ନୂଆଦିଲ୍ଲୀ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲାକୁ ନେଇ ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମକୋର୍ଟରେ ଜାରି ରହିଛି ଆଇନଗତ ଲଢ଼େଇ। ଏହି ମାମଲାର ଶୁଣାଣି ସମୟରେ ଅଦାଲତରେ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ବିଭିନ୍ନ ପକ୍ଷଙ୍କ ମଧ୍ୟରେ ଜୋରଦାର ଯୁକ୍ତିତର୍କ ଏବଂ ଗରମାଗରମ ଆଲୋଚନା ଦେଖିବାକୁ ମିଳିଛି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା ଏବଂ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କୋର୍ଟରେ ପକ୍ଷ ରଖି ଡିଜିପି ନିଯୁକ୍ତିରେ କୌଣସି ପ୍ରକାର ଅନିୟମିତତା ହୋଇନଥିବା ସ୍ପଷ୍ଟ କରିଛନ୍ତି। ସମସ୍ତ ପକ୍ଷର ଆରୋପର ପୂର୍ଣ୍ଣାଙ୍ଗ ପ୍ରତିଜବାବ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ଲଢୁଥିବା ସଲିସିଟର ଜେନେରାଲ କୋର୍ଟରେ ସମୟ ମାଗିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାକାଲି ଜାରି ରହିବ ବୋଲି ସୁପ୍ରିମକୋର୍ଟ ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ, ସୁପ୍ରିମକୋର୍ଟରେ ଓଡ଼ିଶା ଡିଜି ନିଯୁକ୍ତିକୁ ନେଇ ଶୁଣାଣି ଦିନକୁ ଦିନ ବଢି ଚାଲିଛି। ଫଳରେ ରାଜ୍ୟକୁ ପୂର୍ଣ୍ଣାଙ୍ଗ ପୋଲିସ ମହାନିର୍ଦ୍ଦେଶକ ମିଳିବାରେ ବିଳମ୍ବ ଘଟି ଚାଲିଛି। ଆଉ ସୁପ୍ରିମକୋର୍ଟରେ ଏହି ମାମଲାକୁ ନେଇ ରାଜ୍ୟ ସରକାରଙ୍କ ଅଡ଼ୁଆ ବଢିବାରେ ଲାଗିଛି। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଅନ୍ତରୀଣ ଡିଜି ଭାବେ ଦାୟିତ୍ଵ ତୁଲାଉଛନ୍ତି।










