25.1 C
Bhubaneswar
Wednesday, February 11, 2026
Homeଓଡିଶାଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ସମ୍ବର୍ଦ୍ଧିତ କରାଯିବ

ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ସମ୍ବର୍ଦ୍ଧିତ କରାଯିବ

ଭୁବନେଶ୍ୱର: ଭାରତୀୟ ଚଳଚ୍ଚିତ୍ର ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଓ ଜୀବନବ୍ୟାପୀ ଅବଦାନ ନିମନ୍ତେ ପ୍ରଖ୍ୟାତ କବି, ସଂଳାପ ଲେଖକ, ଗୀତିକାର ଓ ସମାଜ ଚିନ୍ତକ ପଦ୍ମ ଭୁଷଣ ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ୨୦୨୫ ପ୍ରଦାନ କରାଯିବ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରରେ ନଭେମ୍ବର ୨୯ ତାରିଖରେ ଆୟୋଜିତ ହେବାକୁ ଥିବା ୨-ଦିନିଆ ତୃତୀୟ ସୋଆ ସାହିତ୍ୟ ଉତ୍ସବର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଏହି ପ୍ରଖ୍ୟାତ ସାହିତ୍ୟ ସାଧକଙ୍କୁ ସମ୍ବର୍ଦ୍ଧିତ କରାଯିବ। ସୋଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତିଷ୍ଠିତ ସୋଆ ସାହିତ୍ୟ ସମ୍ମାନ ଦେଶରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯାଇଥାଏ। ବିଶିଷ୍ଟ ଲେଖକ, କବି ଓ ଚିନ୍ତକ ଯେଉଁମାନଙ୍କର ଏହି କ୍ଷେତ୍ରରେ ଉତ୍କର୍ଷତା, ସୃଜନଶୀଳତା ଓ ବୌଦ୍ଧିକ ଗଭୀରତା ରହିଛି ସେମାନଙ୍କୁ ସମ୍ମାନିତ କରିବା ହିଁ ସୋଆ ସାହିତ୍ୟ ସମ୍ମାନର ବିନମ୍ର ଉଦ୍ଦେଶ୍ୟ।

ଅଖତର ଏକାଧାରରେ ଜଣେ ସଂଳାପ ଲେଖକ, ଗୀତିକାର, କବି ଏବଂ ଚିନ୍ତକ। ତାଙ୍କର ଲେଖନୀ ଆଧୁନିକ ଭାରତର ଭାବପ୍ରବଣ ଓ ସାଂସ୍କୃତିକ ଦୃଶ୍ୟପଟ୍ଟକୁ ସମୃଦ୍ଧ କରିଆସିଛି। ଜଣେ ଉଚ୍ଚକୋଟୀର ଗୀତିକାର ଭାବେ ତାଙ୍କର କୃତି ଭାରତୀୟ ସିନେମାକୁ ଆହୁରି ସମୃଦ୍ଧ କରିବାରେ ସହାୟକ ହୋଇଛି। ପାଂଚ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ୧୫ ଥର ଫିଲ୍ମଫେୟାର ପୁରସ୍କାରରେ ସମ୍ମାନିତ ଅଖତରଙ୍କୁ ୧୯୯୯ ମସିହାରେ ପଦ୍ମଶ୍ରୀ, ୨୦୦୭ରେ ପଦ୍ମ ଭୁଷଣ ଓ ୨୦୧୪ରେ ସାହିତ୍ୟ ଅକାଦେମୀ ସମ୍ମାନରେ ସମ୍ମାନିତ କରାଯାଇଛି। ତାଙ୍କର କବିତା ସଂକଳନ ‘ତର୍କଷ’ ଓ ‘ଲାଭା’ ଆଧୁନିକ ହିନ୍ଦୀ ସାହିତ୍ୟରେ ସର୍ବାଦୃତ ପୁସ୍ତକ ଭାବେ ପରିଗଣିତ ହେବା ସହ ବିଭିନ୍ନ ଭାରତୀୟ ଏବଂ ବିଦେଶୀ ଭାଷାରେ ମଧ୍ୟ ଅନୁବାଦ କରାଯାଇଛି। ଉନ୍ନତ ଚିନ୍ତାଧାରା ସମ୍ପନ୍ନ ଅଖତର ହାର୍ଭାଡ, ଅକ୍ସଫୋର୍ଡ ଏବଂ କେମ୍ବ୍ରିଜ୍ ଭଳି ପୃଥିବୀର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀ ଓ ପ୍ରଫେସର ମାନଙ୍କୁ ସମ୍ବୋଧିତ କରିଛନ୍ତି। ଭାରତୀୟ ସିନେମାର ଶବ୍ଦର ଯାଦୁକର ଭାବେ ପରିଚିତ ଜାଭେଦ ଅଖତରଙ୍କ ସାହିତ୍ୟ କୃତି ଯୁବପିଢ଼ିଙ୍କୁ ଉତ୍ସାହ ପ୍ରଦାନ କରି ଆସିଛି। ଜାଭେଦ ଅଖତରଙ୍କୁରେ ସୋଆ ସାହିତ୍ୟ ସମ୍ମାନ ପ୍ରଦାନ ଅବସରରେ ୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହିତ ମାନପତ୍ର, ଦେବୀ ସରସ୍ୱତୀଙ୍କ ରୌପ୍ୟ ମୂର୍ତୀ ଓ ଉତରୀୟ ପ୍ରଦାନ କରାଯିବ।

