18.1 C
Bhubaneswar
Saturday, December 6, 2025
Homeଓଡିଶାଶାସ୍ତ୍ରସମ୍ମତ ପରାମ୍ପରାର ଉଲ୍ଲଂଘନ କରୁଛି ଇସ୍କନ୍‌: ଗଜପତି

ଶାସ୍ତ୍ରସମ୍ମତ ପରାମ୍ପରାର ଉଲ୍ଲଂଘନ କରୁଛି ଇସ୍କନ୍‌: ଗଜପତି

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖନିସୃତ ନିର୍ଦ୍ଦେଶ, ପବିତ୍ର ଶାସ୍ତ୍ର ତଥା ମହର୍ଷି ବେଦବ୍ୟାସଙ୍କ ରଚିତ ପୁରାଣ ତଥା ଅନନ୍ତକାଳରୁ ପ୍ରତିଷ୍ଠିତ ପରମ୍ପରାକୁ ଅନୁପାଳନ କରି ମୂଳପୀଠ ଶ୍ରୀମନ୍ଦିରରେ ଜ୍ୟେଷ୍ଠପୂର୍ଣ୍ଣିମା ତିଥିରେ ମହାପ୍ରଭୁଙ୍କ ଆଦ୍ୟ ଆବିର୍ଭାବ ବା ଜନ୍ମତିଥିରେ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଆସୁଛି। ସେହିପରି ଚତୁର୍ଦ୍ଧା ଦାରୁବିଗ୍ରହ ନିଜ ଜନ୍ମସ୍ଥାନ ବା ଶ୍ରୀଗୁଣ୍ଡିଚା ମନ୍ଦିରକୁ ରଥରେ କରୁଥିବା ଯାତ୍ରାକୁ ରଥଯାତ୍ରା ଭାବେ ପାଳନ କରାଯାଉଥିବା ବେଳେ ଏହି ନବଦିନାତ୍ମକ ଯାତ୍ରା ଅନାଦି କାଳରୁ କେବଳ ଆଷାଢ଼ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ଅନୁଷ୍ଠିତ ହୋଇଆସୁଛି। ତେବେ କିଛି ଦଶନ୍ଧି ହେଲା ଏହା ଲକ୍ଷ୍ୟ କରାଯାଉଛି ଯେ ଉପରୋକ୍ତ ଶାସ୍ତ୍ର ସମ୍ମତ ତିଥି ତଥା ପରମ୍ପରା ଉଲ୍ଲଂଘନ କରି ଇସ୍କନ୍ ପକ୍ଷରୁ ଦେଶ ତଥା ବିଦେଶରେ ଏହାର ବିଭିନ୍ନ ମନ୍ଦିରରେ ସ୍ନାନଯାତ୍ରା ଏବଂ ରଥଯାତ୍ରାର ଆୟୋଜନ କରାଯାଉଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପ୍ରକାଶ କରିଛନ୍ତି।

ଗଜପତି କହିଛନ୍ତି ଯେ, ଏସମ୍ପର୍କରେ ଦୀର୍ଘ ବର୍ଷ ଧରି ଶ୍ରୀମନ୍ଦିର ପ୍ରଶାସନ ତଥା ଏହାର ପରିଚାଳନା କମିଟିର ଅଧ୍ୟକ୍ଷ, ଗଜପତି ମହାରାଜାଙ୍କ ପକ୍ଷରୁ ଆପତ୍ତି ଉଠାଯିବା ସହ ଏଥିରୁ ବିରତ ରହିବାକୁ ଇସ୍କନ୍ କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ସ୍ତରରେ ଆଲୋଚନା ହୋଇଆସୁଥିବା ବେଳେ ଗତ ୨୦୨୧ ମସିହା ଜୁଲାଇ ୨୧ ତାରିଖରେ ଇସ୍କନ୍ ଗଭଣ୍ଡିଂ କାଉନ୍‌ସିଲ୍ (ବ୍ୟୁରୋ), ମୁମ୍ବାଇ ପକ୍ଷରୁ ଶାସ୍ତ୍ର ତଥା ପରମ୍ପରା ଅନୁସାରେ ଭାରତରେ ଥିବା ସମସ୍ତ ଇସ୍କନ ମନ୍ଦିରରେ ରଥଯାତ୍ରା ନୀତି ଅନୁପାଳନ କରିବାକୁ ବିବଦ୍ଧ ନିଷ୍ପଭି ନିଆଯାଇଥିଲା। ତେବେ ବିଦେଶରେ ରଥଯାତ୍ରା ପାଳନ ସମ୍ପର୍କରେ ଇସ୍କନ୍‌ର ଅନ୍ତର୍ଜାତୀୟ ମହକୁମା (ଗଭଣ୍ଡିଂ ବଡି କମିସନ୍‌), ମାୟାପୁର, ପଶ୍ଚିମବଙ୍ଗ ନିଷ୍ପତ୍ତି ନେବେ ବୋଲି ସେତେବେଳେ କୁହାଯାଇଥିଲା। ତଦନୁସାରେ, ଏନେଇ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଇସ୍କନ୍‌ର ଅନ୍ତର୍ଜାତୀୟ ମହକୁମା (ଗଭଣ୍ଡିଂ ବଡି କମିସନ)ଙ୍କୁ ମଧ୍‌ୟ ଗଜପତି ମହାରାଜାଙ୍କ ପକ୍ଷରୁ ବାରମ୍ବାର ବାର୍ଭା ପ୍ରେରଣ କରାଯାଇଛି। ତେବେ ଗତ ୨୦୨୪ ମସିହା ଡିସେମ୍ବର ୨ ତାରିଖ ଦିନ ପୁରୀଠାରେ ଅନୁଷ୍ଠିତ ବୈଠକରେ ଶ୍ରୀ ଗଜପତି ମହାରାଜ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବ୍ୟକ୍ତିଗତ ଭାବେ ଇସ୍କନ୍‌ର ଗଭଣ୍ଡିଂ ବଡି କମିସନର ଅଧ୍ୟକ୍ଷଙ୍କୁ ଆଗ୍ରହ ତଥା ଅନୁରୋଧ କରିଥିଲେ ଯେ ଦେଶ ତଥା ବିଦେଶରେ ଇସ୍କନ୍‌ର ସମସ୍ତ ମନ୍ଦିରରେ ଶାସ୍ତ୍ର ତଥା ପରମ୍ପରା ଅନୁସାରେ ସ୍ନାନଯାତ୍ରା ଏବଂ ରଥଯାତ୍ରା ବିଧି ଅନୁପାଳିତ ହେଉ। ସେହି ବୈଠକରେ ଇସ୍କନ ଅଧ୍ୟକ୍ଷଙ୍କ ପ୍ରସ୍ତାବ ଅନୁସାରେ, ପରବର୍ତ୍ତୀ ସମୟରେ ୨୦୨୫ ମସିହା ମାର୍ଚ୍ଚ ୨୦ ତାରିଖ ଦିନ, ଭୁବନେଶ୍ୱରରେ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରତିନିଧୃତ୍ତ୍ୱ କରୁଥିବା ଶାସ୍ତ୍ରଜ୍ଞ ତଥା ଗବେଷକ ଏବଂ ଇସ୍କନ୍‌ର ଶାସ୍ତ୍ରଜ୍ଞମାନଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସେହି ବୈଠକ ଏବଂ ପରେ ଇସ୍କନ୍ ପକ୍ଷରୁ ଦାଖଲ ହୋଇଥିବା ଦସ୍ତାବିଜକୁ ବିସ୍ତୃତ ଭାବେ ଅନୁଶୀଳନ କରିବା ପରେ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରତିନିଧୃତ୍ୱ କରୁଥୁବା ଶାସ୍ତ୍ରଜ୍ଞ ତଥା ଗବେଷକମାନେ ଏହି ସିଦ୍ଧାନ୍ତରେ ଉପନୀତି ହୋଇଥିଲେ ଯେ ଭିନ୍ନ ତିଥି ବା ବର୍ଷର ଯେକୌଣସି ତିଥିରେ ଇସ୍କନ୍ ପକ୍ଷରୁ ସ୍ନାନଯାତ୍ରା କିମ୍ବା ରଥଯାତ୍ରା ପାଳନ ନେଇ ଦାଖଲ ହୋଇଥିବା ଯୁକ୍ତିଗୁଡ଼ିକ ଅମୂଳକ, ଭୁଲ୍ ଏବଂ ଶାସ୍ତ୍ର ତଥା ପରମ୍ପରା ବିରୋଧୀ। ଶାସ୍ତ୍ରଜ୍ଞ ତଥା ଗବେଷକମାନେ ଦାଖଲ କରିଥିବା ବିସ୍ତୃତ ସନ୍ଦର୍ଭ ସେପ୍ଟେମ୍ବର ୩ ତାରିଖ ଦିନ ଅନୁଷ୍ଠିତ ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଉପସ୍ଥାପନ ହେବା ସହ ଅନୁମୋଦନ ଲାଭ କରିଛି। ସମ୍ପୃକ୍ତ ସନ୍ଦର୍ଭକୁ ଗଜପତି ମହାରାଜାଙ୍କ ଚିଠି ସହିତ ଆଜି ବିବଦ୍ଧ ଭାବେ ଇସ୍କନ୍‌ର ଅନ୍ତର୍ଜାତୀୟ ଗଭଣ୍ଡିଂ ବଡି କମିସନ, ମାୟାପୁର, ପଶ୍ଚିମବଙ୍ଗର ଅଧ୍ୟକ୍ଷଙ୍କ ନିକଟକୁ ପ୍ରେରଣ କରାଯାଇଛି।

ଏଥିରେ ସ୍ପଷ୍ଟ କରାଯାଇଛି ଯେ, ପ୍ରଭୁ ଶ୍ରୀକୃଷ୍ଣ, ଶ୍ରୀରାମ, ଶ୍ରୀଗଣେଶଙ୍କ ଜନ୍ମଦିନ ଶାସ୍ତ୍ରସମ୍ମତ ତିଥିରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ଶ୍ରୀରାମ ନବମୀ, ଶ୍ରୀଗଣେଶ ଚତୁର୍ଥୀରେ ହିଁ ପାଳିତ ହୋଇଥାଏ। ଏଥିରେ ତ ଇସ୍କନ୍ ପକ୍ଷରୁ ବ୍ୟତିକ୍ରମ ହୋଇ ନଥାଏ। ତେଣୁ ଅନନ୍ତକୋଟି ବ୍ରହ୍ମାଣ୍ଡନାଥ ଶ୍ରୀଜଗନ୍ନାଥଙ୍କ ଜନ୍ମଦିନ (ସ୍ନାନଯାତ୍ରା) ଭିନ୍ନ ତିଥିରେ ପାଳନ କରାଯିବା ନେଇ ଇସ୍କନ୍‌ର ଯୁକ୍ତି କଦାପି ଗ୍ରହଣୀୟ ନୁହେଁ। ସେହିପରି, ସନାତନ ବୈଦିକ ଧର୍ମର ଅନ୍ୟ ପର୍ବପର୍ବାଣୀ ଯଥା, ମହାଶିବରାତ୍ରୀ, ହୋଲି, ଦୀପାବଳୀ, ଦୁର୍ଗାପୂଜା (ନବରାତ୍ର), ଦଶହରା, ବସନ୍ତ ପଞ୍ଚମୀ, ମକର ସଂକ୍ରାନ୍ତି, ଗୁରୁ ପୂର୍ଣ୍ଣିମା ମଧ୍‌ଯ ସମଗ୍ର ବିଶ୍ୱରେ ଗୋଟିଏ ନିର୍ଦ୍ଦିଷ୍ଟ ଶାସ୍ତ୍ର ସମ୍ମତ ତିଥିରେ ପାଳନ ହୋଇଥାଏ। କେବଳ ଏତିକି ନୁହେଁ, ଅନ୍ୟ ଧର୍ମରେ ଯେପରିକି ଖ୍ରୀଷ୍ଟମାସ୍‌, ଇଦ୍‌-ଉଲ୍‌-ଫିତ,ର୍ ବୁଦ୍ଧ ଜୟନ୍ତୀ, ପର‌୍ୟୁଷ୍ପ ମହାପର୍ବ (ଜୈନ ଧର୍ମ), ୟୋମ୍ କିପୁର୍ (ଜିଉମାନଙ୍କ ପର୍ବ) କିମ୍ବା ଶିଖ୍ ଧର୍ମାବଲମ୍ବୀ ପାଳନ କରୁଥିବା ବୈଶାଖୀ ପର୍ବ ମଧ୍‌ଯ ସମ୍ପୃକ୍ତ ଧର୍ମର ଶାସ୍ତ୍ର ତଥା ପରମ୍ପରାରେ ସ୍ଥିରୀକୃତ ନିର୍ଦ୍ଦିଷ୍ଟ ଏକ ତିଥି ବା ଦିବସରେ ପାଳିତ ହୋଇଥାଏ। ତେଣୁ ଜଗତରନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ (ଯାହାକି ଦ୍ୱାଦଶ ଯାତ୍ରା ମଧ୍ୟରୁ ସର୍ବଶ୍ରେଷ୍ଠ ତଥା ପବିତ୍ର ଯାତ୍ରା ବା ପର୍ବ ବୋଲି ବିବେଚନା କରାଯାଏ), ବର୍ଷର ଯେକୌଣସି ଦିବସରେ ପାଳନ କରିବା ନେଇ ଇସ୍କନ୍ କର୍ତ୍ତୃପକ୍ଷଙ୍କ କୌଣସି ମତ ଯୁକ୍ତିସଂଗତ ନୁହେଁ। