32.9 C
Bhubaneswar
Wednesday, June 3, 2026
Homeଓଡିଶାରାଜ୍ୟ ଶ୍ରମ ସଂସ୍ଥାନ, ଓଡ଼ିଶାର ୧୩ତମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ରାଜ୍ୟ ଶ୍ରମ ସଂସ୍ଥାନ, ଓଡ଼ିଶାର ୧୩ତମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ରାଜ୍ୟ ଶ୍ରମ ସଂସ୍ଥାନ, ଓଡ଼ିଶାର ୧୩ତମ ସାଧାରଣ ପରିଷଦ ବୈଠକ ଆଜି ସ୍ଥାନୀୟ ଖାରବେଳ ଭବନର ପଞ୍ଚମ ମହଲା ସମ୍ମିଳନୀ କକ୍ଷରେ ମାନ୍ୟବର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି ମାନ୍ୟବର ମନ୍ତ୍ରୀ କହିଥିଲେ ଯେ ରାଜ୍ୟ ଶ୍ରମ ସଂସ୍ଥାନକୁ ଅଧିକ କ୍ରିୟାଶୀଳ, ଦକ୍ଷ ଏବଂ ଲୋକାଭିମୁଖୀ କରିବା ପାଇଁ ସମସ୍ତ ସଦସ୍ୟଙ୍କ ସକ୍ରିୟ ସହଯୋଗ ଓ ପରାମର୍ଶ ଆବଶ୍ୟକ। ଶ୍ରମିକଙ୍କ କଲ୍ୟାଣ ଓ କ୍ଷମତା ବିକାଶ ଦିଗରେ ସଂସ୍ଥାନର ଭୂମିକାକୁ ଆହୁରି ସୁଦୃଢ଼ କରିବା ପାଇଁ ସମସ୍ତଙ୍କ ସମନ୍ୱିତ ପ୍ରୟାସ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ପ୍ରାରମ୍ଭରେ ରାଜ୍ୟ ଶ୍ରମ ସଂସ୍ଥାନର ନିର୍ଦ୍ଦେଶକ ତଥା ଶ୍ରମ ଆୟୁକ୍ତ ଶ୍ରୀ ଇନ୍ଦ୍ରମଣୀ ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରି ସଂସ୍ଥାନ ପକ୍ଷରୁ ପରିଚାଳିତ ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରଶିକ୍ଷଣମୂଳକ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ବୈଠକରେ ପୂର୍ବ ନିର୍ଦ୍ଧାରିତ ଏଜେଣ୍ଡା ଅନୁଯାୟୀ ବିଭିନ୍ନ ବିଷୟ ଉପରେ ସଦସ୍ୟମାନଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଥିଲା। ଆଲୋଚନା ପରେ ରାଜ୍ୟ ଶ୍ରମ ସଂସ୍ଥାନ ପାଇଁ ଏକ ନୂତନ ଭବନ ନିର୍ମାଣ ଏବଂ ସଂସ୍ଥାନର କାର୍ଯ୍ୟକ୍ରମକୁ ଅଧିକ ପ୍ରଭାବଶାଳୀ ଭାବେ ପରିଚାଳନା କରିବା ନିମନ୍ତେ ଆବଶ୍ୟକ ମାନବ ସମ୍ବଳ ନିଯୁକ୍ତି ସମ୍ପର୍କିତ ପ୍ରସ୍ତାବ ଆଗତ କରାଗଲା। ସଂସ୍ଥାନର ଉପାଧ୍ୟକ୍ଷା ତଥା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଆଗାମୀ ଦିନରେ ଏହି ଶ୍ରମ ସଂସ୍ଥାନକୁ ଅଧିକ ଲୋକାଭିମୁଖୀ କରିବା ସହ ବିଭିନ୍ନ ଶ୍ରମ ସଂହିତା ସମ୍ବନ୍ଧୀୟ ବ୍ୟାପକ ପ୍ରଶିକ୍ଷଣ ପ୍ରଦାନ କରାଯିବ ।

କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ହିନ୍ଦ ମଜଦୁର ସଭାର ପ୍ରତିନିଧି ତଥା ବିଧାୟକ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଭାରତୀୟ ମଜଦୁର ସଂଘର ଶ୍ରୀ କେ.ଏମ୍. ରାଓ ଓ ଶ୍ରୀ ବିନୟ ତ୍ରିପାଠୀ, ଇଣ୍ଡିଆନ ଟ୍ରେଡ୍ ୟୁନିୟନ କଂଗ୍ରେସର ଶ୍ରୀ ଧରଣୀଧର ସ୍ୱାଇଁ ଏବଂ ସେଣ୍ଟର ଫର୍ ଇଣ୍ଡିଆନ ଟ୍ରେଡ୍ ୟୁନିୟନ୍ସର ଶ୍ରୀ ଉଲ୍ଲାସ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ମାଲିକ ପକ୍ଷର ପ୍ରତିନିଧି ଭାବେ ନାଲକୋର ଶ୍ରୀମତୀ ଶିମନୀ ମହାପାତ୍ର, ଟାଟା ଷ୍ଟିଲର ଶ୍ରୀ ସାଇଦର୍ଶନ ପାଣିଗ୍ରାହୀ ଏବଂ ଇଫକୋ ଲିମିଟେଡର ଶ୍ରୀ ପି.କେ. ମହାପାତ୍ର ଉପସ୍ଥିତ ଥିଲେ। ଏହାସହ ଏକାଡେମିସିଆନ ଭାବେ ଡ. ମୌସୁମୀ ପାଢ଼ୀ, ଡ. ହରେକୃଷ୍ଣ ସ୍ୱାଇଁ, ଡ. ମଧୁଛନ୍ଦା ମହାନ୍ତି ଏବଂ ପ୍ରଫେସର ସୁଶାନ୍ତ କୁମାର ଦାଶ ବୈଠକରେ ଯୋଗଦେଇ ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରମ ଓ ରାଜ୍ୟ କର୍ମଚାରୀ ବିଭାଗର ବରିଷ୍ଠ ଅଧିକାରୀ ଏବଂ ପଦାଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking