29.1 C
Bhubaneswar
Tuesday, May 12, 2026
Homeଓଡିଶାମିତବ୍ୟୟିତା ପାଇଁ ମୋଦୀଙ୍କ ଆହ୍ବାନ, ଦେଶ ପରିଚାଳନାରେ ତାଙ୍କ ନିଜ ବିଫଳତାକୁ ସୂଚାଉଛି: ଭକ୍ତ

ମିତବ୍ୟୟିତା ପାଇଁ ମୋଦୀଙ୍କ ଆହ୍ବାନ, ଦେଶ ପରିଚାଳନାରେ ତାଙ୍କ ନିଜ ବିଫଳତାକୁ ସୂଚାଉଛି: ଭକ୍ତ

* ମୋଦୀ ନିଜ ଶାସନରେ ଅର୍ଥବ୍ୟବସ୍ଥାର ବିକଳ ଚିତ୍ର ଉପସ୍ଥାପନ କରିଦେଇଛନ୍ତି
* ନିଜେ ଆଗ ଉଦାହରଣ ସୃଷ୍ଟି କରନ୍ତୁ; ମିତବ୍ୟୟିତା ପାଇଁ ଦେଶବାସୀ ଆପେ ଆଗଭର ହେବେ

ଭୁବନେଶ୍ୱର: ଉପସାଗରୀୟ ଯୁଦ୍ଧ ଯୋଗୁଁ ଅର୍ଥନୀତିର ବୈଶ୍ବିକ ସ୍ଥିତି ବିପର୍ଯ୍ୟସ୍ତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ନିଜ ଦେଶବାସୀଙ୍କୁ ୭ଟି ବିନ୍ଦୁରେ ମିତବ୍ୟୟୀ ହେବାକୁ ଆହ୍ବାନ ଦେବା ରାଷ୍ଟ୍ରର ଶାସନ ମୁଖ୍ୟ ଭାବେ ତାଙ୍କ ନିଜର ବିଫଳତାକୁ ଦର୍ଶାଉଛି। ସୁନା କିଣିବା ଓ ବିଦେଶ ଭ୍ରମଣ ବନ୍ଦ କରିବା, ସାଧାରଣ ପରିବହନ ବ୍ୟବସ୍ଥାରେ ଯାତାୟାତ କରି ପେଟ୍ରୋଲ-ଡିଜେଲ କମ୍ କରିବା ତଥା କାର୍ଯ୍ୟାଳୟ ଓ ବିଦ୍ୟାଳୟମାନେ କୋଭିଡ୍ ବେଳର ଓ୍ବର୍କ-ଫ୍ରମ୍ ହୋମ୍ ଆପଣାଇବା ପାଇଁ ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଦେଶ ଚଳାଇପାରୁନାହାନ୍ତି ବୋଲି ସ୍ବୀକାର କରିଛନ୍ତି। ଗତ ଦଶନ୍ଧି କାଳ ଡଲାର ତୁଳନାରେ ଟଙ୍କାର ଦ୍ରୁତ ଅବମୂଲ୍ୟାୟନ ସହ ଗତ ତିନି ମାସରେ ଦେଶରେ ଗଚ୍ଛିତ ବୈଦେଶିକ ବିନିମୟ ମୁଦ୍ରାର ପରିମାଣ ୩୭ ବିଲିଅନ ଡଲାର କମିଯିବା ଦେଶବାସୀଙ୍କ ପାଇଁ ସତର୍କ ଘଣ୍ଟି ଥିଲା। ଏବେ ଉପରୋକ୍ତ ମିତବ୍ୟୟିତାର ଆହ୍ବାନ ଦେଇ ମୋଦୀ ନିଜ ଶାସନରେ ଅର୍ଥବ୍ୟବସ୍ଥାର ବିକଳ ଚିତ୍ର ଉପସ୍ଥାପନ କରିଦେଇଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ଏକ ପ୍ରେସ୍ ବିବୃତ୍ତିରେ ଶ୍ରୀ ଦାସ କହିଛନ୍ତି, ଦେଶର ଏଭଳି ବିଷମ ସାଂପ୍ରତିକ ସ୍ଥିତି ପାଇଁ ମୋଦୀଙ୍କ ତ୍ରୁଟିପୂର୍ଣ୍ଣ ଆର୍ଥିକ ଓ ବୈଦେଶିକ ନୀତି ଦାୟୀ। ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ତାଙ୍କର ଘନିଷ୍ଠତା ରହିଛି ବୋଲି ମୋଦୀ ବାରମ୍ବାର ବାହାସ୍ଫୋଟ ମାରୁଥିବା ବେଳେ ଟାରିଫ ଉପରେ ଟାରିଫ ବସାଇ ଟ୍ରମ୍ପ ଭାରତର କ୍ଷତି କରିଚାଲିଛନ୍ତି। ମୋଦୀ ଇସ୍ରାଏ ଗସ୍ତ କରିବାର ୪୮ ଘଣ୍ଟା ମଧ୍ୟରେ ଇରାନ୍ ଉପରେ ଆମେରିକା-ଇସ୍ରାଏଲ ମିଳିତ ଆକ୍ରମଣ କରିବା ଆମ ଦେଶର ତ୍ରୁଟିପୂର୍ଣ୍ଣ ବୈଦେଶିକ ନୀତିକୁ ପ୍ରମାଣ କରିଥାଏ।

ଶ୍ରୀ ଦାସ କହିଛନ୍ତି, ଉପସାଗରୀୟ ଯୁଦ୍ଧରେ ଭାରତ କ୍ଷତିଗ୍ରସ୍ତ ହେବା ସ୍ବାଭାବିକ କଥା। ତେବେ ଭାରତ ପରି ଏକ ବିଶାଳ ଦେଣ ଏ ସବୁ ପ୍ରକାର ଜରୁରୀ ପରିସ୍ଥିତିର ମୁକାବିଲା କରିବା ପାଇଁ ଆଗୁଆ ପ୍ରସ୍ତୁତ ମଧ୍ୟ ରହିବା କଥା। ଏହି ଯୁଦ୍ଧରେ ଧନଜୀବନର ପ୍ରଭୂତ କ୍ଷତି ହୋଇଥିଲେ ହେଁ ଅନ୍ୟ କୌଣସି ଦେଶର ଶାସନମୁଖ୍ୟ ନିଜନିଜର ଦେଶବାସୀଙ୍କ ମନରେ ଏପରି ଭୟସଂଚାର କରି ନ ଥିବା ବେଳେ ମୋଦୀଙ୍କ ଏତାଦୃଶ ଆହ୍ବାନ ଭାରତର ବିପର୍ଯ୍ୟସ୍ତ ଅର୍ଥନୀତିର ପ୍ରମାଣ ଦେଉଛି। ପ୍ରଧାନମନ୍ତ୍ରୀଙ୍କର ଗୋଟିଏ ଉକ୍ତି ଦେଶରେ ଅସ୍ଥିରତା ସୃଷ୍ଟି କରିବାକୁ ଯଥେଷ୍ଟ। ଉଦାହରଣ ସ୍ବରୂପ, ସୁନା ବିକ୍ରିବଟା ବନ୍ଦ ହୋଇଗଲେ କାରିଗରମାନଙ୍କୁ ମିଶାଇ ଏହି ବ୍ୟବସାୟ ସହ ସଂପୃକ୍ତ ପ୍ରାୟ କୋଟିଏ ପରିବାର ଓ ସେମାନଙ୍କର ପ୍ରାୟ ୫ କୋଟି ସଦସ୍ୟ ବେରୋଜଗାର ହୋଇଯିବେ। ସେହିପରି, ଓ୍ବର୍କ-ଫ୍ରମ୍ ହୋମ୍ ଚାଲୁ ହେଲେ କେତେ କୋଟି ଲୋକ ଯେ ବେରୋଜଗାର ହେବେ ତାହା ଅକଳନୀୟ। ଅନ୍ୟ ପକ୍ଷରେ, ଆଦର୍ଶ ଶାସକ ନିଜେ ଉଦାହରଣ ସୃଷ୍ଟି କଲେ ଅନ୍ୟମାନେ ତାକୁ ଖୁସିରେ ଅନୁକରଣ କରନ୍ତି। ଗାନ୍ଧୀଜୀଙ୍କ ସରଳ ଓ ତ୍ୟାଗପୂତ ଜୀବନ ସ୍ବାଧୀନତା ସଂଗ୍ରାମ ପାଇଁ ତ୍ୟାଗ କରିବାକୁ କୋଟିକୋଟି ଭାରତୀୟଙ୍କୁ ପ୍ରର୍ତ୍ତାଇଥିଲା। କିନ୍ତୁ କୋଟ୍‌-ବୁଟ୍‌ର ସରକାର କି ଆଦର୍ଶ ଉଦାହରଣ ସୃଷ୍ଟି କରିଛନ୍ତି ଯେ ଦେଶବାସୀ ପ୍ରେରିତ ହେବେ? ସରକାର ପ୍ରଥମେ ନିଜେ ଆଡ୍‌ଡାଚଉଡ଼ା କାରବାର ବନ୍ଦ କରନ୍ତୁ। ମନ୍ତ୍ରୀ-ସଚିବମାନଙ୍କ ବିଦେଶ ଗସ୍ତରେ ଆଗ କଟକଣା ଜାରି ହେଉ। କରଦାତାଙ୍କ ଟିକସ୍‌ରୁ ସଂଗୃହୀତ ଅର୍ଥ ଅପଚୟ ତୁରନ୍ତ ରୋକାଯାଉ। ଆଗ ମନ୍ତରୀ-ସଚିବମାନେ ପବ୍ଲିକ ଟ୍ରାନ୍ସପୋର୍ଟରେ ଯିବାଆସିବା କରନ୍ତୁ। ତେବେ ଯାଇ ମୋଦୀଙ୍କ ଆହ୍ବା କାର୍ଯ୍ୟକାରୀ ହେବା ସହଜ ହେବ ବୋଲି ଶ୍ରୀ ଦାସ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking