ଭୁବନେଶ୍ୱର: ରାଜ୍ୟର ଚଉଦ ଜିଲ୍ଲାରେ ୩୩ ଶିଳ୍ପ ପ୍ରକଳ୍ପକୁ ମିଳିଛି ସିଙ୍ଗଲ ୱଣ୍ଡୋ କ୍ଲିଅରାନ୍ସ। ଏହି ପ୍ରକଳ୍ପଗୁଡ଼ିକରେ ୧.୪୬ ଲକ୍ଷ କୋଟି ଟଙ୍କାର ନିବେଶ ହେବ। ଏଥିଯୋଗୁଁ ୬୬ ହଜାରଙ୍କୁ ନିଯୁକ୍ତି ସୁଯୋଗ ମିଳିବ।
ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କ୍ଲିଅରାନ୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଯେଉଁ ୧୪ ଜିଲ୍ଲାରେ ଶିଳ୍ପ ପ୍ରକଳ୍ପ ପାଇଁ ମଞ୍ଜୁରୀ ମିଳିଛି, ସେସବୁ ଜିଲ୍ଲାଗୁଡ଼ିକ ହେଉଛି ଅନୁଗୁଳ ବଲାଙ୍ଗୀର, ଗଞ୍ଜାମ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼, ଜଗତ୍ସିଂହପୁର, ଯାଜପୁର, ଢେଙ୍କାନାଳ, କଟକ ଓ ସୁନ୍ଦରଗଡ଼। ଏସବୁ ଜିଲ୍ଲାରେ ଆଇଟି ଓ ଇଏସ୍ଡିଏସ୍ଡିଏମ୍, ଟେକ୍ସଟାଇଲ,ଫୁଡ୍ ପ୍ରଶେସିଂ, ପର୍ଯ୍ୟଟନ,ଗ୍ରୀନ ଏନର୍ଜୀ, ଡାଟାବେଶ୍, ଷ୍ଟିଲ, ଆଲୁମିନିୟମ, ଅକ୍ଷୟ ଶକ୍ତି, କେମିକାଲ ଇଣ୍ଡଷ୍ଟ୍ରି ଓ ଆର୍ଥ ମେଟେରିଆରଲସ୍ ଅନ୍ୟତମ। ପ୍ରକଳ୍ପ ମଧ୍ୟରେ ବଡ଼ ପୁଞ୍ଜିନିବେଶ ଆଦାନୀ ଗ୍ରୁପର ପ୍ରକଳ୍ପ ରହିଛି। କୋଇଲାରୁ କେମିକାଲ ପ୍ରସ୍ତୁତି ଶିଳ୍ପ ପାଇଁ ୮୪ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବ ଆଦାନୀ ଗ୍ରୁପ। ସେହିପରି ସ୍ପେସିଆଲ ଷ୍ଟିଲ ଶିଳ୍ପ, ସେମିକଣ୍ଡକ୍ଟର, ଗ୍ରୀନ ଏନର୍ଜି, ସୋଲାର ଶିଳ୍ପ ପାଇଁ ଅନୁମୋଦନ ମିଳିଛି ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ଦେଢ଼ ବର୍ଷ ଭିତରେ ରାଜ୍ୟ ସରକାରର ୫୦୦ ଦିନ ଭିତରେ ୩୨୯ଟି ପ୍ରକଳ୍ପକୁ ୭ଲକ୍ଷ ୬୬ହଜାର କୋଟି ଅଧିକ ପୁଞ୍ଜିନିବେଶ ଅନୁମୋଦନ ମିଳିଛି ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ୮୪ଟି ପ୍ରକଳ୍ପ ଗ୍ରାଉଣ୍ଡ ବ୍ରେକିଂ ହୋଇ କାମ ଆରମ୍ଭ ହୋଇଛି। ୪ଲକ୍ଷ ୬୮ହଜାରରୁ ଅଧିକ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେଇଛି। ୨ଲକ୍ଷ ୪ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। ଯାହା ଦ୍ୱାରା ୧ଲକ୍ଷ ୬୪ହଜାର ନିଯୁକ୍ତି ସୁନିଶ୍ଚିତ କରିଛୁ। ଉକ୍ତ ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ସଚିବ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।










