ଭୁବନେଶ୍ୱର: କଟକ ଅଘଟଣ ପରେ ନଗର ଉନ୍ନୟନ ବିଭାଗଙ୍କ ବଡ ପଦକ୍ଷେପ । ବେସରକାରୀ ବିପଦପୂର୍ଣ୍ଣ ଘର ଭାଙ୍ଗିବା ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ବିପଦପୂର୍ଣ୍ଣ ବିଲଡିଂ ଘୋଷଣା କରିବା ପୂର୍ତ୍ତ ବିଭାଗର ଦାୟିତ୍ୱ । ବିପଦପୂର୍ଣ୍ଣ କୋଠା ଭାଙ୍ଗିବା ଦାୟିତ୍ୱ ନଗର ଉନ୍ନୟନ ବିଭାଗର । ସରକାରୀ ଘରକୁ ଅସୁରକ୍ଷିତ ଘୋଷଣା କରିବା ସରକାରଙ୍କ ଦାୟିତ୍ୱ । ଅସୁରକ୍ଷିତ ଘର ମାଲିକ ସଚେତନ ହେବା ଦରକାର । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସୂଚନାଯୋଗ୍ୟ, ଗତକାଲି କଟକ ମଣିସାହୁ ଛକରେ ଥିବା କ୍ୟାଣ୍ଟନମେଣ୍ଟ ସ୍କୁଲ ସାମ୍ନାରେ ଥିବା ଏକ ଆପାର୍ଟମେଣ୍ଟର ବାଲକୋନି ମରାମତି ସମୟରେ ଭାଙ୍ଗିଯାଇ ଦୁଇ ଜଣଙ୍କ ଘର ଉପରେ ପଡିଥିଲା । ଏହି ଅଘଟଣ ଫଳରେ ଦୁଇ ପରିବାର ୬ ଜଣ ଆହତ ହୋଇଥିବା ବେଳେ ଗୋଟିଏ ପରିବାରର ବାପା,ପୁଅ ଓ ନାତିଙ୍କ ମୃତ୍ୟୁ ଘଟିଥିଲା । ଏହି ଅଘଟଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୃତକଙ୍କ ପିଛା ୪ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିବା ସହ ସମସ୍ତ ଆହତଙ୍କ ଉତ୍ତମ ଚିକିତ୍ସା ବ୍ୟବସ୍ଥା ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା କହିଛନ୍ତି।










