15.1 C
Bhubaneswar
Saturday, December 6, 2025
Homeଓଡିଶାପ୍ରତାରଣା ପାଇଁ ବିଜେଡି ଓ କଂଗ୍ରେସର ଗର୍ବ ଅହଙ୍କାର ଭାଙ୍ଗିଲେ ଓଡ଼ିଶାବାସୀ: ମନମୋହନ ସାମଲ

ପ୍ରତାରଣା ପାଇଁ ବିଜେଡି ଓ କଂଗ୍ରେସର ଗର୍ବ ଅହଙ୍କାର ଭାଙ୍ଗିଲେ ଓଡ଼ିଶାବାସୀ: ମନମୋହନ ସାମଲ

କଳାହାଣ୍ଡି/ଭୁବନେଶ୍ୱର:  କଂଗ୍ରେସ ରାଜ୍ୟରେ ୪୦ ବର୍ଷ ଧରି ସରକାରରେ ଥିଲା। ମାତ୍ର ଲୋକଙ୍କୁ କେବଳ ପ୍ରତରଣା କରିଆସିଥିଲା। ବିଜୁ ଜନତା ଦଳ ୨୪ ବର୍ଷ ଧରି ସରକାରରେ ଥିଲା। ମାତ୍ର ସେମାନଙ୍କର ଗର୍ବ ଓ ଅହଙ୍କାର ଚରମସୀମାରେ ପହଂଚିଥିଲା। ସେମାନଙ୍କ ନୀତି ଥିଲା ଟଙ୍କା ଓ ମଦ ଦେବୁ ଭୋଟ ନେବୁ। ଶେଷରେ ଲୋକ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିଦେଲେ। ବହୁ ସଂଘର୍ଷ କରି ବିଜେପି ରାଜ୍ୟରେ ଏକାକୀ ସରକାର ଗଢ଼ିବାରେ ସଫଳ ହେଲା ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ରାଜ୍ୟ ସଭାପତିଙ୍କ କଳାହାଣ୍ଡି ଜିଲ୍ଲାଗସ୍ତର ଆଜି ଦ୍ୱିତୀୟ ଦିନ ଥିଲା। ଏହି ଅବସରରେ ଜୁନାଗଡ଼ ଓ ଧର୍ମଗଡ଼ଠାରେ ସମ୍ବର୍ଦ୍ଧନା ସଭା ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।

ଏହି ପରିପ୍ରେକ୍ଷୀରେ ଶ୍ରୀ ସାମଲ କହିଛନ୍ତ ଯେ, ଜୁନାଗଡ଼ ଓ ଧର୍ମଗଡ଼ ବିଧାନସଭା ସବୁବେଳେ ଦଳର କାର୍ଯ୍ୟକର୍ତାଙ୍କ ପାଇଁ ପ୍ରେରଣାର କେନ୍ଦ୍ରବିନ୍ଦୁ ହୋଇ ରହିଛି। ଆଗାମୀଦିନରେ ଏଠାରେ ବିକାଶମୂଳକ କାର୍ଯ୍ୟ ଯେପରି ତ୍ୱରାନ୍ୱିତ ହେବ ସେଥିପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ। ବିନ୍ଦୁରୁ ସିନ୍ଧୁ ସୃଷ୍ଟି ହୁୂଏ। ସେହିପରି ବହୁ ତ୍ୟାଗ ତପସ୍ୟା ଓ କାର୍ଯ୍ୟକର୍ତାଙ୍କ ଉଦ୍ୟମରେ ଦଳ ଆଜି ଏଭଳି ସ୍ଥିତିରେ ପହଂଚିପାରିଛି। ଆଗକୁ ଯେପରି ଏହି କାର୍ଯ୍ୟ ତ୍ୱରାନ୍ୱିତ ହେବ ସେଥିପାଇଁ ଆମକୁ ପଦକ୍ଷେପ ନେବାକୁ ପଡ଼ିବ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ଓଡ଼ିଶାକୁ ବିକଶିତ ରାଜ୍ୟ ଭାବେ ଗଢ଼ିବା ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହକୁ ପୂରଣ କରିବା ପାଇଁ ଆମକୁ ନିରନ୍ତର ପ୍ରୟାସ କରିବାକୁ ପଡ଼ିବ। ଓଡ଼ିଶାର ବିଜେପି ସରକାର