ଭାରତୀୟ ସମ୍ବିଧାନ ଅନୁମୋଦିତ ଯେକୌଣସି ଭାରତୀୟ ଭାଷାର ସାହିତ୍ୟିକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ। ସୋଆ ପରିଚାଳିତ ସେଂଟର ଫର ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଏନ୍‌ସିଏଂଟ କଲ୍‌ଚର ଆଣ୍ଡ ହେରିଟେଜ ଅଫ୍ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ଆସନ୍ତା ନଭେମ୍ବର ୨୯ ଓ ୩୦ ଦୁଇ ଦିନ ଧରି ଏହି ସାହିତ୍ୟ ଉତ୍ସବ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷର ପ୍ରସଙ୍ଗ ହେଉଛି ‘କଲ୍‌ଚର, କ୍ରିଏଟିଭିଟି ଆଣ୍ଡ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ’ ଅର୍ଥାତ ସଂସ୍କୃତି, ସର୍ଜନଶୀଳତା ଓ କୃତ୍ରିମ ବୁଦ୍ଧିମତା। ଏହି ସୂଚନା ଦେଇଛନ୍ତି ପ୍ରାଚୀନର ମୁଖ୍ୟ ତଥା ଉତ୍ସବର ନିର୍ଦ୍ଦେଶିକା ପ୍ରଫେସର ଗାୟତ୍ରୀବାଳା ପଣ୍ଡା। ଚଳିତ ବର୍ଷର ସାହିତ୍ୟ ଉତ୍ସବରେ ଦେଶର କୋଣ ଅନୁକୋଣରୁ ପ୍ରାୟ ୧୦୦ ରୁ ଊର୍ଦ୍ଧ୍ୱ ବିଶିଷ୍ଟ ଲେଖକ, କବି, ଚିତ୍ରକାର, ଔପନ୍ୟାସିକ, ଅନୁବାଦକ, ପ୍ରକାଶକ, ଚିନ୍ତକ, ନାଟକ ଏବଂ ଗଣମାଧ୍ୟମ ଜଗତର ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଦୁଇ ଦିନିଆ ଏହି ଉତ୍ସବରେ ୩୦ଟି ବିଭିନ୍ନ ଅଧିବେଶନ ରଖାଯାଇଛି ବୋଲି ପ୍ରଫେସର ପଣ୍ଡା ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking