାକୁ ମୌଳିକ ଭାବରେ ପରିବର୍ତ୍ତନ କରୁଛି ତାହା ସେ ଦର୍ଶାଇଛନ୍ତି। ଭଣ୍ଡାରୀ ଏହି ଅବସରରେ ପିଏଫ୍ଆଇ ୨୦୪୭ ଏଜେଣ୍ଡାକୁ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ ମାଲାପ୍ପୁରମରୁ ଆସାମ ପର୍ଯ୍ୟନ୍ତ ରାଜ୍ୟଗୁଡ଼ିକର ଲୋକସଭା ନିର୍ବାଚନ ମଣ୍ଡଳୀଗୁଡ଼ିକରୁ ସଂଗ୍ରହୃତ ରେକର୍ଡକୁ ପ୍ରମାଣ ଭାବେ ଉପସ୍ଥାପନ କରିଛନ୍ତି। ଭଣ୍ଡାରୀ ପ୍ରଦାନ କରିଥିବା ତଥ୍ୟ ଭିତରେ ହିନ୍ଦୁ ଜନସଂଖ୍ୟା ହ୍ରାସ ହେବାର ମୁଖ୍ୟ କାରଣଗୁଡିକ ମଧ୍ୟରେ ଆତଙ୍କବାଦ ମାମଲା, ହିନ୍ଦୁ ଜନସଂଖ୍ୟା ମୁସଲିମ ଜନସଂଖ୍ୟା ତୁଳନାରେ ଦ୍ରୁତ ଗତିରେ ହ୍ରାସ ପାଇବା, ୩୦ରୁ ୪୦ପ୍ରତିଶତ ମୁସଲିମ ଜନସଂଖ୍ୟା ରାଜନୈତିକ କିଙ୍ଗମେକର ତିଆରି କରିବା, ହିନ୍ଦୁ ସଂଖ୍ୟାଲଘୁ ବନାମ ମୁସଲିମ ସଂଖ୍ୟାଲଘୁରୁ ବହୁସଂଖ୍ୟକ ଧର୍ମାନ୍ତରୀକରଣ ଇତ୍ୟାଦି ରହିଛି। ତେବେ ଭଣ୍ଡାରୀଙ୍କ ଏହି ତଥ୍ୟ ନୀତି ବିଶ୍ଳେଷକ, ଭାରତୀୟ ଗଣତନ୍ତ୍ରର ଛାତ୍ର ଏବଂ ଭାରତର ଦୀର୍ଘକାଳୀନ ଗଣତାନ୍ତ୍ରିକ ସ୍ଥିରତା ବିଷୟରେ ଚିନ୍ତା କରୁଥିବା ନାଗରିକମାନଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି। ପ୍ରଦୀପ ଭଣ୍ଡାରୀଙ୍କ ପୂର୍ବରୁ ଅନ୍ତର୍ଜାତୀୟ ହିନ୍ଦୁ ପରିଷଦର ପ୍ରତିଷ୍ଠାତା ଏବଂ ସଭାପତି ପ୍ରବୀଣ ତୋଗାଡ଼ିଆ ମଧ୍ୟ ଅନ୍ତର୍ଜାତୀୟ ହିନ୍ଦୁ ପରିଷଦ ଏବଂ ରାଷ୍ଟ୍ରୀୟ ବଜରଙ୍ଗ ଦଳ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଥିଲେ, ୨୦୦୦ ବର୍ଷ ପୂର୍ବେ ସାରା ବିଶ୍ୱରେ ହିନ୍ଦୁ ଥିଲେ, କିନ୍ତୁ ଆଜି ବିଶ୍ୱର ୮୦୦ କୋଟି ଜନସଂଖ୍ୟା ମଧ୍ୟରୁ କେବଳ ୧୦୦ କୋଟି ହିନ୍ଦୁ ଅଛନ୍ତି। ତୋଗାଡ଼ିଆଙ୍କ କହିବାନୁସାରେ ଆଗାମୀ ୭୦ରୁ ୮୦ ବର୍ଷ ମଧ୍ୟରେ ଭାରତରେ ହିନ୍ଦୁଙ୍କ ସଂଖ୍ୟା ଆହୁରି ହ୍ରାସ ପାଇବ, ଯାହା ୧୦୦ କୋଟିରୁ ୫୦ କୋଟିକୁ ହ୍ରାସ ପାଇବ। ସରକାରଙ୍କୁ ଏକ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ କରିବାକୁ ହେବ ଏବଂ ବେଆଇନ କାର୍ଯ୍ୟକଳାପ ଆଇନ କାର୍ଯ୍ୟକାରୀ କରିବାକୁ ହେବ ବୋଲି ସେ କହିଥିଲେ।