ଆସିବା ପରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୋଟିଏ ପରେ ଗୋଟିଏ ଗୋଟିଏ ପ୍ରତିଶ୍ରୁତି ପୂରଣ କରି ଆଜି ବିରୋଧୀ ଦଳର ମୁହଁ ବନ୍ଦ କରି ଦେଇଛନ୍ତି। ମାତ୍ର ୧ ବର୍ଷରେ ସଂକଳ୍ପପତ୍ରରେ ଥିବା ୨୧ଟି ପ୍ରତିଶ୍ରୁତିରୁ ୧୧ଟି ପୂରଣ କରି କଂଗ୍ରେସ ଓ ବିଜେଡିର ପାଟି ଚୁପ୍ କରି ଦେଇଛି ବିଜେପି ସରକାର। ସୁଭଦ୍ରା ଯୋଜନାଠାରୁ ଆରମ୍ଭ କରି, ଜଗନ୍ନାଥ ମନ୍ଦିରର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାର ଖୋଲିବା, ବୟସ୍କ ଓ ଭିନ୍ନକ୍ଷମଙ୍କ ପାଇଁ ସ୍ୱାସ୍ଥ୍ୟବୀମା ଓ ପେନସନ୍ ପ୍ରଦାନ କରିବା ଭଳି ପ୍ରତିଶ୍ରୁତି ପୂରଣ କରିଛନ୍ତି। ପିଏମ୍ କିଶାନ ଓ ସିଏମ୍ କିଶାନ ଭଳି ଯୋଜନା ଲାଗୁ କରାଯାଇଛି। ଧାନ କୁଇଂଟାଲ ସହାୟକ ମୂଲ୍ୟ ବୃଦ୍ଧି ପାଇ ଏବେ ୩୧୦୦ ଟଙ୍କାରେ ପହଂଚିଛି। ଫଳରେ ଚାଷୀଙ୍କ ଆୟ ଆଜି ୨ଗୁଣିତ ହେବାରେ ସହାୟକ ହୋଇଛି। ଅପରପକ୍ଷେ ଘୋଷଣା କରିବା ସତ୍ୱେ ୧୦୦ ଟଙ୍କା ବି ଦେଇପାରି ନ ଥିଲା ତତ୍କାଳୀନ ବିଜେଡି ସରକାର। ବିଜେଡି ସରକାର କେବଳ ଘୋଷଣା ସର୍ବସ୍ୱ ସରକାର ଥିଲା। ଚଳିତ ବର୍ଷ ସବୁଠାରୁ ଅଧିକ ଧାନ କଳାହାଣ୍ଡି ଜିଲ୍ଲାରୁ ସଂଗ୍ରହ କରାଯାଇଛି। ଆଗକୁ ଏଭଳି ବିକାଶମୂଳକ କାର୍ଯ୍ୟ ଜାରି ରହିବ।

ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବା ପରେ ଓଡ଼ିଶାର ବିକାଶମୂଳକ କାର୍ଯ୍ୟ ତୀବ୍ର ଗତିରେ ଆଗେଇ ଚାଲିଛି। ଲକ୍ଷ ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ଆସିଛି। ଏହାଦ୍ୱାରା ଆଗକୁ ଓଡ଼ିଶା ସ୍ଥିତି ବଦଳିବ। ଆର୍ଥିକ କ୍ଷେତ୍ରରେ ଓ ଭିତିଭୂମିର ପ୍ରଗତି ହେବ। ବିଜେପି ସରକାର ଲୋକଙ୍କ ମାଲିକ ନୁୂହେଁ ସେବକ। ସମାଜର ଶେଷ ପାହଚରେ ଥିବା ଲୋକଙ୍କ ପାଖରେ ଯେପରି ବିକାଶ ପହଂଚି ପାରିବ ସେଥିପାଇଁ ଉଦ୍ୟମ ଜାରି ରହିଛି। ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ କୃଷି, ପର୍ଯ୍ୟଟନ ଆଦି ସବୁକ୍ଷେତ୍ରରେ ଯେପରି ସାମଗ୍ରିକ ବିକାଶ ହେବ ସେଥିପାଇଁ ପ୍ରୟାସ ଜାରି ରଖିଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ରାଜ୍ୟ ସରକାର ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ସଙ୍କଳ୍ପବଦ୍ଧ। ଏଥିରେ ସହଯୋଗ କରିବା ସହ ଆଗାମୀ ପଂଚାୟତ ନିର୍ବାଚନରେ କିପରି ବିଜୟ ଲାଭ କରିବା ସେନେଇ ଏବେଠାରୁ ପ୍ରୟାସ କରିବା ଲାଗି ଶ୍ରୀ ସାମଲ ଆହ୍ୱାନ ଦେଇଛନ୍ତି। ଲୋକଙ୍କ ସମସ୍ୟା ଦୂର କରିବା ସହ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଘରେ ଘରେ ପହଁଚାଇବା ପାଇଁ ସେ କାର୍ଯ୍ୟକର୍ତାମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି ସମ୍ବର୍ଦ୍ଧନା ସଭାରେ ଲୋକସଭା ସାଂସଦ ମାଳବିକା ଦେବୀ, ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଶୀ, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ପ୍ରଦୀପ୍ତ ନାୟକ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ମନୋଜ ମେହେର ଓ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼, ପୂର୍ବତନ ଜିଲା ସଭାପତି ଆର୍ତ ମହାପାତ୍ର, ମୁନିସିପାଲଟି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଜୁନାଗଡରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପାଟ୍ଟଯୋଶୀ, ଉପାଧ୍ୟକ୍ଷା ଜୁଲି ମେହେରଙ୍କ ସମେତ ସମିତି ସଭ୍ୟ ଜ୍ୟୋତ୍ସ୍ନା ଛତ୍ରିୟା, ଥବିରା ବାଗ, ପୂର୍ଣ୍ଣମୀ ଧାରୁଆ, ଭୁବନେଶ୍ୱର ସବର, ଶଙ୍କର ନାୟକ, ଜୟମଣି ବୋଡ଼କିଆ, କନକ ଷଠିଆ, ଚର୍ଚ୍ଚିକା ଗୋପାଲ, ଜଡୁ ମାଝୀ, ପ୍ରଶନ୍ନ ବିହାରୀ, ଜୟନ୍ତୀ ନାୟକ, କିଶୋର ନାଗ, ଲତିକା ବାଗ, ମେନକା ସବର, କଶାଲ୍ୟ ନାୟକ, ସୁବାସ ବାଗ, ସୁଜିତ୍ ସାହୁ, ସରୋଜ ସବର ଏବଂ ଅନେକ ସଂଖ୍ୟାରେ ସରପଂଚ ବିଜେଡି ଦଳ ପରିତ୍ୟାଗ କରି ଆନୁଷ୍ଠିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଏହି ଅବସରରେ କୋକସରା ଓ ଜୁନାଗଡ଼ ବ୍ଲକର ଅନେକ ଜନପ୍ରତିନିଧି ବିଜେଡି ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି। କାର୍ଯ୍ୟକ୍ରମ ପୂର୍ବରୁ ଜୁନାଗଡ଼ ଓ ଧର୍ମଗଡଠାରେ ବିଶାଳ ବାଇକ୍ ରାଲି କରାଯାଇ ଶ୍ରୀ ସାମଲଙ୍କୁ ସଭାସ୍ଥଳକୁ ପାଛୋଟି ନିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking