ଭୁବନେଶ୍ୱର: ଚିରସ୍ମରଣୀୟ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ବିରାଟ ଭାରତବର୍ଷ ଗଠନର ପ୍ରମୁଖ ବିନ୍ଧାଣୀ ଥିଲେ। ୫୬୫ଟି ରାଜାଙ୍କ ଦ୍ୱାରା ଶାସିତ ହେଉଥିବା ରାଜ୍ୟକୁ ଭାରତ ସହ ମିଶାଇବାରେ ତାଙ୍କ ଭୂମିକା ଥିଲା ଅବିସ୍ମରଣୀୟ। ସେ ତାଙ୍କ ଗଡ଼ଜାତ ମିଶନ ଓଡ଼ିଶାର ନୀଳଗିରିରୁ ଆରମ୍ଭ କରିଥିଲେ। ଯେତେବେଳେ ସାରା ଦେଶରେ ଏକତା, ଅଖଣ୍ଡତା, ସାର୍ବୋଭୌମତ୍ୱ କଥା ଉଠେ, ସେତେବେଳେ ସର୍ଦ୍ଦାର ପଟେଲଙ୍କ କଥା ମନେପଡ଼େ। ତାଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଏବଂ ଯୁବପୀଢ଼ୀଙ୍କ ମଧ୍ୟରେ ଏକତା, ଦେଶପ୍ରେମ ଓ ନାଗରିକ କର୍ତବ୍ୟ ଭାବନାକୁ ଜାଗ୍ରତ କରିବା ନିମନ୍ତେ ଅକ୍ଟୋବର ୩୧ରୁ ଦେଶବ୍ୟାପୀ ତାଙ୍କ ଜନ୍ମଜୟନ୍ତୀ ପାଳନ କରାଯାଉଛି। ୩ ପର୍ଯ୍ୟାୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ତିମ ପର୍ଯ୍ୟାୟ ନଭେମ୍ବର ୨୬ରୁ ଆରମ୍ଭ ହୋଇଥିଲା। ଶେଷ ପର୍ଯ୍ୟାୟରେ ସର୍ଦ୍ଦାର ପଟେଲଙ୍କ ଜନ୍ମସ୍ଥାନ ଗୁଜୁରାଟର କରମସଦରୁ କେଭଡିଆସ୍ଥିତ ବିରାଟ ପ୍ରତିମୂର୍ତି ପର୍ଯ୍ୟନ୍ତ ୧୫୦ କିଲୋମିଟର ପଦଯାତ୍ରା ଆୟୋଜନ କରାଯାଇଥିଲା। ଓଡ଼ିଶାର ସାଢ଼େ ୪ କୋଟି ଜନତାଙ୍କ ମଧ୍ୟରୁ ୭୪ ଜଣ ପଦଯାତ୍ରୀ ଏହି କାର୍ଯ୍ୟକ୍ରମରେ ଭାଗନେବାର ସୁଯୋଗ ପାଇଥିଲେ। ଏହା ଆମ ରାଜ୍ୟ ପାଇଁ ଗୌରବର ବିଷୟ। ଏନେଇ ଉକ୍ତ ପଦଯାତ୍ରୀମାନଙ୍କୁ ଯେତେ ପ୍ରଶଂସା କଲେ ବି କମ୍ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି।
ରାଜ୍ୟ କାର୍ଯ୍ୟାଳୟରେ ଯୁବମୋର୍ଚ୍ଚାର ପଦଯାତ୍ରୀମାନଙ୍କ ଉପଲକ୍ଷେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଶ୍ରୀ ସାମଲ କହିଛନ୍ତି ଯେ, ଚଳିତ ବର୍ଷ ଆମ ସମସ୍ତଙ୍କ ପାଇଁ ଏକ ସ୍ମରଣୀୟ ବର୍ଷ। ଏହି ବର୍ଷ ଡ. ହରେକୃଷ୍ଣ ମହାତାବଙ୍କ ୧୨୫ତମ ଜନ୍ମଜୟନ୍ତୀ, ଅଟଳବିହାରୀ ବାଜପେୟୀ ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ୧୦୦ ବର୍ଷ, ବନ୍ଦେ ମାତରମ୍, ଭଗବାନ ବିର୍ସାମୁଣ୍ଡା ଓ ସର୍ଦ୍ଦାର ପଟେଲଙ୍କ ୧୫୦ ବର୍ଷ ଜୟନ୍ତୀ ଆମେ ପାଳନ କରୁଛୁ। ଏହା ଆମ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଓ ପ୍ରେରଣା ଭରିଦେଇଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨୦୪୭ ବିକଶିତ ଭାରତ ଓ ୨୦୩୬ ବିକଶିତ ଓଡ଼ିଶା ଗଠନ ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି, ସେଥିରେ ଯୁବପିଢ଼ୀଙ୍କ ପ୍ରମୁଖ ଯୋଗଦାନ ରହିବ। ଏହି ପଦଯାତ୍ରାରେ ସେମାନେ ଯୋଗଦେଇ ଯେଉଁ ଅନୁଭବ ସାଉଁଟିଛନ୍ତି ତାହାକୁ ଆଧାର କରି ରାଷ୍ଟ୍ର ନିର୍ମାଣରେ ବ୍ରତୀ ହେବାକୁ ଯୁବପିଢ଼ୀଙ୍କୁ ଶ୍ରୀ ସାମଲ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ରାଜ୍ୟ ଉପସଭାପତି ଡ.ଯତୀନ ମହାନ୍ତି କହିଛନ୍ତି ଯେ, କରମସଦରେ ହୋଇଥିବା ପଦଯାତ୍ରାରେ ଓଡ଼ିଶାରୁ ଯୋଗଦେଇଥିବା ୭୪ ପଦଯାତ୍ରୀଙ୍କ ଏହି ଅନୁଭୂତି ସେମାନଙ୍କ ମନରେ ରୋମାଂଚ ଭରିବା ସହ ସାରାଜୀବନ ପାଇଁ ମନେ ରହିବ। ଓଡ଼ିଶାରେ ସର୍ଦ୍ଦାର ପଟେଲ ଉପଲକ୍ଷେ ୬୪ଟି ସ୍ଥାନରେ ପଦଯାତ୍ରା ଆୟୋଜନ କରାଯାଇଥିଲା। ଏଠାରେ ସମୁଦାୟ ୪୪୮ କିଲୋମିଟର ଯାତ୍ରା ହୋଇଥିଲା। ଓଡ଼ିଶାରେ ପ୍ରାୟ ୪ ଲକ୍ଷରୁ ଊର୍ଦ୍ଧ୍ୱ ଜନସାଧାରଣ ଏଥିରେ ସାମିଲ ହୋଇଥିଲେ। ଭାରତର ସ୍ୱାଧୀନତା ପରବର୍ତୀ ଇତିହାସକୁ ମନେ ପକାଇବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା। କିଭଳି ଭାବେ ଦେଶ, ମାତୃକାର ସେବା ପାଇଁ ଆମ ମହାପୁରୁଷମାନେ ବଳିଦାନ ଦେଇଥିଲେ ତାହାକୁ ସ୍ମରଣ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ବରିଷ୍ଠ ନେତା ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ଯେ, ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଆୟୋଜିତ ପଦଯାତ୍ରାରେ ଓଡ଼ିଶାର ପ୍ରତ୍ୟେକ ବର୍ଗର ପ୍ରତିନିଧିତ୍ୱ ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ କରମସଦରେ ହୋଇଥିବା ପଦଯାତ୍ରାରେ ଓଡ଼ିଶାରୁ ଯୋଗଦେଇଥିବା ୭୪ ପଦଯାତ୍ରୀ ନିଜ ଅନୁଭୂତିକୁ ନିଜ ଦୈନନ୍ଦିନ କାର୍ଯ୍ୟରେ ଲଗାଇବା ସହ ଅନ୍ୟମାନଙ୍କ ସହ ବାଂଟି ବିକଶିତ ଓଡ଼ିଶା ଗଠନରେ ସହଭାଗୀ ହୁଅନ୍ତୁ।
ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଅଭିଳାଷ ପଣ୍ଡା କହିଛନ୍ତି ଯେ, ସର୍ଦ୍ଦାର ପଟେଲଙ୍କ ଜନ୍ମସ୍ଥାନରେ ହୋଇଥିବା ପଦଯାତ୍ରାରେ ଯୋଗଦେଇଥିବା ଯୁବ ପଦଯାତ୍ରୀଙ୍କ ପାଇଁ ଏହି ଅନୁଭୂତି ସାରାଜୀବନ ପାଇଁ ମନେ ରହିବ। ଏଥିରେ ଯୋଗଦେଇଥିବା ସମସ୍ତ କାର୍ଯ୍ୟକର୍ତା ଏକତା ଆମ୍ବାଷଡର ଭାବେ ଦେଶର ଏକତାକୁ ବଜାୟ ରଖିବା ପାଇଁ ନିଜ ନିଜ ଅଂଚଳରେ କାମ କରିବେ।ଏହି ସମ୍ବର୍ଦ୍ଧନା ସଭାରେ ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ତଥା କାର୍ଯ୍ୟକ୍ରମର ସଂଯୋଜକ ଶ୍ରୀ ପ୍ରଶାନ୍ତ ପାଇକରାଏ, ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ଶ୍ରୀ ସୁବତ୍ର ବିଶ୍ୱାଳଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।