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଆଲୋଚନା ତଥା ପର୍ଯ୍ୟାଲୋଚନା ପ୍ରକ୍ରିୟା ଚାଲିଥିବା ବେଳେ ଚଳିତବର୍ଷ ପୁଣିଥରେ ଇସ୍କନ୍ କର୍ତ୍ତୃପକ୍ଷଙ୍କ ଦ୍ୱାରା ଦେଶ ତଥା ବିଦେଶରେ ପ୍ରାୟ ୪୦ଟି ଇସ୍କନ ମନ୍ଦିରରେ ଭିନ୍ନ ଭିନ୍ନ ତିଥିରେ ଏପରିକି ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଶାସ୍ତ୍ର ତଥା ପରମ୍ପରା ଉଲଂଘନ କରି ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଳନ କରୁଥିବା ଦୃଷ୍ଟିକୁ ଆସିଅଛି।

ସେହିପରି ଉପଲବ୍ଧ ତଥ୍ୟ ଆଧାରରେ, ବିଦେଶରେ ୬୮ ଇସ୍କନ୍ ମନ୍ଦିର ସମସ୍ତ ଶାସ୍ତ୍ର ତଥା ପରମ୍ପରାକୁ ଉଲ୍ଲଂଘନ କରି ଏବର୍ଷ ରଥଯାତ୍ରା ପାଳନ କରିଛନ୍ତି। ଶାସ୍ତ୍ର ତଥା ପରମ୍ପରା ବିରୋଧୀ ଇସ୍କନ୍‌ର ଏହି କାର୍ଯ୍ୟକୁ ପରମପୂଜ୍ୟ ଶ୍ରୀମଦ୍ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀ ମଧ୍ୟ ଘୋର ନିନ୍ଦା କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା ଏବଂ ରଥଯାତ୍ରା ପାଳନ କରିବାରେ ଇସ୍କନ୍ କର୍ତ୍ତୃପକ୍ଷ ବାରମ୍ବାର ଶାସ୍ତ୍ର ଏବଂ ପରମ୍ପରାକୁ ଅମାନ୍ୟ ତଥା ଅସମ୍ମାନ କରିବା ସମଗ୍ର ବିଶ୍ୱର କୋଟି କୋଟି ଶ୍ରୀଜଗନ୍ନାଥ ପ୍ରେମୀଙ୍କ ଧର୍ମୀୟ ଭାବନାକୁ କୁଠାରଘାତ କରୁଛି। ଏ ଭଳି ପରିସ୍ଥିତିରେ, ଶାସ୍ତ୍ର ତଥା ପ୍ରଚଳିତ ପରମ୍ପରା ଅନୁସାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମସ୍ତ ଯାତ୍ରା ଇସ୍କନ୍ ମନ୍ଦିର ତଥା କେନ୍ଦ୍ରରେ ପାଳନ କରିବାକୁ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ (ଏକ ମାସ ମଧ୍ୟରେ) ଇସ୍କନ୍‌ର ଗଭଣ୍ଡିଂ ବଡି କମିସନ (ମାୟାପୁର)ଙ୍କୁ ପୁଣିଥରେ ଗଜପତି ମହାରାଜ ଅପିଲ୍ କରିଥିବା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking