30.7 C
Bhubaneswar
Thursday, June 18, 2026
Homeଓଡିଶାପ୍ରଭାତୀଙ୍କୁ କଡ଼ା ଜବାବ୍ ଦେଲେ ବର୍ଷା ସିଂ ବରିହା

ପ୍ରଭାତୀଙ୍କୁ କଡ଼ା ଜବାବ୍ ଦେଲେ ବର୍ଷା ସିଂ ବରିହା

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଓଡ଼ିଶାର ଇତିହାସ, ସଂସ୍କୃତି ଓ ପରମ୍ପରା ଜାଣିନାହାନ୍ତି । ମାରାଗୁଡ଼ା ଇତିହାସରେ ଭଣଜା, ଭାଣିଜୀଙ୍କୁ ଈଶ୍ୱର ସମାନ ବିବେଚନା କରାଯାଏ । ତାଙ୍କ ପାଦ ଧୋଇ ତାକୁ ପାଦୁକା ଭାବେ ପିଆଯାଏ । କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ମା’ କିମ୍ୱା ଭଣଜା, ଭାଣିଜୀଙ୍କୁ କେହି ପର ବୋଲି ବିବେଚନା କରିନଥାନ୍ତି । ଭଣଜା, ଭାଣିଜୀଙ୍କୁ ପର ବୋଲି କହିବା କେଉଁଠିକାର ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ କରିଛନ୍ତି ପଦମପୁର ବିଜେଡି ବିଧାୟିକା ବର୍ଷା ସିଂ ବରିହା । ନୂଆପଡ଼ା ହେଉଛି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ମାମୁଁ ଘର । ଏଠି ତାଙ୍କୁ ବହୁତ ସ୍ନେହ, ଆଦର ଓ ସମ୍ମାନ ମିଳୁଛି । ନୂଆପଡ଼ାବାସୀ ନିଶ୍ଚିତ ଭାବେ ତାଙ୍କୁ ବହୁଳ ଭୋଟରେ ବିଜୟୀ କରାଇବେ ବୋଲି ସେ ଦୃଢ଼ତାର ସହ କହିଛନ୍ତି ।

ସୋମବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ‘ବାପ ଘର ପର, ମାମୁଁ ଘର ସାତ ପର’ ମନ୍ତବ୍ୟକୁ କଡ଼ା ଜବାବ୍ ଦେଇ ଶ୍ରୀମତୀ ବରିହା କହିଛନ୍ତି ଯେ, ଯଦି ପ୍ରକୃତରେ କୌଣସି ସ୍ଥାନର ଉନ୍ନତି କରିବାକୁ ଚାହୁଁଛ ତା ହେଲେ ସେହି ସ୍ଥାନର ଇତିହାସକୁ ଭଲ ଭାବେ ଜାଣି ରଖିବା ଆବଶ୍ୟକ । କିନ୍ତୁ ଉପମୁଖ୍ୟମନ୍ତ୍ରୀଙ୍କ କଥାରୁ ଜଣାପଡୁଛି ଏଠାକାର ପରମ୍ପରା, ଇତିହାସ, ସଂସ୍କୃତି ସମ୍ପର୍କରେ ତାଙ୍କର ସାମାନ୍ୟତମ ଜ୍ଞାନ ନାହିଁ । ଘରେ ଘରେ ଭଣଜା, ଭାଣିଜୀଙ୍କୁ ସବୁଠାରୁ ଅଧିକ ସ୍ନେହ ଶ୍ରଦ୍ଧା ମିଳିଥାଏ । ପିଲା ବେଳେ ଛୁଟି ହେଲେ ସବୁ ପିଲା ପ୍ରଥମେ ନିଜ ମାମୁଁ ଘରକୁ ହିଁ ଆସିଥାନ୍ତି । କାରଣ ମାମୁଁ ଘରର ସ୍ଥାନ ଆଉ କେହି ନେଇପାରିବ ନାହିଁ । ଆମେ ପଛେ ଭୋକିଲା ରହିଯାଉ, କିନ୍ତୁ ଭଣଜା, ଭାଣିଜୀଙ୍କୁ ପ୍ରଥମେ ଖାଇବା ପାଇଁ ଦେଇଥାଉ । ଏହା ଆମ ସଂସ୍କୃତି, ଆମ ଚଳଣି । ମା’ ଓ ଭଣଜା, ଭାଣିଜୀଙ୍କୁ ଏପରି ଅସମ୍ମାନ କରିପାରୁଥିବା ମାମୁଁ, ମାଇଁ ଈଶ୍ୱର କାହାକୁ ନ ଦିଅନ୍ତୁ । ଏହା ଶ୍ରୀମତୀ ପରିଡ଼ାଙ୍କର ପରମ୍ପରା, ସଂସ୍କୃତି ହୋଇପାରେ, କିନ୍ତୁ ଏଠାକାର ଲୋକେ ଏପରି ମନ୍ତବ୍ୟକୁ କେବେ ଗ୍ରହଣ କରିବେ ନାହିଁ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ମନ୍ତବ୍ୟ ।

ଶ୍ରୀମତୀ ବରିହା ଆହୁରି କହିଥିଲେ ଯେ, ଓଡ଼ିଆ ଅସ୍ମିତାର ନାରା ଦେଇ କ୍ଷମତାକୁ ଆସିଥିବା ସରକାରଙ୍କୁ ମୁଁ ପଚାରିବାକୁ ଚାହୁଁଛି, ମା’ ମାନଙ୍କୁ ନେଇ ସୁଭଦ୍ରା ସମାବେଶ କରୁଛନ୍ତି । କିନ୍ତୁ ସୁଭଦ୍ରାରୁ ବଞ୍ଚିତ କେତେ ଜଣ ମା’ ମାନଙ୍କ ଦୁଃଖ ଶୁଣିଛନ୍ତି? ଟଙ୍କା ମିଳି ନଥିବାରୁ ଶ୍ରୀମତୀ ପରିଡ଼ାଙ୍କ ପାଖକୁ ଗୁହାରି ଜଣାଇବା ପାଇଁ ଯାଉଥିବା ମା’ ମାନଙ୍କୁ ଅସମ୍ମାନ କରାଯାଉଛି । ଯେଉଁ ସୁଭଦ୍ରା ନାମରେ ଭୋଟ ମାଗିଲେ, ଏବେ ସେହି ମାନଙ୍କୁ ନିଜ ପାଖରେ ପୁରାଉ ନାହାନ୍ତି । ଦୁଇ ବର୍ଷରେ ୫୦ ହଜାର ଟଙ୍କା ଦେବେ ବୋଲି କହିଲେ, କ୍ଷମତାକୁ ଆସିବା ପରେ ୫ ବର୍ଷରେ ଦେବା କଥା କହୁଛନ୍ତି । ସୁଭଦ୍ରା ଟଙ୍କା ଦେବା ପାଇଁ ମା’ ମାନଙ୍କୁ ପୋଷ୍ଟ ଅଫିସ୍ ଆଗରେ ଧାଡ଼ିରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଛିଡ଼ା କଲେ । ଏହା କ’ଣ ଓଡ଼ିଆ ଅସ୍ମିତା ବୋଲି ଶ୍ରୀମତୀ ବରିହା ପଚାରିଛନ୍ତି । ଡବଲ ଇଞ୍ଜିନ ସରକାରରେ କେବଳ ମା’ମାନଙ୍କୁ ନୁହେଁ, ଚାଷୀମାନେ ଆଜି ରାଜରାସ୍ତାରେ ବସିଛନ୍ତି । ଆଗାମୀ ଉପନିର୍ବାଚନରେ ନୂଆପଡ଼ାବାସୀ ଏହାର ଉଚିତ ଜବାବ ଦେବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking