ମୁମ୍ବାଇ: ମୁମ୍ବାଇର ଭସାଇ ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ନିଜ ଭାଣିଜୀକୁ ଟ୍ରେନ୍ରୁ ଠେଲି ହତ୍ୟା କରିଛି ମାମୁ । ମୃତକ ନାବାଳିକାଙ୍କୁ କୋମଲ ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁଯାୟୀ, କୋମଲ ୧୫ ନଭେମ୍ବରରେ ହଠାତ୍ ଘରୁ ଚାଲିଯାଇଥିଲେ । ଯେତେବେଳେ ସେ ବହୁ ସମୟ ପର୍ଯ୍ୟନ୍ତ ଫେରିଲେ ନାହିଁ ପରିବାର ଲୋକେ ଏବଂ ପଡୋଶୀ ମିଶି ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ । ବହୁ ଖୋଜାଖୋଜି ପରେ ଯେତେବେଳେ କୋମଲଙ୍କର କୌଣସି ସନ୍ଧାନ ମିଳିଲା ନାହିଁ, ପରିବାର ଲୋକେ ଥାନାରେ ନିଖୋଜ ରିପୋର୍ଟ ଦାଖଲ କରିଥିଲେ । ୧୬ ନଭେମ୍ବରରେ ସକାଳ ୮ଟା ସମୟରେ କୋମଲଙ୍କ ପରିବାର ଲୋକେ ଜାଣିବାକୁ ପାଇଲେ ଯେ ସେ ତାଙ୍କ ମାମୁଁଙ୍କ ଘରେ ଅଛନ୍ତି ।
ଏହି ସମୟରେ ଅର୍ଜୁନ ସଙ୍ଗୀତାଙ୍କୁ ଫୋନ୍ କରି କହିଥିଲେ ଯେ କୋମଲ ତାଙ୍କ ସହ ଅଛନ୍ତି । ଏହା ଜାଣିବା ପରେ ସଙ୍ଗିତା ତାଙ୍କୁ ତୁରନ୍ତ କୋମଲକୁ ଘରେ ଆଣି ଛାଡିବା ପାଇଁ କହିଥିଲେ କିନ୍ତୁ ଅର୍ଜୁନ ତାଙ୍କ ଫେରାଇ ଆଣିନଥିଲେ । ଏଥିରେ ସନ୍ଦେହ କରି ସଙ୍ଗୀତା ପୁଣି ପୋଲିସ ପାଖକୁ ଯାଇଥିଲେ । ୧୭ ନଭେମ୍ବରରେ ସେ ଯେତେବେଳେ ପୋଲିସ ଷ୍ଟେସନରେ ପହଞ୍ଚିଲେ ଜାଣିବାକୁ ପାଇଥିଲେ ଯେ ତାଙ୍କ ଝିଅ କୋମଲ ଭାୟନ୍ଦରରେ ଏକ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି ଏବଂ ତାଙ୍କ ଭାଇ ଅର୍ଜୁନ ପୋଲିସ ହେପାଜତରେ ଥିଲେ। ପୋଲିସ ତଦନ୍ତ ଅନୁଯାୟୀ, କୋମଲ ଏବଂ ତାଙ୍କ ମାମୁଁ ଅର୍ଜୁନ ଅପରାହ୍ନ ୨ଟା ୫ ମିନିଟ୍ ସମୟରେ ଭାୟଣ୍ଡର ଷ୍ଟେସନରୁ ଚର୍ଚ୍ଚଗେଟ୍-ଭିରାର ଲୋକାଲ୍ ଟ୍ରେନ୍ ଚଢ଼ିଥିଲେ।
ପ୍ରଥମ ଶ୍ରେଣୀ କୋଚର ଦ୍ୱାର ପାଖରେ ଠିଆ ହୋଇଥିବା ସମୟରେ, ଅର୍ଜୁନ କୋମଲଙ୍କୁ ପଛରୁ ଠେଲି ଦେଇଥିଲେ, ଯାହା ଫଳରେ ସେ ନାଇଗାଓଁ ନିକଟରେ ଟ୍ରାକ୍ ଉପରେ ପଡ଼ିଯାଇଥିଲେ ଏବଂ ମୁଣ୍ଡରେ ଗୁରୁତର ଆଘାତ ଲାଗି ମୃତ୍ୟୁବରଣ କରିଥିଲେ। ଭିରାର ନିବାସୀ ପ୍ରତ୍ୟକ୍ଷଦର୍ଶୀ ଯାତ୍ରୀ ବିକ୍ରମ ନନ୍ଦୁ ଝା ଏହି ଘଟଣା ଦେଖିଥିଲେ ଏବଂ ଅନ୍ୟ ଯାତ୍ରୀମାନଙ୍କ ସହାୟତାରେ ଅଭିଯୁକ୍ତ ମାମୁଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ। ଭାସାଇ ରୋଡ୍ ରେଳବାଇ ପୋଲିସ ତାଙ୍କ ବୟାନ ରେକର୍ଡ କରିଛି। କୋମଲଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଭାୟନ୍ଦରର ତେନ୍ବା ହସ୍ପିଟାଲକୁ ପଠାଯାଇଥିଲା, ଯେଉଁଠାରେ ସଙ୍ଗୀତାଙ୍କ ବଡ଼ ଭାଇ କୃଷ୍ଣ କୈଳାସ ସୋନି ମୃତଦେହକୁ ଚିହ୍ନଟ କରିଥିଲେ। ମାମଲାଟି ବର୍ତ୍ତମାନ ପୋଲିସ ତଦନ୍ତ ଅଧୀନରେ ଅଛି।










