16.1 C
Bhubaneswar
Monday, February 9, 2026
Homeଓଡିଶାଚାଷୀମାନଙ୍କୁ ଧାନସଂଗ୍ରହ ଦେୟ ପ୍ରଦାନରେ ସ୍ୱଚ୍ଛତା ଅବଲମ୍ବନ

ଚାଷୀମାନଙ୍କୁ ଧାନସଂଗ୍ରହ ଦେୟ ପ୍ରଦାନରେ ସ୍ୱଚ୍ଛତା ଅବଲମ୍ବନ

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟର ୧୮ଟି ଜିଲ୍ଲାରେ ଧାନସଂଗ୍ରହ ଜାରି ରହିଛି । ଏ ପର୍ଯ୍ୟନ୍ତ ଦୁଇ ଲକ୍ଷ ୭୧ ହଜାର ୩୧୮ ଜଣ ଚାଷୀ ମଣ୍ଡିରେ ଧାନବିକ୍ରୟ କରିଛନ୍ତି । ସେମାନଙ୍କ ମଧ୍ୟରୁ ଏକ ଲକ୍ଷ ୮୫ ହଜାର ୮୨୦ ଜଣ ଚାଷୀଙ୍କ ଆକାଉଣ୍ଟକୁ ବିକ୍ରୟ ରାଶି ପ୍ରଦାନ କରାଯାଇଛି । ଧାନ ବିକ୍ରୟର ୪୮ ଘଣ୍ଟା ମଧ୍ୟରେ ଏହି ଅର୍ଥରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଏ ପର୍ଯ୍ୟନ୍ତ ସର୍ବନିମ୍ନ ସହାୟତା ମୂଲ୍ୟ ବାବଦକୁ ୨୨୪୭ କୋଟି ୫୨ ଲକ୍ଷ ଟଙ୍କା ଏବଂ ଇନ୍‌ପୁଟ ସହାୟତା ରାଶି ଭାବେ ୬୯୩ କୋଟି ୫୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

ଚାଷୀମାନଙ୍କୁ ସେମାନଙ୍କ ଦେୟ ପ୍ରଦାନ ପାଇଁ ଆଧାରସଂଯୁକ୍ତ ଦେୟ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ୟାଡ଼ି ପ୍ରୋକ୍ୟୁରମେଣ୍ଟ ଅଟୋମେସନ୍‌ ସିଷ୍ଟମ୍‌ ସହ ସଂଯୁକ୍ତ ପ୍ରକୃତ ଚାଷୀମାନଙ୍କୁ ସେମାନଙ୍କ ଦେୟ ପ୍ରଦାନ କରାଯିବା ସହ ଏ କ୍ଷେତ୍ରରେ ସ୍ୱଚ୍ଛତା ଅବଲମ୍ବନ କରାଯାଉଛି । ଏ ପର୍ଯ୍ୟନ୍ତ ମାତ୍ର ଏକ ପ୍ରତିଶତରୁ କମ୍‌ ଚାଷୀଙ୍କ ଆକାଉଣ୍ଟକୁ ଦେୟ ପ୍ରଦାନରେ ବିଳମ୍ବ ହୋଇଛି । ସଂପୃକ୍ତ ଚାଷୀମାନଙ୍କ ଆକାଉଣ୍ଟ ବନ୍ଦ ରହିବା, ଆଧାର ସଂଯୁକ୍ତ ନହେବା, କେୱାସି ନ କରିବା ଏବଂ ସର୍ବାଧିକ ନେଣଦେଣ ଇତ୍ୟାଦି କାରଣ ଦେୟ ପ୍ରଦାନ ବିଳମ୍ବର ପ୍ରମୁଖ କାରଣ ବୋଲି ଜଣାପଡ଼ିଛି ।

ଏ ସଂପର୍କରେ ଜଣାପଡ଼ିଲେ ଚାଷୀମାନଙ୍କୁ ସେମାନଙ୍କ ପଞ୍ଜିକୃତ ମୋବାଇଲ ନମ୍ବରକୁ ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ଯୋଗାଯୋଗ କରାଯାଉଛି । ଏତଦ୍‌ବ୍ୟତୀତ ଜିଲ୍ଲାସ୍ତରରେ ମଧ୍ୟ ସମବାୟ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ସଂପୃକ୍ତ ଚାଷୀମାନଙ୍କ ସହ ନିରନ୍ତର ଯୋଗାଯୋଗ କରାଯାଇ ସେମାନଙ୍କ ଆକାଉଣ୍ଟକୁ ଦେୟ ପ୍ରଦାନ ସୁନିଶ୍ଚିତ କରାଯାଉଛି । ଏଥି ସହ ଆବଶ୍ୟକ ସ୍ଥଳେ ଦେୟମୁକ୍ତ ୧୯୬୭ ନମ୍ବରରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking