17.1 C
Bhubaneswar
Tuesday, February 10, 2026
Homeଓଡିଶାସୁପୋଷିତ ଓଡ଼ିଶା ମିଶନ ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

ସୁପୋଷିତ ଓଡ଼ିଶା ମିଶନ ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ସମସ୍ତ ଶିଶୁଙ୍କର ପୁଷ୍ଟି ସାଧନ ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଶିଶୁମାନଙ୍କୁ ପୋଷଣଯୁକ୍ତ କରାଇବା ପାଇଁ ସୁପୋଷିତ ଓଡ଼ିଶା ମିଶନ ଲୋକାର୍ପିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଲୋକସେବା ଭବନସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ଏହି ମିଶନର ଶୁଭାରମ୍ଭ କରିଛନ୍ତି । ଓଡ଼ିଶା ପୁଷ୍ଟି ମିଶନ ଅଧୀନରେ ସୁପୋଷିତ ଓଡ଼ିଶା ମିଶନ ରାଜ୍ୟରେ ଶିଶୁମାନଙ୍କୁ କୁପୋଷଣରୁ ରୋକିବା ସହିତ ପ୍ରତ୍ୟେକ ଶିଶୁର ସ୍ୱାସ୍ଥ୍ୟ ଏବଂ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରହିଛି। ଏହି ମିଶନ ଦ୍ୱାରା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ସୁପୋଷିତ କେନ୍ଦ୍ରରେ ପରିଣତ କରାଯିବାର ମହତ୍ତ୍ୱାକାଂକ୍ଷୀ ଲକ୍ଷ୍ୟ ରଖାଯାଇଛି । କମ୍ ଓଜନ ଓ ଦୁର୍ବଳ ଶିଶୁଙ୍କ ପାଇଁ ଉପଯୁକ୍ତ ଯତ୍ନ ନିଆଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଏତଦ୍‌ବ୍ୟତୀତ ବିଭାଗ ଦ୍ୱାରା ସମୀକ୍ଷା ଓ ତଦାରଖ ଡ୍ୟାସ୍‌ବୋର୍ଡ ପ୍ରଚଳନ କରାଯାଇଛି । ଏହା ଦ୍ୱାରା ପୋଷଣ ଟ୍ରାକର ତଥ୍ୟକୁ ତୁରନ୍ତ ସମୀକ୍ଷା କରାଯିବ। ଏହା ଦ୍ୱାରା ବାସ୍ତବିକ ବ୍ୟବଧାନକୁ ଚିହ୍ନଟ କରି ସମୁଚିତ ପଦକ୍ଷେପ ଗ୍ରହଣ କରାଯିବ। ଏଥି ସହିତ ଉନ୍ନତ ପୁଷ୍ଟି ଫଳାଫଳ ନିମନ୍ତେ ଆନ୍ତଃବିଭାଗୀୟ ସହଭାଗିତାକୁ ସୁଦୃଢ଼ କରିବା ପାଇଁ ଏକ ମିଳିତ ପରାମର୍ଶ ଜାରି କରାଯିବ। ମହିଳା ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମିଶନ ଶକ୍ତି, ପଞ୍ଚାୟତିରାଜ ଓ ପାନୀୟ ଜଳ, ଅନୁସୂଚିତ ଜନଜାତି ଓ ଅନୁସୂଚି ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ, କ୍ରୀଡ଼ା ଓ ଯୁବସେବା ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମିଳିତ ଭାବରେ ଏକ ଏକକୀକୃତ ସେବା ପ୍ରଦାନ ମଡେଲ ପ୍ରସ୍ତୁତ କରି ହିତାଧିକାରୀଙ୍କ ରକ୍ତହୀନତା, ଗେଡ଼ାପଣ, କ୍ଷୀଣକାୟ ଅବସ୍ଥା ହ୍ରାସ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବେ। ଏହା ଦ୍ୱାରା ରାଜ୍ୟରେ ଶିଶୁମାନଙ୍କର ପୁଷ୍ଟିସାଧନରେ ସମୁଚିତ ପଦକ୍ଷେପ ଗ୍ରହଣ କରାଯାଇପାରିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି।

ସେହିଭଳି ଓଡ଼ିଶାର ବିଭିନ୍ନ ସ୍ଥାନର ଖାଦ୍ୟକୁ ନେଇ ଏକ ରୋଷେଇ ପୁସ୍ତକ ମଧ୍ୟ ଉନ୍ମୋଚିତ ହୋଇଛି। ଏଥିରେ ଶହେ ପ୍ରକାରର ବ୍ୟଞ୍ଜନ ସ୍ଥାନ ପାଇଛି। ରାଜ୍ୟର ପ୍ରତ୍ୟେକ ଖାଦ୍ୟରେ ଭରି ରହିଛି ସ୍ୱତନ୍ତ୍ର ପରମ୍ପରା। ଗୋଟିଏ ସ୍ଥାନର ଖାଦ୍ୟକୁ ଅନ୍ୟ ସ୍ଥାନରେ ବାସ କରୁଥିବା ଜନସାଧାରଣଙ୍କ ନିକଟରେ ଏହା ପହଞ୍ଚାଇ ପାରିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏତଦ୍‌ବ୍ୟତୀତ ଓଡ଼ିଶାରେ ପୋଷଣର ପରିଦୃଶ୍ୟ ଉପରେ ଏକ କଫିଟେବୁଲ୍ ବୁକ୍‌କୁ ମଧ୍ୟ ସେ ଉନ୍ମୋଚିତ କରିଛନ୍ତି। ଏହା ସମସ୍ତଙ୍କ ନିକଟରେ ଉପଲବ୍ଧ ହେବା ଦ୍ୱାରା ସମସ୍ତ ଅଙ୍ଗନବାଡ଼ି କର୍ମୀ, ପାଚିକା, ସ୍ୱୟଂ ସହାୟକ ଗୋଷ୍ଠୀ ଓ ମହିଳା ସଦସ୍ୟା, ମା’ ଏବଂ କିଶୋରୀମାନେ ମଧ୍ୟ ଖାଦ୍ୟ ଗୁଣବତ୍ତାସଂପନ୍ନ ପ୍ରସ୍ତୁତ ପ୍ରଣାଳୀକୁ ଅନୁସରଣ କରିପାରିବେ । ସେହିଭଳି ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ଏକ ସିଲାଇ ୟୁନିଟ୍‌ର ମଧ୍ୟ ଲୋକାର୍ପଣ ହୋଇଛି। ଏହା ଦ୍ୱାରା ଅଙ୍ଗନବାଡ଼ି କର୍ମୀ ଓ ସୁପରଭାଇଜରମାନଙ୍କୁ ବ୍ୟବହାରିକ ଜ୍ଞାନ, ଆୟବୃଦ୍ଧି ନିମନ୍ତେ ଦକ୍ଷତା ବିକାଶ ପ୍ରଦାନ କରିବ। ଏହି ଅବସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ସମ୍ୱନ୍ୱିତ ଶିଶୁ ବିକାଶ ସେବା ନିର୍ଦ୍ଦେଶିକା ମନୀଷା ବାନାର୍ଜୀ, ଅତିରିକ୍ତ ଶାସନ ସଚିବ ସ୍ୱୟଂପ୍ରଭା ମହାନ୍ତି, ନିଲୁ ମହାପାତ୍ର, ଅନନ୍ତ ନାରାୟଣ ସିଂ ଲାଗୁରି ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking