21.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶପଦ୍ମଶ୍ରୀ ପୁରସ୍କାର ବିଜେତା ସାଲୁମରଦା ଥିମକ୍କାଙ୍କ ପରଲୋକ

ପଦ୍ମଶ୍ରୀ ପୁରସ୍କାର ବିଜେତା ସାଲୁମରଦା ଥିମକ୍କାଙ୍କ ପରଲୋକ

ବେଙ୍ଗାଲୁରୁ: ପ୍ରଖ୍ୟାତ ପରିବେଶବିତ୍‌ ତଥା ପ୍ରଦ୍ମଶ୍ରୀ ପୁରସ୍କାର ବିଜେତା ସାଲୁମରଦା ଥିମକ୍କାଙ୍କର ୧୧୪ ବର୍ଷ ବୟସରେ ପରଲୋକ ଘଟିଛି । ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ । ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ । ଥିମକ୍କା ହଜାର ହଜାର ଚାରାରୋପଣ କରିବା ଓ ତା’ର ରକ୍ଷଣାବେକ୍ଷଣ କରି ପୂରା ଦେଶରେ ଚର୍ଚ୍ଚାକୁ ଆସିଥିଲେ । ବୃକ୍ଷଗୁଡ଼ିକ ସେ ନିଜର ସନ୍ତାନ ଭଳି ସୁରକ୍ଷା ଦେଉଥିବାରୁ ତାଙ୍କୁ ବୃକ୍ଷଙ୍କ ମା’ ବୋଲି କୁହାଯାଇଥାଏ । ଥିମକ୍କାଙ୍କ ଜନ୍ମ ୧୯୧୧ ମସିହା ଜୁନ ୩୦ରେ ତୁମକୁରୁ ଜିଲ୍ଲାର ଗୁବ୍ବି ତାଲୁକରେ ହୋଇଥିଲା। କର୍ଣ୍ଣାଟକର ଗ୍ରାମାଞ୍ଚଳରେ ବୃକ୍ଷରୋପଣ କରି ସବୁଜ ଓ ସ୍ବଚ୍ଛ ପରିବେଶ ସୃଷ୍ଟି କରିବାକୁ ନେଇ ସେ ଚର୍ଚ୍ଚାକୁ ଆସିଥିଲେ।

ଥିମକ୍କା ରାମନଗର ଜିଲ୍ଲାର ହୁଲିକଲ ଓ କୁଦୁର ମଧ୍ୟରେ ୪.୫ କିମି ରାସ୍ତାରେ ତାଙ୍କ ସ୍ବାମୀଙ୍କ ସହ ମିଶି ୩୮୫ଟି ବରଗଛ ଲଗାଇଥିଲେ ଓ ନିଜର ସନ୍ତାନ ପରି ସେଗୁଡ଼ିକର ଯତ୍ନ ନେଉଥିଲେ । ପରେ ସେ ୮ ହଜାରରୁ ଅଧିକ ବୃକ୍ଷରୋପଣ କରିଥିଲେ । ଥିମକ୍କାଙ୍କୁ ରାଷ୍ଟ୍ରୀୟ ନାଗରିକ ପୁରସ୍କାର (୧୯୯୫), ଇନ୍ଦିରା ପ୍ରିୟଦର୍ଶିନୀ ବୃକ୍ଷମିତ୍ର ପୁରସ୍କାର (୧୯୯୭), ହାମ୍ପି ବିଶ୍ବବିଦ୍ୟାଳୟରୁ ନାଡୋଜା ପୁରସ୍କାର (୨୦୧୦) ଓ ରାଜ୍ୟୋତ୍ସବ ପରି ୧୨ରୁ ଅଧିକ ପୁରସ୍କାର ମିଳିଥିଲା। ୨୦୧୯ରେ ପରିବେଶ ପାଇଁ ତାଙ୍କ ଅବଦାନକୁ ସ୍ବୀକୃତି ପ୍ରଦାନ କରି କେନ୍ଦ୍ର ସରକାର ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ। ୨୦୨୦ରେ କର୍ଣ୍ଣାଟକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ତାଙ୍କୁ ସମ୍ମାନଜନକ ଡକ୍ଟରେଟ୍ ପ୍ରଦାନ କରିଥିଲା। ଥିମକ୍କାଙ୍କ ପରଲୋକରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଶୋକବ୍ୟକ୍ତ କରିବା ସହିତ ‘ଏକ୍ସ’ରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ଥିମକ୍କାଙ୍କ ସମଗ୍ର ଜୀବନ ବୃକ୍ଷ‌ରୋପଣ ପାଇଁ ସମର୍ଥିତ ଥିଲା, ପରିବେଶ ପ୍ରତି ତାଙ୍କର ଏହି ଭଲପାଇବା ତାଙ୍କୁ ଅମର କରି ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking