ପିପିଲି: ପିପିଲି – ସାତଶଙ୍ଖ- ନିମାପଡା ମୁଖ୍ୟ ରାସ୍ତାର ନୂଆହାଟ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଆଜି ଭୋର ସମୟରେ ପଛପଟୁ ଆସୁଥିବା ଏକ ଅଜଣା ଗାଡି ଧକ୍କା ଦେବାରୁ ପିପିଲି ଥାନା ଅନ୍ତର୍ଗତ ବାଲିଗାଁ ଗ୍ରାମର ପ୍ରଭାକର ବେହେରାଙ୍କ ମୃତ୍ୟୁ ହୋଇଛି । ମୃତକ ପ୍ରଭାକର ପରିବାର ସହ ଚିଲିକାକୁ ପିକନିକ ଯାଉଥିଲେ । ଆଉ କିଛି ସମୟ ପରେ ସେ ବାଇକ ରଖି ବସ ଯୋଗେ ସପରିବାର ଚିଲିକା ଯାଇଥାନ୍ତେ । ହେଲେ ତା ପୂର୍ବ ଘଟି ଏଭଳି ଅଶୋଭନୀୟ ଘଟଣା । ଏହି ଦୁର୍ଘଟଣାରେ ପ୍ରଭାକର ବେହେରାଙ୍କ ସ୍ତ୍ରୀ ଓ ତାଙ୍କ ୨ ଜଣ ନାବାଳକ ପୁତ୍ର ଗୁରୁତର ଆହତ ହୋଇଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ ଆହତମାନଙ୍କ ଅବସ୍ଥା ଗୁରୁତର ରହିଛି । ତେବେ ଏନେଇ ଲୋକମାନେ ରାସ୍ତା ଅବରୋଧ କରିଥିଲେ । ଅଜଣା ଗାଡି ଚାଳକଙ୍କୁ ତୁରନ୍ତ ଗିରଫ ଓ ପୀଡିତ ପରିବାରକୁ କ୍ଷତିପୂରଣ ଦାବି କରି ପ୍ରତିବାଦ କରାଯାଇଥିଲା । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ।










