22.1 C
Bhubaneswar
Saturday, March 21, 2026
Homeଓଡିଶାଦୁଇଦିନିଆ କେନ୍ଦ୍ରାଞ୍ଚଳ ରାଜସ୍ୱ ସମ୍ମିଳନୀ ଉଦଘାଟିତ

ଦୁଇଦିନିଆ କେନ୍ଦ୍ରାଞ୍ଚଳ ରାଜସ୍ୱ ସମ୍ମିଳନୀ ଉଦଘାଟିତ

ଭୁବନେଶ୍ଵର: ରାଜସ୍ୱ ସେବାକୁ ସହଜ ଓ ଲୋକାଭିମୁଖୀ କରିବା ସହ ଉପଯୁକ୍ତ ସମୟରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ରାଜସ୍ୱ ଅଧିକାରୀ ମାନେ ଅଗ୍ରାଧିକାର ଦେବା ଉଚିତ । ଏବେ ରାଜସ୍ୱ ଆଇନ ରେ ସଂଶୋଧନ ଓ ସଂସ୍କାର ଆଣିବା ଜରୁରୀ ହୋଇ ପଡିଛି । ସରକାର ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜସ୍ୱ ସେବା ସଠିକ ଭାବରେ ଓ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଲୋକମାନଙ୍କ ନିକଟରେ ପହଞ୍ଚାଇଦେବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ରାଜସ୍ୱ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ଵରର ଗୋଠପାଟଣା ସ୍ଥିତ ରାଜସ୍ୱ ଅଧିକାରୀଙ୍କ ପ୍ରଶିକ୍ଷଣ ଅନୁଷ୍ଠାନ (ରୋଟି) ଠାରେ ଆୟୋଜିତ ଦୁଇ ଦିନିଆ କେନ୍ଦ୍ରାଞ୍ଚଳ ରାଜସ୍ୱ ସମ୍ମିଳନୀ କୁ ଉଦଘାଟନ କରିବା ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ ଯେ, ରାଜସ୍ୱ ଆଇନକୁ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ସରଳ କରିବା ଦରକାର । ଆଧୁନିକ ବୈଷୟିକ ଜ୍ଞାନର ଉପଯୋଗ କରି ରାଜସ୍ୱ ସେବାକୁ ଆହୁରି କ୍ରିୟାଶୀଳ କରାଯାଇପାରିବ । ରାଜସ୍ୱ ଅଧିକାରୀମାନେ ଜନସାଧାରଣଙ୍କ ଜମି ଜମା ସମସ୍ୟାର ସମାଧାନ ର ବାଟ ଖୋଜିବାକୁ ପ୍ରୟାସ କରିବା ଦରକାର । ଏହା ଫଳରେ ସଠିକ ସେବା ମିଳିପାରିବ । ସରକାରୀ ସମ୍ପତି ର ସୁରକ୍ଷା କରିବା ଓ ଜବରଦାଖଲ ମୁକ୍ତ କରିବା ରାଜସ୍ୱ ଅଧିକାରୀଙ୍କ ମୁଖ୍ୟ ଦାୟୀତ୍ଵ ହୋଇଥିବା ବେଳେ ସରକାରୀ ପ୍ରକଳ୍ପ ପାଇଁ ଆବଶ୍ୟକୀୟ ଜମି ଯୋଗାଇଦେବା ଉପରେ ମଧ୍ୟ ଗୁରୁତ୍ଵ ଦେବା ଉଚିତ । ତହସିଲଦାରମାନେ ନିଜ ଅଞ୍ଚଳର ଜମିଜମା ସ୍ଥିତି ସମ୍ପର୍କରେ ଏକ ଡାଟାବେସ ପ୍ରସ୍ତୁତ କରନ୍ତୁ ।

ଯଦିଓ ଆଜିର ଦିନରେ ରାଜସ୍ୱ ଅଧିକାରୀମାନଙ୍କ କାର୍ଯ୍ୟର ପରିସର ବୃଦ୍ଧି ପାଇଛି ତା ସତ୍ୱେ ମଧ୍ୟ ଜନସାଧାରଣଙ୍କୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସେବା ଯୋଗାଇ ଦେବାକୁ ଚେଷ୍ଟା କରିବା ଦରକାର । ଫଳରେ ୨୦୩୬ ମସିହା ସୁଦ୍ଧା ସମୃଦ୍ଧ ଓଡିଶା ଓ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତର ଲକ୍ଷ ସମ୍ଭବ ହୋଇପାରିବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ରୂପେ ଉପସ୍ଥିତ ରହି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓଡିଶା ରାଜସ୍ଵ ପର୍ଷଦର ମାନ୍ୟବର ସଦସ୍ୟ ଶ୍ରୀ ଦେଓରଞ୍ଜନ କୁମାର ସିଂହ କହିଲେ ଯେ, ସରକାର ଜନସାଧାରଣଙ୍କ ହିତ ପାଇଁ ଯେଉଁ ରାଜସ୍ୱ ଆଇନ ପ୍ରଣୟନ କରିଛନ୍ତି ସେ ସବୁର ସଫଳ ରୂପାୟନ ରାଜସ୍ୱ ଅଧିକାରୀଙ୍କ ଦାୟୀତ୍ଵ । ଏ ଦିଗରେ ରାଜସ୍ୱ ଅଧିକାରୀମାନେ ଯତ୍ନବାନ ହେବା ଉଚିତ । ଫଳରେ ଜନସାଧାରଣ ରାଜସ୍ୱ ସେବାର ସଠିକ ସୁଫଳ ପାଇପାରିବେ ।

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀମତୀ ଗୂହା ପୁନମ ତାପସ କୁମାରଙ୍କ ସଭାପତିତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାଞ୍ଚଳର ୧୦ଟି ଜିଲ୍ଲାର ଜିଲ୍ଲାପାଳ ମାନେ ଆଭାସି ମାଧ୍ୟମରେ ଉକ୍ତ କାର୍ଯ୍ୟକ୍ରମରେ ଯୋଡି ହୋଇଥିବା ବେଳେ ୯ ଜଣ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ ), ୧୬ ଜଣ ଉପଜିଲ୍ଲାପାଳ , ୧୧୨ ଜଣ ତହସିଲଦାର , ୧୦ ଜଣ ଜିଲ୍ଲା ନିବନ୍ଧକ , ୬୨ ଜଣ ସହକାରୀ ନିବନ୍ଧକ , ୪ ଜଣ ଜିଲ୍ଲା ମଙ୍ଗଳ ଅଧିକାରୀ ଯୋଗ ଦେଇଥିବା ବେଳେ ଏହି ଅବସରରେ ସ୍ଵାଗତ ଅଭିଭାଷଣ ଦେଇ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ କହିଲେ ଯେ ରାଜସ୍ୱ ପ୍ରଶାସନକୁ ଲୋକାଭିମୁଖୀ କରିବା ସହିତ ପ୍ରଚଳିତ ରାଜସ୍ୱ ଆଇନ ଓ ସରକାରଙ୍କ ନିର୍ଦ୍ଦେଶନାମା ଗୁଡିକୁ ପୁନଃ ଅବଲୋକନ କରି କାର୍ଯ୍ୟନ୍ଵୟନ କରିବା ପାଇଁ ବିଭିନ୍ନ ବିଶେଷଜ୍ଞମାନଙ୍କୁ ଏହି ଆଲୋଚନା ରେ ରାଜସ୍ୱ ପ୍ରଶାସନ ଓ ଆଇନର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହିତ ଉପସ୍ଥିତ ରାଜସ୍ୱ ଅଧିକାରୀ ମାନଙ୍କୁ ଏହି ସମ୍ପର୍କ ରେ ସଚେତନ କରିବା ଏହି ସମ୍ମିଳନୀ ର ମୁଖ୍ୟ ଉଦ୍ଦେଶ୍ୟ ।
କାର୍ଯ୍ୟକ୍ରମ ପରିଶେଷରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ସଚିବ ଶ୍ରୀ ନିହାର ରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଏହି ସମ୍ମିଳନୀ ଦୁଇଦିନ ଧରି ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ରାଜସ୍ୱ ଆଇନ ସମ୍ବନ୍ଧିତ ବିଭିନ୍ନ ବିଷୟ ଉପରେ ଆଲୋଚନା ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking