ନୂଆଦିଲ୍ଲୀ/ଭୁବନେଶ୍ଵର: ୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୫ରେ ଭାରତ ମଣ୍ଡପମ୍ ପରିସରସ୍ଥ ୪ ନମ୍ବର ପ୍ରକୋଷ୍ଠରେ ସ୍ଥାନିତ ଓଡ଼ିଶା ପାଭିଲିୟନର ଅପୂର୍ବ ସାଜସଜ୍ଜା ପ୍ରତ୍ୟେକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁରେ ପରିଣତ ହୋଇଥିବା ବେଳେ, ଏଠାରେ ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଥିବା ଜନଜାତିଙ୍କ ଦ୍ଵାରା ପ୍ରସ୍ତୁତ ମନୋରମ ହସ୍ତକଳା କୃତି ଏବଂ ଜୈବିକ ପଦ୍ଧତିରେ ଉତ୍ପାଦିତ କୃଷିଜାତ ପଦାର୍ଥର ପ୍ରକ୍ରିୟାକୃତ ଖାଦ୍ୟ ସାମଗ୍ରୀର ବିଶେଷ ଚାହିଦା ପରିଲକ୍ଷିତ ହେଉଛି । ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା କୋରାପୁଟ କଫିର ପ୍ରଶଂସା ପରେ, ବିଗତ ବର୍ଷମାନଙ୍କ ତୁଳନାରେ କୋରାପୁଟ କଫି ପ୍ରତି ଲୋକଙ୍କ ଆଗ୍ରହ ଅଧିକ ପରିମାଣରେ ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ତରଫରୁ ବାଣିଜ୍ୟ ମେଳାର ଓଡ଼ିଶା ପାଭିଲିୟନରେ ଓଡ଼ିଶା ଜନଜାତି ଉନ୍ନୟନ ସମବାୟ ନିଗମ ଲିମିଟେଡ୍ ଏବଂ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧିନସ୍ଥ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ଅଂଶଗ୍ରହଣ କରିଛନ୍ତି ।
ବିଗତ ବର୍ଷମାନଙ୍କରେ ଏହି ବାଣିଜ୍ୟ ମେଳାରେ ନବରଙ୍ଗପୁର ଜିଲ୍ଲାର ଭୋତ୍ତଡ଼ା ଜନଜାତି ଗୋଷ୍ଠୀ ଦ୍ଵାରା ଧାନରୁ ପ୍ରସ୍ତୁତ ବିଭିନ୍ନ କଳାକୃତି, ମୟୂରଭଞ୍ଜ ଜିଲ୍ଲାର ସାନ୍ତାଳ ଜନଜାତିଙ୍କ ଡୋକ୍ରା ହସ୍ତଶିଳ୍ପ ଏବଂ କେନ୍ଦୁଝର ଜିଲ୍ଲାର ଗୋଣ୍ଡ ଓ ରାୟଗଡ଼ ଜିଲ୍ଲାର ସଉରା ଜନଜାତିଙ୍କ ନିଆରା ଚିତ୍ରକଳାର ଚାହିଦାକୁ ଦୃଷ୍ଟିରେ ରଖି ଭୁବନେଶ୍ଵର ସ୍ଥିତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ତରଫରୁ ସମ୍ପୃକ୍ତ ମୂଳ ଜନଜାତି ଗୋଷ୍ଠୀର ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଛନ୍ତି । ଏମାନଙ୍କ ବ୍ୟତୀତ, ମୟୂରଭଞ୍ଜରୁ ଆସିଥିବା ମା’ ଅନ୍ଧାରୀବୁଢୀ ସବାଇ ଉତ୍ପାଦକ ସଂଘ ଦ୍ଵାରା ସବାଇ ଘାସରୁ ପ୍ରସ୍ତୁତ ବିଭିନ୍ନ ଘରକରଣା ସାମଗ୍ରୀ କିଣିବାକୁ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି ।
ସେହିପରି, ନିକଟ ଅତୀତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ କୋରାପୁଟ କଫିର ପ୍ରଶଂସା ପରେ, ଦେଶ ବିଦେଶରେ କୋରାପୁଟ କଫିର ବର୍ଦ୍ଧିତ ଚାହିଦା ପୂରଣ କରିବାକୁ ଓଡ଼ିଶା ଜନଜାତି ଉନ୍ନୟନ ସମବାୟ ନିଗମ ଲିମିଟେଡ୍ ତରଫରୁ କୋରାପୁଟ କଫିକୁ ନେଇ ଖୋଲାଯାଇଥିବା ସ୍ଵତନ୍ତ୍ର ଷ୍ଟଲ୍ ରେ କ୍ରେତାଙ୍କ ଭିଡ଼ ଦେଖିବାକୁ ମିଳୁଛି । ପୂର୍ବ ବର୍ଷର ବାଣିଜ୍ୟ ମେଳାମାନଙ୍କରେ ଯେଉଁମାନେ କୋରାପୁଟ କଫିର ସ୍ଵାଦ ଚାଖିଥିଲେ, ବିଶେଷ କରି ସେମାନେ ଏହାକୁ ଅଧିକରୁ ଅଧିକ ପରିମାଣର କିଣି ନେଉଛନ୍ତି । ଏପରିକି, ଗତ ୨୨ ତାରିଖରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଓଡ଼ିଶା ପାଭିଲିୟନ ପରିଦର୍ଶନ ବେଳେ ସେ ନିଜେ କୋରାପୁଟ କଫି ପିଇବା ସହିତ ଅନ୍ୟମାନେ ମଧ୍ୟ ଏହି ସ୍ଵଦେଶୀ ପଦାର୍ଥକୁ ଅଧିକରୁ ଅଧିକ ପରିମାଣରେ ଆପଣେଇ କଫି ଉତ୍ପାଦନରେ ଭାରତକୁ ଆତ୍ମନିର୍ଭର କରିବାକୁ ପରାମର୍ଶ ଦେଇଥିଲେ ।
ଓଡିଶାର ଜନଜାତି ଗୋଷ୍ଠୀ ସମୂହ ଦ୍ଵାରା ଜୈବିକ ଉପାୟରେ ଉତ୍ପାଦିତ ବିଭିନ୍ନ କୃଷି ଓ ଉଦ୍ୟାନ କୃଷିଜାତ ସାମଗ୍ରୀ, ବଜାରରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି । ସେମାନଙ୍କ ଦ୍ଵାରା ଉତ୍ପାଦିତ ଏହି ସବୁ ପଦାର୍ଥର ପ୍ରକ୍ରିୟାକୃତ ଖାଦ୍ୟ ସାମଗ୍ରୀକୁ ବିଶ୍ଵ ବଜାର ସୁବିଧା ପ୍ରଦାନ କରାଇବା ଲକ୍ଷ୍ୟରେ ଓଡ଼ିଶା ଜନଜାତି ଉନ୍ନୟନ ସମବାୟ ନିଗମ ଲିମିଟେଡ୍ ଅନ୍ତର୍ଗତ ଆଦିଶା ଷ୍ଟଲ୍ ରେ ଉପଲବ୍ଧ କନ୍ଧମାଳ ହଳଦୀ ଗୁଣ୍ଡ, କଳା ସୋରିଷ, କଳା ଧାନ, ଶୁଖିଲା ଲଙ୍କା ଆଦି ବିଭିନ୍ନ ଖାଦ୍ୟ ପଦାର୍ଥ ସମେତ ସୁସ୍ଥ ଓ ନିରୋଗ ଶରୀର ପାଇଁ ଜନଜାତିଙ୍କ ଦ୍ଵାରା ବ୍ୟବହୃତ ଔଷଧୀୟ ଗୁଣଯୁକ୍ତ ବିଭିନ୍ନ ଚେରମୂଳୀ ଗୁଣ୍ଡ ଆଦି କିଣିବା ପାଇଁ ପ୍ରବଳ ଆଗ୍ରହ ଦେଖିବାକୁ ମିଳୁଛି । ବାଣିଜ୍ୟ ମେଳାର ବିଗତ ଦଶଦିନ ମଧ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ଏହି ୪ଟି ଷ୍ଟଲ୍ ସର୍ବମୋଟ ୧.୩ ଲକ୍ଷ ଟଙ୍କାର ବ୍ୟବସାୟ କରିଛନ୍ତି ।










