ନୂଆଦିଲ୍ଲୀ: କେନ୍ଦ୍ରୀୟ ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କର ସାକ୍ଷାତକାର । ଏହି ଅବସରରେ ମନ୍ତ୍ରୀଙ୍କ ନିକଟରେ ସାଂସଦ ଷଡଙ୍ଗୀ ନିଜ ସଂସଦୀୟ କ୍ଷେତ୍ର ପାଇଁ ୩ଟି ଦାବି ଉପସ୍ଥାପିତ କରିଥିଲେ । ଯେପରିକି ବଢୁଥିବା ଯାତାୟତ ଭିଡକୁ ଦୃଷ୍ଟିରେ ରଖି ବେଗୁନିଆ, ସୁନାଖୋଳା ଏବଂ ପୁବୁ ସାହିରେ ତିନୋଟି ବାଇପାସ ନିର୍ମାଣ କରାଯାଉ ।ଯାହାର ଆନୁମାନିକ ଖର୍ଚ୍ଚ ପ୍ରାୟ ୧୦୦ କୋଟି ଟଙ୍କା ଏବଂ ଏନଏଚ ୫୭ ଅନ୍ତର୍ଗତ ଖୋର୍ଦ୍ଧା, ନୟାଗଡ ୬୫ କିଲୋମିଟର ରାସ୍ତାକୁ ୪ ଲେନ କରିବା, ଯାହାର ଆନୁମାନିକ ଖର୍ଚ୍ଚ ୧୬୦୦ କୋଟିରୁ ଅଧିକ । ଏବଂ ଏନଏଚ ୫୭ରେ ବେଗୁନିଆ ଅଞ୍ଚଳର ଅଟ୍ରି ଏବଂ ବାଘମାରୀ ନିକଟରେ ଯାନବାହାନ ଅଣ୍ଡରପାସ ନିର୍ମାଣ କରାଯାଉ । ଏଥିପାଇଁ ସାଂସଦ ଲିଖିତ ଭାବେ ଅନୁରୋଧ କରିଥିଲେ । ଏଥି ସହିତ ପ୍ରାୟ ୧୧୧ କୋଟି ବ୍ୟୟରେ ତିନୋଟି ବାଇପାସ ଏବଂ ଭିୟୁପିକୁ ମଧ୍ୟ ଅନୁମୋଦନ ମିଳିଥିବା ନେଇ ଜଣାଇଛନ୍ତି ଭୁବନେଶ୍ୱର ସାଂସଦ ।








