ବିହାର: ବିହାରରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ଯୁବକଙ୍କୁ ଗୁଳି କରି ହତ୍ୟା । ପୁରୁଣା ବିବାଦକୁ ନେଇ ବନ୍ଧୁତ୍ୱ ସମ୍ପର୍କରେ ଲାଗିଛି ରକ୍ତର ଛିଟା। ସାଙ୍ଗର ଗୁଳିରେ ଚାଲିଗଲା ସାଙ୍ଗର ଜୀବନ। ଘଟଣାଟି ବିହାରର ସାସାରାମ ନଗର ଥାନା ଅଞ୍ଚଳର କାଜିପୁରା ନିକଟରେ ଘଟିଛି। ମୃତକ ଜଣଙ୍କ କାଜିପୁରାର ବାସିନ୍ଦା ଅଭିଷେକ ଗୋସ୍ୱାମୀ (୩୪-୩୫ ବର୍ଷ) ଓରଫ ଲୁଲୁ ବୋଲି ଚିହ୍ନଟ କରାଯାଇଛି।ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୧୦ଟାରେ କିଛି ଯୁବକ ମିଶି କାଜିପୁରାର ଶିବ ମନ୍ଦିର ନିକଟରେ କଥାବାର୍ତ୍ତା କରୁଥିଲେ। ସେମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ବିବାଦ ହୋଇଥିଲା।ପରବର୍ତ୍ତୀ ସମୟରେ ବିବାଦ ଉଗ୍ର ରୂପ ନେଇଥିଲା, ଯାହା ଫଳରେ ଗୁଳିଚାଳନା ହୋଇଥିଲା।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଝଗଡ଼ା ସମୟରେ ଜଣେ ଯୁବକ ଅଭିଷେକଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳି ବାଜିବା ପରେ ରକ୍ତସ୍ରାବ ଯୋଗୁଁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସୂଚନା ପାଇ ସାସାରାମ ଟାଉନ୍ ଥାନାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ ସଦର ହସ୍ପିଟାଲକୁ ପଠାଇଛି।ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଷେକ ଓ ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବରୁ ବିବାଦ ରହିଥିଲା। ସେମାନେ ବନ୍ଧୁ ଥିଲେ। ଚାରି ବର୍ଷ ପୂର୍ବେ ସମାନ ଘଟଣା ଘଟିଥିଲା ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା। ମୃତ ଅଭିଷେକ ସେହି ଘଟଣାରେ ଜାମିନରେ ଥିଲେ।ଘଟଣାର ସତ୍ୟତା ଜାଣିବା ପାଇଁ ପୋଲିସ ନିକଟସ୍ଥ ସିସି ଟିଭି କ୍ୟାମେରାରୁ ଫୁଟେଜ୍ ମଧ୍ୟ ଯାଞ୍ଚ କରୁଛି। ପୋଲିସ ଅଧିକ୍ଷକ ରୋଶନ କୁମାର କହିଛନ୍ତି ଯେ ଘଟଣାରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି ଏବଂ ତାଙ୍କ ଘର ତଲାସି ସମୟରେ ତାଙ୍କୁ ଗିରଫ କରାଯାଇଛି। ଅଧିକ ତଥ୍ୟ ଜାଣିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି।










