ଭୁବନେଶ୍ୱର: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଓଡିଆ ଡାକ୍ତରୀଙ୍କ ଗଣଦୁଷ୍କର୍ମ ମାମଲା । ମମତା ବାନାର୍ଜୀଙ୍କୁ କଡା କାଉଣ୍ଟର କଲେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ । ଓଡିଶାରେ ଯେଉଁ ଘଟଣା ଘଟୁଛି ଓଡିଶା ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ମମତା ବାନାର୍ଜୀଙ୍କ କଥାରୁ ଜଣାପଡୁଛି ସେ ଓଡିଶାକୁ ଟପିବା ପାଇଁ ଚାହୁଁଛନ୍ତି । ଆର୍ଜି କର ହସ୍ପିଟାଲ ଘଟଣାରେ ମମତା କଣ କଲେ ତାହା ସମସ୍ତେ ଜାଣିଛନ୍ତି । ବଙ୍ଗଳାରେ ପ୍ରତିଦିନ ପଲିଟିକାଲ ମର୍ଡର ହେଉଛି ତାହା ସମସ୍ତଙ୍କୁ ଜଣା । ଅନୁପ୍ରବେଶକାରୀକୁ ପ୍ରୋତ୍ସାହନ, ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଛନ୍ତି । ତାଙ୍କ ବିଷୟରେ ଦୁନିଆ ଜାଣିଛି, ଏହି ଘଟଣାରେ ମୁଁ ନିଜେ ଯିବି । ଆମର ଦାବି ପ୍ରଥମେ ପୀଡିତାକୁ ନ୍ୟାୟ ଦିଆଯାଉ, ସବୁ ଅପରାଧୀଙ୍କୁ ଧରାଯାଉ । ପୀଡିତାଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଉ । ଭବିଷ୍ୟତରେ ଯେପରି ଏପରି ଘଟଣା ନଘଟେ ଦୃଷ୍ଟି ଦିଆଯିବା ଦରକାର ।
ସୂଚନାଯୋଗ୍ୟ, ଏହି ଘଟଣାରେ ଉତ୍ତର କମ୍ ରଖି ପାଲଟା ଦୋଷ ଲଦିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଓଡିଶାର ତଥ୍ୟ ନଜାଣି ପାଲଟା ଅଭିଯୋଗ କରିଛନ୍ତି ମମତା । ଓଡିଶାରେ ବି ଦୁଷ୍କର୍ମ ହେଉଛି କହି ନିଜ ଦୋଷ ଲୁଚାଇଦେଇଛନ୍ତି । ଓଡିଶା ବାବଦରେ ମିଛ ତଥ୍ୟ ମଧ୍ୟ ଦେଇଛନ୍ତି । ଏମିତି କିଛି ଘଟଣା ଓଡିଶାରେ ଘଟିନଥିବା ବେଳେ ମମତା ଅଭିଯୋଗ କରି ୩ ସପ୍ତାହ ତଳେ ସମୁଦ୍ରକୂଳରେ ୩ଟି ରେପ୍ ହୋଇଥିବା ନେଇ ମିଛ କହିଛନ୍ତି । ଏହା ସହ ସେ ରାତିରେ କାହିଁକି କ୍ୟାମ୍ପସରୁ ବାହାରୁଛ ବୋଲି ଛତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି । ନିଜେ ଜଣେ ମହିଳା ହୋଇ ମଧ୍ୟ ମୁଖ୍ୟମନ୍ତ୍ରୀ ରାତିରେ କ୍ୟାମ୍ପସରୁ ବାହାରନ୍ତୁନି ବୋଲି ପରାମର୍ଶ ଦେଇଛନ୍ତି । ଘରୋଇ କଲେଜକୁ ସବୁ ଦୋଷ ଠେଲିଦେଇଛନ୍ତି ।










