ନୂଆଦିଲ୍ଲୀ: ଗତବର୍ଷ ବାଂଲାଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ହିଂସାତ୍ମକ ପ୍ରତିବାଦର ନେତୃତ୍ୱ ନେଇଥିବା ଛାତ୍ରନେତା ଉସମାନ ହାଦିଙ୍କ ଗୁରୁବାର ମୃତ୍ୟୁ ଘଟିଥିଲା। ତାଙ୍କର ମୃତ୍ୟୁ ହେବା ପରେ ବାଂଲାଦେଶରେ ଉତ୍ତେଜନା ବୃଦ୍ଧି ପାଇଛି। ଦଙ୍ଗାକାରୀମାନେ ପୁଣି ଜଳାପୋଡ଼ା କରିବା ଆରମ୍ଭ କରିଛନ୍ତି। ବାଂଲାଦେଶରେ ଚାଲିଥିବା ହିଂସା ଏବଂ ପ୍ରତିବାଦ ମଧ୍ୟରେ, କଠୋରପନ୍ଥୀଙ୍କ ନଗ୍ନ ଚେହେରା ସାମ୍ନାକୁ ଆସିଛି। ଶୁକ୍ରବାର ମୈମନସିଂ ଜିଲ୍ଲାରେ ଏକ ଧାର୍ମିକ ବ୍ୟକ୍ତିଙ୍କୁ ନିନ୍ଦା ଅଭିଯୋଗରେ ଜଣେ ହିନ୍ଦୁ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ ଦଙ୍ଗାକାରୀ। ଏହି ଅପରାଧ ପାଇଁ ଏବେ ପୁଲିସ ୭ଜଣଙ୍କୁ ଗିରଫ କରିଛି। ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଶନିବାର କହିଛନ୍ତି। ବିଭିନ୍ନ ସ୍ଥାନରେ ଅପରେସନ ପରେ ରାପିଡ୍ ଆକ୍ସନ୍ ବାଟାଲିଅନ୍ ଦ୍ୱାରା ଏହି ଗିରଫଦାରୀ କରାଯାଇଛି। ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ମହମ୍ମଦ ଲିମନ ସରକାର, ମହମ୍ମଦ ତାରେକ୍ ହୋସେନ୍, ମହମ୍ମଦ ମାଣିକ୍ ମିୟା, ଏରଶାଦ ଅଲି, ନିଜୁମ୍ ଉଦ୍ଦିନ୍, ଆଲୋମଗିର ହୋସେନ୍ ଏବଂ ମହମ୍ମଦ ମିରାଜ ହୋସେନ୍ ଆକୋନ୍ ଅନ୍ତର୍ଭୁକ୍ତ। ସୂଚନା ମୁତାବକ, ମୃତକଙ୍କ ନାମ ଦୀପୁ ଚନ୍ଦ୍ର ଦାସ। ସେ ଭାଲୁକା ଉପକଣ୍ଠ ଦୁବାଲିଆ ପାରା ଅଞ୍ଚଳରେ ଭଡ଼ାରେ ରହୁଥିଲେ। ଘର ଚଳାଇବା ପାଇଁ ସେ କପଡ଼ା କାରଖାନାରେ କାମ କରୁଥିଲେ। ଉତ୍ତ୍ୟକ୍ତ ଜନତା ଦୀପୁ ଚନ୍ଦ୍ରଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଏକ ଗଛରେ ବାନ୍ଧି ନିଆଁ ଲଗାଇ ଦେଇଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ଏବଂ ମୃତଦେହକୁ ଉଦ୍ଧାର କରିଥିଲା।










