18.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶଇରାନ୍‌ରେ ହିଂସକ ହେଉଛି ସରକାର ବିରୋଧୀ ବିକ୍ଷୋଭ: ୬ ପ୍ରତିବାଦକାରୀ ମୃତ

ଇରାନ୍‌ରେ ହିଂସକ ହେଉଛି ସରକାର ବିରୋଧୀ ବିକ୍ଷୋଭ: ୬ ପ୍ରତିବାଦକାରୀ ମୃତ

ତେହରାନ୍‌: ଇରାନ୍‌ରେ ସମ୍ପ୍ରତି ଖାମନେଇ ସରକାରଙ୍କ ବିରୋଧରେ ଚାଲିଥିବା ପ୍ରତିବାଦ ହିଂସକ ରୂପ ଧାରଣ କରିବାରେ ଲାଗିଛି। ଇରାନ୍‌ବାସୀ ଏବେ ସରକାରଙ୍କ ବିରୋଧରେ ନାରାବାଜି କରିବା ପୂର୍ବକ ରାସ୍ତାରେ ଜୋରଦାର ପ୍ରତିବାଦ ତଥା ବିକ୍ଷୋଭ କରୁଥିବା ବେଳେ ଏମାନଙ୍କୁ ନିୟନ୍ତ୍ରଣ କରିବାକୁ ଇରାନ୍ ସେନା ବଳ ପ୍ରୟୋଗ କରିବାକୁ ବାଧ୍ୟ ହୋଇଛି। ତେବେ ଏସବୁ ମଧ୍ୟରେ ଗୁରୁବାର ସୁଦ୍ଧା ଏଠାରେ ୫/୬ଜଣଙ୍କ ମୃତ୍ୟୁ ମଧ୍ୟ ହୋଇସାରିଥିବା କୁହାଯାଉଛି। ଏହାକୁ ନେଇ ଏବେ ସମଗ୍ର ବିଶ୍ୱରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସିଧାସଳଖ ଇରାନ୍‌କୁ ଚେତାବନୀ ଦେଇଛନ୍ତି। ରିପୋର୍ଟ ଅନୁସାରେ ଟ୍ରମ୍ପ୍ କହିଛନ୍ତି, ଇରାନ୍ ଯଦି ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରୁଥିବା ପ୍ରତିବାଦକାରୀମାନଙ୍କୁ ଏପ୍ରକାର ହିଂସାତ୍ମକ ଭାବେ ହତ୍ୟା କରେ ତେବେ ଆମେରିକା ହସ୍ତକ୍ଷେପ କରିବାକୁ ବାଧ୍ୟ ହେବ। ଇରାନ୍‌ର ନୀରିହ ଲୋକଙ୍କ ଉପରେ ଅତ୍ୟାଚାର ହେଲେ ଆମେରିକା କଦାପି ଚୁପ୍ ବସିବ ନାହିଁ, ଏହା ନିଶ୍ଚିତ ରୂପେ ଉଦ୍ଧାର କରିବାକୁ ଆସିବ। ତେବେ ଆମେରିକା ଏବଂ ଟ୍ରମ୍ପ୍‌ଙ୍କ ଏପ୍ରକାର ଚେତାବନୀ ଆସିବା ପରେ ପରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ଜଣେ ବରିଷ୍ଠ ପରାମର୍ଶଦାତା ଅଲି ଲାରିଜାନି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ‘ଟ୍ରମ୍ପ୍ ଆମ ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପ କଲେ ପରିଣତି ଭୟଙ୍କର ହେବ। ଟ୍ରମ୍ପ୍ ନିଜ ମନ୍ତବ୍ୟ ଏବଂ ବକ୍ତବ୍ୟ ଉପରେ ସାବଧାନ ରହିବା ଉଚିତ୍‌। ନଚେତ୍ ଏହା ମଧ୍ୟପ୍ରାଚ୍ୟରେ ସମ୍ଭାବ୍ୟ ବିଶୃଙ୍ଖଳାଜନିତ ପରିସ୍ଥିତି ସୃଷ୍ଟି ସହ ଆମେରିକାର ସ୍ୱାର୍ଥକୁ ମଧ୍ୟ ନଷ୍ଟ କରିପାରେ।’

ପ୍ରକାଶ, ଇସ୍ରାଏଲ୍ ସହ ଯୁଦ୍ଧ ମଧ୍ୟରେ ଆମେରିକା ମଧ୍ୟ ଗତବର୍ଷ ଜୁନ୍ ମାସରେ ଇରାନ୍‌ର ପରମାଣୁ ସ୍ଥାନଗୁଡ଼ିକ ଉପରେ ଆକ୍ରମଣ କରିଥିଲା। ଏସବୁ ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶକ୍ରମେ ହିଁ ହୋଇଥିଲା। ସେତେବେଳେ ଆମେରିକୀୟ ଅଧିକାରୀମାନେ ଯୁକ୍ତି ଦେଇଥିଲେ ଯେ ଏହି ଆକ୍ରମଣ ତେହେରାନର ପରମାଣୁ ଅସ୍ତ୍ର ନିର୍ମାଣ କରିବାର ସମ୍ଭାବନାକୁ ନଷ୍ଟ କରିବା ଉଦ୍ଦେଶ୍ୟରେ କରାଯାଇଥିଲା। ଅନ୍ୟପକ୍ଷେ ପ୍ରତିଶୋଧ ସ୍ୱରୂପ, ଇରାନ ମଧ୍ୟ କତାରରେ ଥିବା ଏକ ପ୍ରମୁଖ ଆମେରିକୀୟ ସାମରିକ ଘାଟି ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ଗୋଟିଏ ପଟେ ଆମେରିକୀୟ ଡଲାର ତୁଳନାରେ ଇରାନୀ ମୁଦ୍ରା ରିଆଲର ମୂଲ୍ୟ ବହୁମାତ୍ରାରେ ହ୍ରାସ ପାଇବା ଯୋଗୁ ଇରାନ୍‌ର ବ୍ୟବସାୟିକ ଗୋଷ୍ଠୀ ସରକାର ବିରୋଧରେ ପ୍ରତିବାଦକୁ ସର୍ବପ୍ରଥମେ ଓହ୍ଲାଇଥିଲେ। ପରେ ଦେଶରେ ନିଯୁକ୍ତି, ଶିକ୍ଷା ଆଦି ଅନେକ ପ୍ରସଙ୍ଗକୁ ନେଇ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ମଧ୍ୟ ପ୍ରତିବାଦରେ ସାମିଲ ହୋଇଥିଲେ ଏବଂ ସେମାନେ ଅନେକ ସହରରେ ବ୍ୟାପି ଯାଇଥିଲେ, ଲୋକମାନେ ଦେଶର ଧର୍ମଗୁରୁ ଶାସକମାନଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ। ପ୍ରତିବାଦକାରୀମାନେ ଏବେ ଖାମନେଇ ସରକାରଙ୍କ ପତନ ଏବେ ଦେଶରେ ପୁନଃ ଗଣତାନ୍ତ୍ରିକ ଶାସନ ପାଇଁ ନାରାବାଜି କରୁଥିବା ଦେଖିବାକୁ ମିଳୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking